ବର୍ଷକରେ ଜୟପୁରରୁ ୪୧ଟି ବାଇକ ଚୋରି, ନୂଆ ବର୍ଷରେ ବି ଖାତା ଖୋଲି ସାରିଲେଣି ଲୁଟେରା

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରେ ଦିନକୁ ଦିନ ବାଇକ ଚୋରି ବଢ଼ିବାରେ ଲାଗିଛି। ପ୍ରତିମାସରେ ଲଗାତାର ଭାବେ ବାଇକ୍ ଚ‌ୋରି ହେଉଛି। କେବେ ଦିବାଲୋକରେ ତ ଆଉ କେବେ ରାତିର ଅନ୍ଧାରରେ ଚୋରି ହେଉଛି। ଗୋଟିଏ ପରେ ଗୋଟିଏ ବାଇକ୍ ସହରରୁ ଗାଏବ କରି ନେଉଛନ୍ତି ଲୁଟେରା। କାହାର ଅଫିସ୍ କାର୍ଯ୍ୟାଳୟରୁ ତ ଆଉ କାହାର ବଜାରରୁ ଆଉ କିଛି ବ୍ୟକ୍ତିଙ୍କ ଘର ସମ୍ମୁଖରୁ ମଧ୍ୟ ବାଇକ ଚ‌ୋରି ହେଉଛି। ଏଭଳି ସ୍ଥିତିରେ ଜୟପୁରବାସୀ ସହରରେ କେଉଁ ଭଳି ସ୍ଥାନରେ ନିଜ ବାଇକକୁ ସୁରକ୍ଷିତ ଭାବେ ରଖିବ‌େ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସ୍ଥାନୀୟ ଲୁଟେରାଙ୍କ ସହଯୋଗରେ ବାହାରୁ ମଧ୍ୟ ଲୁଟେରା ଆସି ଏଠାରେ ହାତ ସଫେଇ ଦେଖାଇ ଯାଉଛନ୍ତି। ସହରରୁ ଚୋରି ହୋଇଥିବା ବାଇକମାନଙ୍କ ଭିତରେ ସବୁଠାରୁ ଅଧିକା ଗ୍ଲାମର ରହିଛି। ଏଥିସହ ବୁଲେଟ୍ ଓ ପଲସର୍ ମଧ୍ୟ ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜୟପୁର ଟାଉନ ଥାନା ଅଧିନରେ ବାଇକ ଚୋରି ସଂଖ୍ୟା ବଢ଼ିଥିବା ବେଳେ ଗତବର୍ଷ ସହରରୁ ୪୧ଟି ବାଇକ ଚ‌ୋରି ହୋଇଛି। ସେଥିରେ ଜାନୁଆରି ମାସରେ ୧, ଫେବୃଆରି ମାସରେ ୬ଟି, ମାର୍ଚ୍ଚ ମାସରେ ୧, ଅପ୍ରେଲ ମାସରେ ୧, ମେ ମାସରେ ୪ଟି, ଜୁନ୍ ମାସରେ ୪ଟି, ଜୁଲାଇ ମାସରେ ୪ଟି, ଅଗଷ୍ଟ ମାସରେ ୩ଟି, ସେପ୍ଟେମ୍ବର ମାସରେ ୪ଟି, ଅକ୍ଟୋବର ମାସରେ ୩ଟି, ନ‌ଭେମ୍ବର ମାସରେ ୪ଟି ଓ ଡିସେମ୍ବର ମାସରେ ୬ଟି ବାଇକ୍ ଚ‌ୋରି ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରେ ଆଦର୍ଶନଗର, କୁମ୍ଭାର ସାହି, ରାଜୁ ସାହି, ଦୈନିକବଜାର, ଜୟନଗର, ବସ୍‌ଷ୍ଟାଣ୍ଡ, ବ୍ୟାଙ୍କ କଲୋନି, ଜମାଲ୍ ଲାଇନ୍, ମହାରାଣୀପେଟା, ବେଲ୍ ‌ରୋଡ଼, ଏମ୍‌ଜିରୋଡ଼୍, ଲିଙ୍ଗରାଜ ନଗର, ଚନ୍ଦନବାଡ଼ ସାହି, ଅରବିନ୍ଦନଗର, ସଉରା ସାହି, ଭୁପତି ସାହି, ସାରଦା ବିହାର, ଗୌତମ ନଗର, ପିଆର ପେଟା, ଢ଼େପଗୁଡ଼ା, ସନ୍ତୋଷୀ ମା’ ନଗର, ଏନ୍‌କେଟି ‌ରୋଡ଼୍, ପାୱାରହାଉସ୍ କଲୋନି, ପାରାବେଡ଼ା, ପାଇକସାହୁ ଓ ନୀଳକଣ୍ଠନଗର ଭଳି ସ୍ଥାନରୁ ଗତବର୍ଷ ବାଇକ ‌ଚ‌ୋରି ହୋଇଛି। ଗତବର୍ଷ ‌ଚ‌ୋରି ହୋଇଥିବା ୪୧ଟି ବାଇକ୍ ମଧ୍ୟରୁ ୧୦ଟି ଗ୍ଲାମର ବାଇକ ରହିଛି। ଏଥିସହ ଗତବର୍ଷ ଜୁଲାଇ ମାସରେ ଭୁପତି ସାହିରୁ ଏକାଥରକରେ ୩ଟି ବାଇକ୍ ଚୋରି ହୋଇଥିବା ଘଟଣା ଚକିତ କରିଦେଇଥିଲା।

