ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ‌ଲୋଡ଼ିଲା ପୁରୀ କଂଗ୍ରେସ, ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ବର: ସମସ୍ତ ନୀତିନିୟମ ଉଲ୍ଲଂଘନ କରି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା, ଗୁରୁତର ଆର୍ଥିକ ସଂକଟରେ ଥିବା ୟେସ ବ୍ୟାଙ୍କରେ ଜମା କରିବା ଘଟଣା ରାଜ୍ୟବ୍ୟାପୀ ଉଦ୍‌ବେଗର କାରଣ ହୋଇଛି। ଏ ନେଇ ମଧ୍ୟ କଂଗ୍ରେସ ତାର ଉଦ୍‌ବେଗ ପ୍ରକାଶ କରିଛି। ଶ୍ରୀଜଗନ୍ନାଥଙ୍କ ୫୪୫କୋଟି ଟଙ୍କା ତୁରନ୍ତ ଫେରାଇ ଆଣିବା, ଘଟଣାର ନିରପେକ୍ଷ ତଦନ୍ତ ଓ ମନ୍ଦିର ଟଙ୍କା ଘରୋଇ ବ୍ୟାଙ୍କରେ ରଖିବା ପଛରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସମଗ୍ର ଘଟଣାର ସିବିଆଇ ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି। ଆଜି ପୁରୀ ଜିଲ୍ଲା କଂଗ୍ରେସର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ଘଟଣା ଶ୍ରୀଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେଇଛି ବୋଲି କଂଗ୍ରେସ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଜଣାଇଛନ୍ତି। ପ୍ରତିନିଧିମଣ୍ଡଳୀରେ ଜିଲ୍ଲା କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ତଥା ଏଆଇସିସି ସଭ୍ୟ ଅମୀୟ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ନେତା ତଥା ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର, ବୀରେନ୍ଦ୍ର ଭୂଷଣ ହୋତା, ବିଶ୍ବ ଭୂଷଣ ଦାସ, ବିଦୁଲତା ଆଚାର୍ଯ୍ୟ, ନିରୁପମା ପାତ୍ର, ଲଲାଟେନ୍ଦୁ ଦାସ, ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟନାରାୟଣ ପଟ୍ଟନାୟକ, ନିରଞ୍ଜନ ରଥ, ବିଶ୍ବନାଥ ଦାସ ପ୍ରମୁଖ ରହିଥିଲେ।

ସମ୍ବନ୍ଧିତ ଖବର