ମାଲକାନଗିରି/ଖଇରପୁଟ/ଗୋବିନ୍ଦପାଲ୍ଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ପୋଲିସ ଆଜି ୫କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖଇରପୁଟ ପୁଲିସକୁ ଖବର ମିଳିଥିଲା ଯେ ଗୋଟିଏ ପିକଅପ୍ ଭ୍ୟାନରେ ଗଂଜେଇ ଚୋରା ଚାଲାଣ ହେଉଛି। ଏହାପରେ ଖଇରପୁଟ ଥାନା ଆଇଆଇସି ଯୁଗଳ ଶବରଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ଖଇରପୁଟ ଠାରେ ଘେରାଉ କରି ପିକଅପ ଭ୍ୟାନଟିକୁ ଅଟକାଇଥିଲେ। ଗାଡିକୁ ଯାଞ୍ଚ କରିବାରୁ ସେଥିରୁ ୫କ୍ୱିଣ୍ଟାଲ ଗଞ୍ଜେଇ ବାହାରିଥିଲା। ତେଣୁ ଗାଡିରେ ଥିବା ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି ଜବତ ଗଞ୍ଜେଇ ସହ ଥାନାକୁ ନେଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଂକା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ଜଣକ ନବରଂଗପୁର ଜିଲ୍ଲା ରାଇଘର ଅଂଚଳର ଅଶୋକ ବିଶ୍ୱାସ। ସେ ଚିତ୍ରକୋଣ୍ଡାରୁ ଉମରକୋଟ ଗଂଜେଇ ଚାଲାଣ କରୁଥିଲା ବୋଲି ପୁଲିସ କହିଛି। ଅଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହେଉଛି। ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଂଜେଇ ବାହାରକୁ ଚାଲାଣ ହେଉଛି। କାଁଭାଁ ପୁଲିସ ହାତରେ ଗଞ୍ଜେଇ ଲାଗୁଥିବା ବେଳେ ବହୁ ସମୟରେ ଚାଲାଣ କରି ପୁଲିସକୁ ଚକମା ଦେଇ ଖସିଯିବାର ବି ବହୁ ନଜିର ରହିଛି। ଅପରପକ୍ଷରେ ଅବକାରୀ ବିଭାଗର ସ୍ଥାଣୁତାର ସୁଯୋଗ ନେଇ ବେଧଡକ ଚାଷ ସହ ଚାଲାଣ ହେଉଥିବା କୁହାଯାଉଛି। ଯଦି ଚିତ୍ରକୋଣ୍ଡାରୁ ଆସୁଥିବା ସମସ୍ତ ଗାଡିକୁ ନିୟମିତ ଯାଞ୍ଚ କରାଯାଏ ତେବେ ପ୍ରତିଦିନ ଶହ ଶହ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇପାରିଥାନ୍ତା ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ଗଂଜେଇ ମାଫିଆଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ହିଁ ପୁଲିସ କିମ୍ବା ଅବକାରୀ ବିଭାଗ ହାତରେ ଗଂଜେଇ ଧରାପଡୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ନଚେତ ଏହି ଦୁଇ ବିଭାଗ ଗଂଜେଇ ଧରିବାରେ କେବେ ମଧ୍ୟ ସକ୍ଷମ ହୋଇପାରିବେ ନାହିଁ ବୋଲି ଆଲୋଚନା କରାଯାଉଛି। ବିଶେଷକରି ଅବକାରୀ ବିଭାଗ ସଜାଗ ହେଲେ ଜିଲ୍ଲାରୁ ଚାଲାଣକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି।