ଜୁନ୍‌ରେ ୪୨% କମ୍‌ ବର୍ଷା

୨୯ରୁ ପୁଣି ଗାଏବ୍‌ ହୋଇଯିବ ମୌସୁମୀ, ତିିନି ଜିଲ୍ଲାରେ ସ୍ୱାଭାବିକ, ୨୭ରେ କମ୍‌ ବୃଷ୍ଟିପାତ

ଭୁବନେଶ୍ୱର: ଜୁନ୍‌ରେ ଧୋକା ଦେଲା ମୌସୁମୀ। ନିର୍ଧାରିତ ସମୟରେ ଆସିଲା। କିନ୍ତୁ ବର୍ଷିଲାନି। ମାତ୍ର ୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ବାକି ଜିଲ୍ଲାଗୁଡ଼ିକରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଛି। ଜୁନ୍‌ ୨୪ ସୁଦ୍ଧା କିଛିି ଜିଲ୍ଲାରେ ଆଦୌ ହିଁ ବର୍ଷା ହୋଇନି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ପାଣିପାଗ ଉପ ବିଭାଗ ଓ କୃଷି ନିର୍ଦେଶାଳୟ ତଥ୍ୟ କହୁଛି ଜୁନ୍‌ ମାସରେ ସାଧାରଣତଃ ୧୮୦.୫ ମି.ମି. ବର୍ଷା ହୋଇଥାଏ। କିନ୍ତୁ ଜୁନ୍‌ ୨୪ ସୁଦ୍ଧା ମାତ୍ର ୧୦୩.୬ ମି.ମି. ବର୍ଷା ହୋଇଛି। ଯାହାକି ସାଧାରଣ ବୃଷ୍ଟିପାତଠାରୁ ୪୨.୨% କମ୍‌। ଝାରସୁଗୁଡ଼ା, ଭଦ୍ରକ ଓ କେନ୍ଦ୍ରାପଡ଼ା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ବର୍ଷା ହୋଇଛି। ପୂର୍ବାନୁମାନ କରାଯାଇଛି ଯେ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବ। କିନ୍ତୁ ଜୁନ୍‌ ୨୯ରୁ ଜୁଲାଇ ୫ ପର୍ଯ୍ୟନ୍ତ କମ୍‌ ବର୍ଷା ହେବ। ଏହି ଦିନଗୁଡ଼ିକରେ ଦୁର୍ବଳ ମୌସୁମୀ ଯୋଗୁଁ ଦିନର ତାପମାତ୍ରା ସ୍ୱାଭାବିକଠାରୁ ସାମାନ୍ୟ ବୃଦ୍ଧି ପାଇବ। ହେଲେ ରାତିର ତାପମାତ୍ରା କମ୍‌ ରହିବ। ମିଳିଥିବା ସୂଚନା ଅନୁଯାୟୀ ଏପ୍ରିଲ ଓ ମେ’ ମାସରେ ରାଜ୍ୟର ସ୍ୱାଭାବିକଠାରୁ ବହୁ ଅଧିକ ବର୍ଷା ହୋଇଥିଲା। ତେବେ ଜୁନ୍‌ ମାସରେ ବର୍ଷା ପରିମାଣ କମିଛି। ଅନୁଗୁଳ, ବଲାଙ୍ଗୀର, ନୟାଗଡ଼, ନବରଙ୍ଗପୁର ଓ ପୁରୀ ଜିଲ୍ଲାରେ ସ୍ୱାଭାବିକଠାରୁ ୬୦ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଜୁନ୍‌ ୨୫ ସୁଦ୍ଧା ୫.୭୨ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ଚଳିତବର୍ଷ ପ୍ରାୟ ଦେଢ଼ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇ ପାରି ନ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ବି ଓଡ଼ିଶାରେ ସକ୍ରିୟ ରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଉ କିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇପାରେ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାଂଲାଦେଶର ଦକ୍ଷିଣାଞ୍ଚଳରେ ରହିଛି। ତାହାର କୌଣସି ପ୍ରଭାବ ମୌସୁମୀ ଉପରେ ପଡ଼ିବନାହଁ। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି। ବାଲେଶ୍ୱରର ରାଜଘାଟଠାରେ ସର୍ବାଧିକ ୧୪ ସେ.ମି. ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ମୟୂରଭଞ୍ଜର ବେତନଟିରେ ୧୨ ସେ.ମି., ବାଲେଶ୍ୱରର ଭୋଗରାଇ ଓ ସୋରରେ ୧୧ ସେ.ମି., ନୀଳଗିରିରେ ୧୦ ସେ.ମି,, ଭଦ୍ରକର ଧାମନଗର, ବାଲେଶ୍ୱରର ଜଳେଶ୍ୱର, କଟକର ମାହାଙ୍ଗା ଓ କଣ୍ଟାପଡ଼ାରେ ୯ ସେ.ମି., ବାଲେଶ୍ୱରର ଜୟପୁର, ଜଗତ୍‌ସିଂହପୁରର ତିର୍ତୋଲ, ଯାଜପୁରର ବିଞ୍ଝାରପୁର, ମୟୂରଭଞ୍ଜର ରାୟରଙ୍ଗପୁର, କେନ୍ଦ୍ରାପଡ଼ାର ଡେରାବିଶରେ ୮ ସେ.ମି. ଲେଖାଏ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏନେଇ କେନ୍ଦୁଝର ସମେତ ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ପୁରୀ, ଖୋର୍ଧା, କଟକ, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ବର୍ଷା ପରିମାଣ କମିବ।

ସମ୍ବନ୍ଧିତ ଖବର