ରାଜ୍ୟରେ ୪୬ ହଜାର ଏଡ୍‌ସ ଆକ୍ରାନ୍ତ

ଭୁବନେଶ୍ବର: ଡିସେମ୍ବର ୧କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ବବ୍ୟାପୀ ଏଡ୍‌ସ ଦିବସ ଭାବେ ପାଳନ କରାଯାଉଛି। ବିଶ୍ବରେ ଏବେ ୩୬.୭ ମିଲିଅନ୍ ଏଚ୍‌ଆଇଭିରେ ଆକ୍ରାନ୍ତ ରହିଛନ୍ତି। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଗତବର୍ଷ ବିଶ୍ବରେ ୨୮.୯ ମିଲିଅନ୍ ଲୋକ ଏଡ୍‌ସ ପ୍ରାଣ ହରାଇଛନ୍ତି। ସେହିପରି ରାଜ୍ୟରେ ଏବେ ୪୬ହଜାର ଏଡ୍‌ସ ଆକ୍ରାନ୍ତ ରହିଛନ୍ତି। ଗଞ୍ଜାମ ଜିଲ୍ଲା ଏଡ୍‌ସ ଆକ୍ରାନ୍ତଙ୍କ ମଧ୍ୟରେ ଆଗରେ ରହିଛି।

୨୦୦୨ ମସିହାରୁ ଚଳିତବର୍ଷ ‌ଅକ୍ଟୋବର ମାସ ପର୍ଯ୍ୟନ୍ତ ରାଜ୍ୟରେ ଯେତିକି ଏଡ୍‌ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତହିଁରେ କେବଳ ଗଞ୍ଜାମ ଜିଲ୍ଲାରେ ୧୫ହଜାର ୩୪ଜଣ ରହିଛନ୍ତି। କଟକ ଜିଲ୍ଲାରେ ୬୨୬୪, ସମ୍ବଲପୁରରେ ୨୭୪୫, ଖୋର୍ଧାରେ ୨୫୨୩, କୋରାପୁଟରେ ୨୩୫୬, ଅନୁଗୁଳରେ ୧୬୫୫, ବାଲେଶ୍ବରରେ ୧୪୬୦, ବଲାଙ୍ଗୀରରେ ୧୩୩୪ ଆକ୍ରାନ୍ତ ରହିଛନ୍ତି। ସବୁଠରୁ କମ୍ ଏଡ୍‌ସ ଆକ୍ରାନ୍ତ ଜିଲ୍ଲା ମଧ୍ୟରେ ବୌଦ୍ଧ ଜିଲ୍ଲା ଆଗରେ ରହିଛି। ଏଠାରେ ମାତ୍ର ୫୯ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦେବଗଡ଼ରେ ୧୦୬, ସୋନପୁରରେ ୧୨୩, କନ୍ଧମାଳରେ ୧୭୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଗର୍ଭବତୀ ମହିଳା ଏଚ୍‌ଆଇଭିରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୩ ମସିହା ପର୍ଯ୍ୟନ୍ତ ରାଜ୍ୟରେ ୧୫୩୯ଜଣ ଗର୍ଭବତୀ ଏଚ୍‌ଆଇଭିରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ୨୦୧୪ରେ ୨୧୦, ୨୦୧୫ରେ ୧୭୭, ୨୦୧୬ରେ ୧୮୫, ୨୦୧୭ରେ ୨୨୭ ଚଳିତବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ୯୪ଜଣଙ୍କୁ ଚିହ୍ନଟ କରାଯାଇଛି।

ତେବେ ରାଜ୍ୟରେ ପ୍ରତିବର୍ଷ ନୂତନ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୭ରେ ରାଜ୍ୟରେ ୧୦ହଜାର ୧ଶହ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୦୧୭ରେ ଏହା ୨୪୨୨କୁ ଖସି ଆସିଛି। ଗତବର୍ଷ ୧୨ଲକ୍ଷ ଲୋକଙ୍କ ଏଚ୍‌ଆଇଭି ପରୀକ୍ଷା ହୋଇଛି ଓ ୩୩୦୧ଜଣଙ୍କୁ ଏଆରଭି ଚିକିତ୍ସା ଯୋଗାଇ ଦିଆଯାଇଛି। ସେହିପରି ରାଜ୍ୟରେ ଏଡ୍‌ସ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ୨୦୦୭ରେ ୬୬୦୦ଲୋକ ଏଥିରେ ପ୍ରାଣ ହରାଇଥିବା ବେଳେ ୨୦୧୭ରେ ଏହା ଖସିଆସି ୧୩୮୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର