ଏବେ ବି ଅବହେଳିତ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି, ଅନ୍ଧାରରେ ୭ ଗ୍ରାମ

ବୈପାରୀଗୁଡ଼ାରେ ପହଞ୍ଚିବା ପାଇଁ ଲୋକଙ୍କୁ ମାଲକାନଗିରି ଦେଇ ଯିବାକୁ ପଡ଼େ ୭୫ କିମି

ବୈପାରିଗୁଡା: କୋରାପୁଟ ଜିଲ୍ଲା ବଣ ପାହାଡ ଘେରା ଆଦିବାସୀ ପଲ୍ଲୀ ତେନ୍ତୁଳିଗୁମ୍ମା ଠାରେ ଜନ୍ମ ଗ୍ରହଣ କରିଥିଲେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକ। ନିଜ ଯୁବ ଯୁବାବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତ ଛାଡ଼ ଆନ୍ଦୋଳନରେ ଉଦବୃଦ୍ଧ ହୋଇ କୋରାପୁଟ ମାଟିରେ ଆରମ୍ଭ କରିଥିଲେ ସ୍ବାଧୀନତା ଆନ୍ଦୋଳନ। ଶହଶହ ଆଦିବାସୀଙ୍କ ନେତୃତ୍ୱ ନେଇ ସେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଲଢେ଼ଇ ଆରମ୍ଭ କରିଥିଲେ। ମାଥିଲି ଥାନା ଘେରାଉ ସମୟରେ ପୁଲିସ ଗୁଳିରେ ମୃତ୍ୟୁ ହୋଇଥିବା ଫରେଷ୍ଟ ଗାର୍ଡ ରାମାୟାର ମୃତ୍ୟୁ ପାଇଁ ଲକ୍ଷ୍ମଣ ନାୟକଙ୍କୁ ଦାୟୀ କରାଯାଇ ବନ୍ଦୀ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରିବା ସହ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ଦେଶର ସ୍ବାଧୀନତା ପାଇଁ ସ୍ବପ୍ନ ଦେଖିଥିବା ଏହି ସଂଗ୍ରାମୀ ଦିନେ ନିଜ ଜନ୍ମଭୂମି ପାଇଁ ହସି ହସି ଜୀବନ ଉତ୍ସର୍ଗ କରିଥିଲେ। ଦେଶ ସ୍ବାଧୀନତା ହେଲା।

ତେବେ ଏହି ମହାନ୍ ସ୍ଵାଧୀନତା ସଂଗ୍ରାମୀଙ୍କର ଜନ୍ମମାଟି ଏବେ ବି ଅବହେଳିତ। ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ଏହି ମାଟିର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଆଦୈ ଆନ୍ତରିକତା ନାହିଁଁ କହିଲେ ଚଳେ। ଆଜି ମଧ୍ୟ ତେନ୍ତୁଳିଗୁମ୍ମା ବହୁ ପଛରେ ପଡ଼ିରହିଛି। ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ଆଖି ଆଗରେ ତେନ୍ତୁଳିଗୁମ୍ମା ଏବଂ ଏହାର ଆଖପାଖ ଗ୍ରାମକୁ ନେଇ ସ୍ବତନ୍ତ୍ର ପଞ୍ଚାୟତର ମାନ୍ୟତା ଦିଆଯାଇଥିଲେ ମଧ୍ୟ ଏହି ଅଞ୍ଚଳର ଅବସ୍ଥା ଯେଉଁ ତିମିରେକୁ ସେହି ତିମିରେ। ୭ଟି ଗ୍ରାମକୁ ଯିବା ପାଇଁ ନିତିଦିନିଆ ରାସ୍ତା ଖଣ୍ଡିଏ ନାହିଁ। ବିଜୁଳି ଆଲୁଅ ଏହି ୭ ଖଣ୍ଡ ଗାଁ ପାଇଁ ସାତ ସପନ। ସାବେରୀ ନଦୀର ଆରପାରିରେ ରହୁଥିବା ପ୍ରାୟ ୭ଟି ଗ୍ରାମର ଲୋକେ ଡଙ୍ଗା ଟିଏ ପାଇବା ପାଇଁ ପ୍ରଶାସନ ପାଖରେ ଯେତେ କାକୁତି ମିନତି ହେଲେ ମଧ୍ୟ ଡଙ୍ଗା ଟିଏ ଯୋଗାଇ ଦିଆଯାଇ ପାରିଲା ନାହିଁ।

ଏହି ପଞ୍ଚାୟତର ସବୁଠୁ ବଡ଼ ଦୁର୍ଭାଗ୍ୟ ହେଉଛି ବୈପାରିଗୁଡା ସଦର ମହକୁମା ଯାଏ ପହଞ୍ଚିବା ପାଇଁ ସିଧାସଳଖ ରାସ୍ତାଟିଏ ନାହିଁ। ବ୍ଲକ ସଦର ମହକୁମା ଯାଏ ଆସିବା ପାଇଁ ପଞ୍ଚାୟତବାସୀଙ୍କୁ ମାଲକାନଗିରି ଜିଲ୍ଲା ଦେଇ ପ୍ରାୟ ୭୫ କିଲୋମିଟର ବାଟ ଆସିବାକୁ ପଡ଼ିଥାଏ। ଯାହାଫଳରେ ଦିନକର କାମ ପାଇଁ ସେମାନଙ୍କୁ ତିନିଦିନ ନଷ୍ଟ କରିବାକୁ ପଡ଼ିଥାଏ। ତେନ୍ତୁଳିଗୁମ୍ମା ଠାରୁ ଦଣ୍ଡାବାଡି ଦେଇ ବୈପାରିଗୁଡା ଯାଏ ରାସ୍ତାଟିଏ ନିର୍ମାଣ କରିବା ପାଇଁ ବହୁବାର ଦାବି ପରେ ଏକ ପୋଲର ବ୍ୟବସ୍ଥା କରାଯାଇଛି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ। ପ୍ରଶାସନର ଉଦାସୀନତା ହେତୁ ଏହି ପୋଲ ନିର୍ମାଣ ମଧ୍ୟ ମନ୍ଥର ଗତିରେ। ତେନ୍ତୁଳିଗୁମ୍ମା ସମେତ ଆଖପାଖ ଗ୍ରାମ ଗୁଡ଼ିକର ବହୁବିଦ୍ଧ ସମସ୍ୟା ରହିଥିଲେ ମଧ୍ୟ ସେଥିପ୍ରତି କାହାର ନଜର ନାହିଁ। ମଙ୍ଗଳ ବିଭାଗର ଆବାସିକ ବିଦ୍ୟାଳୟ ଟିଏ ରହିଥିଲେ ମଧ୍ୟ ଆବଶ୍ୟକ ଶିକ୍ଷକ ନଥିବାରୁ ଶିକ୍ଷାଦାନ କିପରି ହେଉଥିବ ତାହା ସହଜରେ ଅନୁମେୟ। ସେହିଭଳି ସ୍ବାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ ଓ ଆଲୁଅ ଭଳି ସର୍ବନିମ୍ନ ଆବଶ୍ୟକତା ଏବେ ମଧ୍ୟ ପୁରଣ କରାଯାଇ ନାହିଁ।

ବିଡ଼ମ୍ବନାର ବିଷୟ ଏହି ଯେ, ବର୍ଷକରେ ମାତ୍ର ଦୁଇ ଦିନ ପାଇଁ ସହିଦ୍ ଲକ୍ଷ୍ମଣ ନାୟକ ସମସ୍ତଙ୍କୁ ମନେ ପଡିଥାନ୍ତି। କେବଳ ଜନ୍ମତିଥି ଏବଂ ଫାଶୀ ଦିବସ ଅବସରରେ ବ୍ଲକ ପ୍ରଶାସନ ତେନ୍ତୁଳିଗୁମ୍ମା ଠାରେ ପହଞ୍ଚି ଥାଏ। ପ୍ରଶାସନ ଏହି ଦୁଇ ଦିନକୁ ତେନ୍ତୁଳିଗୁମ୍ମା ଠାରେ ପହଞ୍ଚିଲେ ପଞ୍ଚାୟତବାସୀ ବହୁ ସମସ୍ୟା ଉପସ୍ଥାପନ କଲାପରେ ସେମାନଙ୍କୁ କେବଳ ପ୍ରତିଶୃତି ଦେଇ ସନ୍ତୁଷ୍ଟ କରିଦିଆଯାଏ। କିନ୍ତୁ ସେହି ପ୍ରତିଶ୍ରୁତି କାର୍ଯ୍ୟ କ୍ଷେତ୍ରରେ ପରିଣତ ହୋଇନଥାଏ। ରାଜ୍ୟସ୍ତରୀୟ ଜନ୍ମଦିବସ ଏବଂ ଫାଶୀ ଦିବସ ରାଜଧାନୀ ଭୁବନେଶ୍ଵର ଠାରେ ଖୁବ ଯାକଜମକରେ ପାଳନ କରାଯାଉଥିବା ବେଳେ ତେନ୍ତୁଳିଗୁମ୍ମା ପଞ୍ଚାୟତବାସୀ ଅନ୍ଧାର ଭିତରେ ଯନ୍ତ୍ରଣାଦାୟକ ଜୀବନଯାପନ କରିବା ସହିଦଙ୍କ ପ୍ରତି ଉପହାସ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରନ୍ତି।

ସମ୍ବନ୍ଧିତ ଖବର