ସେହିଭଳି ଭାବେ ଚ‌ୋରମାନ‌େ ବର୍ଷ ଆରମ୍ଭରୁ ଚ‌ୋରି ଆରମ୍ଭ କରିଦେଇଛନ୍ତି। ଚଳତବର୍ଷ ମାସେ ନପୁରୁଣୁ ସହରରୁ ୮ଟି ବାଇକ ଚୋରି ହୋଇସାରିଲାଣି। ସ୍ଥାନୀୟ ଶ୍ରୀରାମନଗର, ରାଜୁ ସାହି, ପାରାବେଡ଼ା, ଆନ୍ଧ୍ରା ବ୍ୟାଙ୍କ ସମ୍ମୁଖ, ଶାରଦା ବିହାର, ପାଇକ ସାହି ଓ ପିଆର ପେଟାରୁ ମୋଟ ୭ଟି ବାଇକ ଚ‌ୋରି ହୋଇଛି। ବର୍ଷ ଆରମ୍ଭରୁ ଏଭଳି ଚୋରି ହେଉଥିବା ବେଳେ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଛି। ସହରରେ ବାଇକ ଚ‌ୋରି ଗ୍ୟାଙ୍ଗ ସକ୍ରିୟ ହେବାରେ ଲାଗିଛନ୍ତି। କିଛି ସ୍ଥାନୀୟ ଚୋରଙ୍କ ସହ ବାହାର ଜିଲ୍ଲା ତଥା ରାଜ୍ୟରୁ ଆସି ଗୋଟିଏ ପ‌ରେ ଗୋଟିଏ ବାଇକକୁ ଚୋରି କରି ନେଉଛନ୍ତି। ଚୋରି ବାଇକକୁ ବାହାରେ କମ୍ ଦର‌ରେ ବିକ୍ରି କରିଦେଉଥିବା ବେଳେ ଗାଡ଼ିର ପାର୍ଟସକୁ ମଧ୍ୟ ବାହାର କରି ଅଲଗା ଅଲଗା କରି ବିକ୍ରି କରିଦେଉଛନ୍ତି। ଏହି ଗ୍ୟାଙ୍ଗର ମୂଳପୋଛ କରିବା ପାଇଁ ଟାଉନ ପୁଲିସ ଚେଷ୍ଟା କରୁଥିବା ବେଳେ ସଫଳ ହୋଇପାରୁ ନାହିଁ। ଗତବର୍ଷ ଟାଉନ୍ ପୁଲିସ ଗୋଟିଏ ଗ୍ୟାଙ୍ଗକୁ ଧରିବା ସହ ବହୁ ବାଇକ୍ ମଧ୍ୟ ଜବତ କରିଥିଲା। କିନ୍ତୁ ତାହା ପରେ ମଧ୍ୟ ବାଇକ ‌ଚୋରିରେ ରୋକ୍ ଲାଗିପାରି ନଥିଲା।

ସମ୍ବନ୍ଧିତ ଖବର