କରୋନା ରାଜ୍ୟ ବିପର୍ଯ୍ୟୟ, ଜରୁରୀ କ୍ୟାବିନେଟ୍‌ ବୈଠକ ପରେ ନବୀନଙ୍କ ଘୋଷଣା

୩୧ ଯାଏ ରାଜ୍ୟରେ ସ୍କୁଲ୍‌, କଲେଜ, ସିନେମା ହଲ୍‌, ସୁଇମିଂ ପୁଲ୍, ଜିମ୍ ବନ୍ଦ

ସଭାସମିତି, ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା
ବାହାରେ ପାନଛେପ ନ ପକାଇବାକୁ ପରାମର୍ଶ
ସ୍ଥିତି ଅନୁଧ୍ୟାନ ପାଇଁ ହେବ ମନ୍ତ୍ରୀସ୍ତରୀୟ କମିଟି
କରୋନା ମୁକାବିଲା ପାଇଁ ୨୦୦ କୋଟି ମଞ୍ଜୁର

ଭୁବନେଶ୍ବର : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘କରୋନା’କୁ ବିଶ୍ବ ମହାମାରୀ ଘୋଷଣା କଲା ପରେ ସାରା ଦେଶରେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି। ଓଡ଼ିଶା ଉପରେ ଏ ପର୍ଯ୍ୟନ୍ତ କରୋନାର କୌଣସି ପ୍ରଭାବ ପଡ଼ି ନ ଥିଲେ ହେଁ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ସକାଳେ ରାଜ୍ୟ କ୍ୟାବିନେଟ୍‌ର ଜରୁରୀ ବୈଠକ ଡକାଯାଇ କରୋନା ମୁକାବିଲା ପାଇଁ ବହୁ ପ୍ରସ୍ତାବ ଗ୍ରହଣ କରାଯାଇଛି। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯିବା ସହ ଏହାର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ସେତିକି ନୁହେଁ; ଚଳିତ ମାସ ୩୧ ତାରିଖ ଯାଏ ସ୍କୁଲ୍‌, କଲେଜ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କେବଳ ଯେଉଁଠାରେ ପରୀକ୍ଷା ଚାଲିଛି, ତାହା ଯଥାବିଧି ଚାଲିବ। ଏହା ସହ ସଭାସମିତି, ସାମାଜିକ କାର୍ଯ୍ୟକ୍ରମରେ ଲୋକଙ୍କ ଗହଳଚହଳ ଉପରେ ରୋକ୍ ଲଗାଯାଇଛି। ସିନେମା ହଲ୍‌, ସୁଇମିଂ ପୁଲ୍‌, ଜିମ୍ ଆଦି ୩୧ ତାରିଖ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିହାତି ଆବଶ୍ୟକ ନ ଥିବା ଆଲୋଚନାଚକ୍ର, କର୍ମଶାଳା, ସମ୍ମିଳନୀକୁ ସରକାର ବାତିଲ୍‌ କରିଛନ୍ତି। ଧାର୍ମିକ ଉତ୍ସବ, ବିବାହ, ଭୋଜି, ବିଭିନ୍ନ ଉତ୍ସବ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ ଏବଂ ପରିସ୍ଥିତିକୁ ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ପ୍ରକୋଷ୍ଠଗୁଡ଼ିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ତେବେ ଏହି ସମୟ ମଧ୍ୟରେ ଅନ୍‌ଲାଇନ୍ ଯୋଗେ ଜନସାଧାରଣ ଅଭିଯୋଗ ଦାଖଲ କରିପାରିବେ ବୋଲି କୁହାଯାଇଛି।

ଆଜି ସକାଳ ୧୦ଟାରେ ଲୋକସେବା ଭବନରେ କ୍ୟାବିନେଟ୍‌ ବୈଠକ ଡକାଯାଇଥିଲା। ବିଧାନସଭା ଅଧିବେଶନ ଚାଲିଥିବାରୁ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନ ଥିଲା। ୧୧ଟା ୪୦ରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଗୃହକୁ ଆସି ଏ ସମ୍ପର୍କରେ ସୂଚନା ଦେବା ସହ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଜଣାଇଥିଲେ, ଆଜି ରାଜ୍ୟ କ୍ୟାବିନେଟ୍‌ର ଏକ ବୈଠକ ବସି କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। କରୋନାର ପ୍ରସାରକୁ ରୋକିବା ପାଇଁ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଯିବ। ସ୍ବାସ୍ଥ୍ୟ ବିଭାଗ, ଏହା ଅଧୀନସ୍ଥ ନିର୍ଦ୍ଦେଶାଳୟ, ଜିଲ୍ଲାପାଳ, ପୌରପାଳିକା ମୁଖ୍ୟମାନଙ୍କୁ ଆବଶ୍ୟକ ଔଷଧ, ଉପକରଣ ଓ ଅନ୍ୟାନ୍ୟ ‌ଜରୁରୀକାଳୀନ ସେବାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ‌ଦିଆଯାଇଛି। କରୋନା ଭୂତାଣୁ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସଭାସମିତି, ଗହଳି ଉପରେ କଟକଣା ଜାରି କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ କ୍ଷମତା ଦିଆଯାଇଛି। କରୋନା ପରିସ୍ଥିତି ଉପରେ ନଜର ରଖିବାକୁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ। ଏହା ସହ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ପରିସ୍ଥିତିର ଆକଳନ କରିବା ସହ ସବୁ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ପାଇଁ କମିଟି କାର୍ଯ୍ୟ କରିବ। ‘କୋଭିଡ୍‌-୧୯ ଓଡ଼ିଶା ରେଗୁଲେସନ୍,୨୦୨୦’କୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ବିଶ୍ବ ଇତିହାସରେ ଖୁବ୍ କମ୍‌ ସମୟରେ ମାନବ ଜାତି ନିଜ ନିୟନ୍ତ୍ରଣ ବାହାରେ ଥିବା ଆହ୍ବାନକୁ ସାମ୍ନା କରେ। ବିଜ୍ଞାନର ଦ୍ରୁତ ଅଗ୍ରଗତି ହୋଇଥିଲେ ବି ଏପରି ଘଟଣା କ୍ବଚିତ ଆସେ। ଗତ ଦେଢ଼ ମାସ ହେଲା ଏହି ଶତାବ୍ଦୀର ସବୁଠାରୁ ବଡ଼ ଆହ୍ବାନକୁ ମାନବ ଜାତି ସାମ୍ନା କରୁଛି। ଆମେ ଏପରି ବିପଦକୁ ସାମ୍ନା କରୁଛୁ, ଯାହା କି ବିକଶିତ ଓ ପଛୁଆ ରାଷ୍ଟ୍ର, ଗଣତାନ୍ତ୍ରିକ-ଅଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ତଫାତ ଦେଖୁନି। ଉଭୟ ଧନୀ ଓ ଗରିବ ସମାଜ ବିପଦରେ ପଡ଼ିଛନ୍ତି। ଏପରି ଅସାଧାରଣ ପରିସ୍ଥିତିକୁ ମୁକାବିଲା କରିବାକୁ ଅସାଧାରଣ ଭାବେ ଉଦ୍ୟମ କରିବାକୁ ପଡ଼ିବ। ଜଣେ ବ୍ୟକ୍ତି କିମ୍ବା ସରକାରଙ୍କର ଏହା ଦାୟିତ୍ବ ନୁହେଁ। ଓଡ଼ିଶାର ପ୍ରତ୍ୟେକଟି ଜନତା ଦାୟିତ୍ବବାନ ଭାବେ ଏହାକୁ ମୁକାବିଲା କରିବାର ସମୟ ଆସିଛି। ଯେହେତୁ ଏହାର କୌଣସି ଚିକିତ୍ସା କିମ୍ବା ଟିକା ନାହିଁ, ତେଣୁ ଆମକୁ ସାମୂହିକ ଦାୟିତ୍ବ ନେଇ ଏହି ମହାମାରୀ ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ‘ବିଶ୍ବ ମହାମାରୀ’ ଭାବେ ଘୋଷଣା କରିଛି। ମହାମାରୀକୁ ରୋକିବା ପାଇଁ ସମସ୍ତ ରାଷ୍ଟ୍ର ତ୍ବରିତ ବେଗରେ ପଦ‌କ୍ଷେପ ନେବାକୁ କୁହାଯାଇଛି। ତେଣୁ ଆତଙ୍କ ସୃଷ୍ଟି ନ କରି ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ।

କରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ବିଧାୟକମାନଙ୍କ ସହଯୋଗରେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେବେ। ବିଧାୟକମାନେ ନିଜର ଯତ୍ନ ନେବା ସହ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ସଚେତନ କରାଇ କରୋନା ବିପଦରୁ ଦୂରେଇ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ଅପପ୍ରଚାର, ଭୁଲ୍‌ ସୂଚନା ଓ ଦାୟିତ୍ବହୀନ କାମକୁ ଅତ୍ୟନ୍ତ ଗମ୍ଭୀର ଭାବେ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ। କେହି ବାହାରେ ପାନଛେପ ନ ପକାଇବାକୁ ଅନୁରୋଧ କରିବା ସହ ସବୁ ହାତ ଧୋଇ ପରିଷ୍କାର ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦେଇଥିଲେ। ସମସ୍ତଙ୍କ ସହଯୋଗରେ କରୋନା ମୁକାବିଲା ଦିଗରେ ଓଡ଼ିଶା ନିଶ୍ଚିତ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ।

ସମ୍ବନ୍ଧିତ ଖବର