କରୋନା ଆତଙ୍କ : ଦିଲ୍ଲୀରେ ପ୍ରାଣ ହରାଇଲେ ମହିଳା, ରାଜ୍ୟରେ ଆଉ ୪ କରୋନା ସନ୍ଦିଗ୍ଧ

ଭୀମଭୋଇ ମେଡିକାଲରେ ବିଦେଶୀ ଦମ୍ପତି
ଭିମ୍‌ସାରରେ କେରଳର ପିଜି ଡାକ୍ତର
କ୍ୟାପିଟାଲ ହସ୍ପିଟାଲରେ ରାଜଧାନୀର ଯୁବକ

ବଲାଙ୍ଗୀର/ଟିଟିଲାଗଡ଼/ସମ୍ବଲପୁର/ଭୁବନେଶ୍ବର : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ଜଣେ ୬୯ ବର୍ଷୀୟ ମହିଳା କରୋନାର ଶିକାର ହୋଇଥିବାବେଳେ କେରଳ କୋଟ୍ଟାୟାମ ହସ୍ପିଟାଲରେ ଜଣେ କରୋନା ସନ୍ଦିଗ୍ଧ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ଆଜି ୪ଜଣ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଛି। କାନାଡ଼ାରୁ ଟିଟିଲାଗଡ଼କୁ ଆସିଥିବା ଏକ ବିଦେଶୀ ଦମ୍ପତିଙ୍କୁ ଭୀମଭୋଇ ମେଡିକାଲ କଲେଜର ଆଇସୋଲେସନ୍‌ ୱାର୍ଡରେ, ଭିମ୍‌ସାରରେ କାର୍ଯ୍ୟରତ କେରଳର ଜଣେ ପିଜି ଡାକ୍ତରଙ୍କୁ ବୁର୍ଲା ବଡ଼ଡାକ୍ତରଖାନା‌େର ଏବଂ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯିବା ସହ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଉଛି। ଏହି୨୫ ବର୍ଷୀୟ ଯୁବକ ଜଣକ ଥଣ୍ଡା ଓ ଜ୍ୱର ଯୋଗୁଁ ଆଜି ସକାଳେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିବା ବେଳେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଯୁବକ ଜଣକ ଦେଶ ବାହାରୁ ଆସିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ। ଏହାକୁ ମିଶାଇ କ୍ୟାପିଟାଲ ହସ୍ପିଟାଲରେ ଏବେ ୨ଜଣ କରୋନା ସଂଦିଗ୍ଧ ଭର୍ତ୍ତି ହୋଇଛନ୍ତି।

ଟିଟିଲାଗଡ଼ ସହରରେ କିଛି ଦିନ ତଳେ ଜଣେ ଅଣ ଓଡ଼ିଆ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ କାନାଡ଼ାରେ ରହି ଚାକିରି କରୁଥିବା ତାଙ୍କର ଜଣେ ବନ୍ଧୁ ଓ ବନ୍ଧୁପତ୍ନୀ ଟିଟିଲାଗଡ଼ ଆସିଥିଲେ। ଏଠାକୁ ଆସିବା ପରେ ଏହି ବିଦେଶୀଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଏହି ଖବର ଜିଲ୍ଲା ପ୍ରଶାସନର ନଜରକୁ ଆସିଥିଲା। ପ୍ରାଶାସନିକ ଅଧିକାରୀମାନେ ତଥା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ତାଙ୍କୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାକୁ ଆଣି ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ବଲାଙ୍ଗୀର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଦମ୍ପତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯିବ। ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଅଧୀକ୍ଷକ ଡା. ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଟିଟିଲାଗଡ଼ରେ ଆଜି ଏହି ଦମ୍ପତିଙ୍କ ପରୀକ୍ଷା ନିରୀକ୍ଷା ସମୟରେ ଉପଜିଲ୍ଲାପାଳ ସୁଧାକର ନାୟକ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସୁଜାତାରାଣୀ ମିଶ୍ର, ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ଏକ ସାମାଜିକ କାର୍ଯ୍ୟରେ ଆସିଥିବାରୁ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀ ନାୟକ କହିଛନ୍ତି। ଭାରତରେ କରୋନା ପ୍ରଭାବିତ ରାଜ୍ୟ କେରଳରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକେ ଶ୍ରମିକ ଭାବେ କାମ କରୁଛନ୍ତି। ସେମାନେ ଟ୍ରେନ୍‌ରେ ଟିଟିଲାଗଡ଼ ଯିବାଆସିବା କରୁଥିବାରୁ ରେଳ ଷ୍ଟେସନରେ ମଧ୍ୟ ପରୀକ୍ଷା ବ୍ୟବସ୍ଥା କରାଯିବା କଥା ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।

ସେହିପରି ବୁର୍ଲା ବଡ଼ ଡାକ୍ତରଖାନାରେ ପୁଣି ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଡାକ୍ତରଖାନାରେ କୋକୁଆ ଭୟ ସୃଷ୍ଟି ହୋଇଛି। ସନ୍ଦିଗ୍ଧ ପୁଣି ଅନ୍ୟ କୌଣସି ରୋଗୀ ନୁହନ୍ତି; ବରଂ ଡାକ୍ତରଖାନାରେ କାର୍ଯ୍ୟରତ ଖୋଦ୍‌ ଜଣେ ପିଜି ଡାକ୍ତର। ସଂପୃକ୍ତ ପିଜି ଡାକ୍ତରଙ୍କୁ ସାଧାରଣ ଆଇସୋଲେସନ୍‌ ୱାର୍ଡରେ ନ ରଖି ସ୍ବତନ୍ତ୍ର ଆଇସୋଲେସନ୍‌ ଚାମ୍ବରରେ ଭର୍ତ୍ତି କରାଯାଇଥିଛି। ଆଜି ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିବା ଜଣାପଡ଼ିଛି। କେରଳର ଥିରୁଅନନ୍ତପୁରମ୍‌ର ମୂଳ ନିବାସୀ ଏହି ଡାକ୍ତର ସର୍ଜରି ବିଭାଗର ବୋଲି ଜଣାପଡ଼ିଛି। ଗତ ମାସରେ ସେ ତାଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରିବା ପରେ ଗତ ସପ୍ତାହରୁ ସେ ସର୍ଦ୍ଦି ଓ କାଶରେ ଆକ୍ରାନ୍ତ ହୋଇଥିଲେ। ତେବେ କେରଳରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଏହାକୁ ଆଖି ଆଗରେ ରଖି ଉକ୍ତ ଡାକ୍ତରଙ୍କୁ ମଧ୍ୟ ସନ୍ଦିଗ୍ଧ ଭାବେ ସନ୍ଦେହ କରି ସ୍ବତନ୍ତ୍ର ଚାମ୍ବରରେ ରଖାଯାଇଛି।
ଏହା ପୂର୍ବରୁ ଭିମ୍‌ସାରରେ ୨ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ। ସୁନ୍ଦରଗଡ଼ର ଜଣେ ଯୁବକ ସାଉଦୀ ଆରବରୁ ଫେରିବା ପରେ ଥଣ୍ଡା କାଶରେ ଆକ୍ରାନ୍ତ ହେବାରୁ ତାଙ୍କୁ ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା। ତେବେ ରିପୋର୍ଟ ଆସିବା ପରେ ସେ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେହିପରି ଏହାପରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଜଣେ ଯୁବକଙ୍କୁ ମଧ୍ୟ ସନ୍ଦିଗ୍ଧ ଭାବେ ଭର୍ତ୍ତି କରାଯାଇଥିଲା। ତାଙ୍କ ରିପୋର୍ଟରେ କରୋନା ନେଗେଟିଭ୍‌ ବାହାରିଥିଲେ ହେଁ ସେ ଏବେ ବି ଭିମ୍‌ସାରରେ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ସନ୍ଦିଗ୍ଧରେ ଆଜି ୩ଟି ନମୁନା ସଂଗ୍ରହ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ସମସ୍ତ ନମୁନା ନେଗେଟିଭ୍ ରହିଥିବା ବେଳେ ତହିଁରୁ ଗୋଟିଏ ନମୁନା ସ୍ବାଇନ୍ ଫ୍ଲୁ ବା ଏଚ୍‌୧ଏନ୍‌୧ ପଜିଟିଭ୍ ରହିଥିବା ଜଣାପଡ଼ିଛି। ସନ୍ଦିଗ୍ଧଙ୍କ ଏବେ ସରକାରୀ ଡାକ୍ତରଖାନାରେ କରୋନା ସନ୍ଦେହରେ ଭର୍ତି ଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଏକାଧିକ କରୋନା ସନ୍ଦିଗ୍ଧ ଏଚ୍‌୧ଏନ୍‌୧ରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି।

ଗତ ଜାନୁଆରି ମାସରୁ ରାଜ୍ୟ ସରକାର କରୋନା(କୋଭିଡ୍-୧୯) ପାଇଁ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି। ଏଥିପାଇଁ ଦୁଇଟି ନମ୍ବର ଜାରି କରିଛନ୍ତି। ଏହି କଲ୍ ସେଣ୍ଟରକୁ ରାଜ୍ୟବ୍ୟାପୀ ଲୋକମାନେ ଫୋନ୍ କରି କରୋନା ଭୂତାଣୁ ସମ୍ବନ୍ଧରେ ପଚାରି ବୁଝୁଛନ୍ତି। ହେଲେ ଗତ ଦୁଇ ହେବ କଣ୍ଟ୍ରୋଲ ରୁମ୍‌କୁ ଅସମ୍ଭାଳ ଫୋନ୍ ଆସିବାରେ ଲାଗିଛି। ପ୍ରାୟ ୧୫ଶହରୁ ଅଧିକ ଫୋନ୍ ଗତ ଦୁଇ ଦିନରେ ଆସିଥିବା ଅନୁମାନ କରାଯାଉଛି। ଚିକେନ୍ ଖାଇବା ଯୋଗୁଁ କରୋନା ବ୍ୟାପୁଥିବା ଗୁଜବ ପ୍ରଚାରିତ ହେବା ପରେ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ବାରମ୍ବାର ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗରୁ ମନା କରାଯାଇଥିଲେ ହେଁ ଲୋକମାନେ ଏବେ ବି ଦ୍ବନ୍ଦ୍ବରେ ରହିଛନ୍ତି। ଏପରିକି କଲ୍ ସେଣ୍ଟରକୁ ଏବେ ବି ଲୋକମାନେ ଫୋନ୍ କରି ମାଛ, ଚିକେନ୍ ଖାଇବେ କି ନାହିଁ ତାହା ସଂପର୍କରେ ପଚାରି ବୁଝିବାରେ ବ୍ୟସ୍ତ। ପରିସ୍ଥିତି ଏପରି ହୋଇଛି ଯେ, କଲ୍ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଲୋକଙ୍କୁ ବୁଝାଇ ବୁଝାଇ ଥକି ପଡ଼ିଲେଣି।

ସମ୍ବନ୍ଧିତ ଖବର