କରୋନା ସ୍ଥିତିର ମୁକାବିଲା: ଭିନ୍ନ ଭିନ୍ନ ଭୂମିକାରେ ତିନି ଓଡ଼ିଆ ଅଧିକାରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିର ମୁକାବିଲା କରିବା ପାଇଁ ତିନି ସପ୍ତାହର ‘ଲକ୍‌ଡାଉନ୍‌’ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ପ୍ରତିଷ୍ଠିତ ପଦରେ କାର୍ଯ୍ୟ ତୁଲାଉଥିବା ଓଡ଼ିଆ ଅଧିକାରୀମାନେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରୁଥିବାର ଜଣାପଡ଼ିଛି। ସ୍ଥିତିର ମୁକାବିଲା ତଥା ରଣନୀତି ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ଭୂମିକାକୁ ଚର୍ଚ୍ଚା ହେଉଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ଶ୍ରୀ ମିଶ୍ର ଜାନୁଆରୀ ମାସରୁ କରୋନା ଭୂତାଣୁ ଭାରତରେ ପ୍ରବେଶ ସ୍ଥିତିରେ ପ୍ରସ୍ତୁତି ତଥା ପଦକ୍ଷେପକୁ ନେଇ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଲଗାତାର ସମୀକ୍ଷା ବୈଠକ କରି ଅବଗତ ହେବା ସହିତ ସ୍ଥିତିକୁ ନିୟମିତ ଭାବେ ତଦାରଖ କରୁଥିଲେ। ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରି ରାଜ୍ୟମାନଙ୍କର ସ୍ଥିତିକୁ ଆକଳନ କରିବା ସହିତ ସ୍ଥିତିର ଅନୁରୂପ ବ୍ୟବସ୍ଥା କରିବା ତଥା ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ଥିତି ଅନୁସାରେ ସମସ୍ତ ରାଜ୍ୟମାନଙ୍କ ସହିତ ସେ ତାଙ୍କର ଲଗାତାର ସମ୍ପର୍କ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ନିୟମିତ ଭାବେ ସେ ସ୍ଥିତି ତଥା ପଦକ୍ଷେପ ସମ୍ପର୍କରେ ଅବଗତ କରାଉଛନ୍ତି।

ସେହିପରି କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗରେ କାର୍ଯ୍ୟରତ ସଚିବ ତଥା ଓଡ଼ିଆ ଅଧିକାରୀ ଦେବାଶିଷ ପଣ୍ଡା ରିଜର୍ଭ ବ୍ୟାଙ୍କକୁ ପତ୍ର ଲେଖି ଋଣ ପରିଶୋଧ ନିୟମକୁ କିଛି ଦିନ ପର୍ଯ୍ୟନ୍ତ କୋହଳ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସାଧାରଣ ଲୋକ ଓ କମ୍ପାନୀଗୁଡ଼ିକୁ କରୋନା ଭୂତାଣୁ ଯୋଗୁଁ ଘୋଷିତ ଲକ୍‌ଡାଉନ୍‌ ମଧ୍ୟରେ କ୍ଷତି ହେଉଛି। ଶ୍ରୀ ପଣ୍ଡାଙ୍କ ଦ୍ବାରା ଅର୍ଥନୀତିରେ ନଗଦ ଅର୍ଥକୁ ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ କରୋନା କାରଣରୁ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ନେଇ ନୂଆ ଶିକ୍ଷା ବର୍ଷର ଆରମ୍ଭରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ପ୍ରତିବନ୍ଧକକୁ ନେଇ ଚିନ୍ତିତ ଥିବା ବେଳେ ଏହି ଅବଧି ମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ଘରେ କିଭଳି ପାଠପଢ଼ିବା ପାଇଁ ବ୍ୟବସ୍ଥା କରାଯିବ ସେ ନେଇ ଏନ୍‌ସିଇଆରଟି ଦ୍ବାରା ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି, ଯାହାକୁ ଚଳିତ ସପ୍ତାହରେ ଜାରି କରାଯିବ। ଏନ୍‌ସିଇଆରଟିର ନିର୍ଦେଶକ ଡକ୍ଟର ହୃଷିକେଶ ସେନାପତିଙ୍କ ସୂଚନା ଅନୁସାରେ ପିଲାମାନଙ୍କର ଘରେ ପଢ଼ିବା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ମାର୍ଗଦର୍ଶିକା ପ୍ରଥମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରସ୍ତୁତ ହେବ। ଏନ୍‌ସିଇଆରଟି ପାଖରେ ଉପଲବ୍ଧ ହେଉଥିବା ବିଭିନ୍ନ ଅନ୍‌ଲାଇନ୍‌ ସାମଗ୍ରୀ ଅନ୍ତର୍ଗତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ। କରୋନା ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ରଖାଯାଇ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ସ୍କୁଲଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଏହା ପରେ ଦେଶରେ ତିନି ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଅବଧିରେ ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନରେ ଯେଭଳି ପ୍ରତିବନ୍ଧକ ନ ହୁଏ ସେ ନେଇ ଏନ୍‌ସିଇଆରଟି ଦ୍ବାରା ମାର୍ଗଦର୍ଶିକା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଗଲା ବୋଲି ଶ୍ରୀ ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର