ଭୁବନେଶ୍ବରରୁ ୪୫୧ କରୋନା ପଜିଟିଭ୍‌, ସୁସ୍ଥ ‌ହେଲେ ୧୧୭ ଜଣ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୧ରେ ପହଂଚିଛି। ବିଗତ ୩ ଦିନ ମଧ୍ୟରେ ଏହା ୪୦୦ ତଳକୁ ଥିଲା। ଗତକାଲି ଭୁବନେଶ୍ବରରେ ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏପ୍ରିଲ ୧୫ରେ ୩୭୯ ଜଣ ଓ ଏପ୍ରିଲ ୧୪ତାରିଖରେ ୩୦୭ ଜଣ ସଂକ୍ରମିତ ହୋଇଥିଲେ। ରାଜଧାନୀରେ କରୋନା ସଂକମ୍ରିତ ଲୋକଙ୍କର ସଂଖ୍ୟା ବଢ଼ି ଚାଲିଥିବାରୁ ଉଭୟ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଓ କମିସନରେଟ ପୁଲିସର ଦାୟିତ୍ବ ବଢ଼ିଯାଇଛି। ଏହାରି ମଧ୍ୟରେ ଆଜି ରାତି ୯ଟାରୁ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ୧୪୪ ଧାରା ଜାରି ହେବ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିମାନେ କେବଳ ବାହାରେ ଯାତାୟତ କରିପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ‌ପୁଲିସକୁ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ବରରୁ ୪୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୯୧ ଜଣ ଓ ୩୬୦ ଜଣ ସ୍ଥାନୀୟ ଅଂଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୩୪୧କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୩୨ ହଜାର ୭୫୫ ଜଣ ସୁସ୍ଥ ହୋଇଥିବା ବେଳେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର