୮ ନକ୍ସଲ ଗିରଫ

ମାଲକାନଗିରି : ଛତିଶଗଡର ବିଭିନ୍ନ ସ୍ଥାନରୁ ପୁଲିସ ୮ଜଣ ନକ୍ସଲଙ୍କୁ ଗିରଫ କରିଛି। ନାରାୟଣପୁର ଜିଲ୍ଲାରେ ପୋଲିସ ୩ ଜଣ ନକ୍ସଲକୁ ଧରିବାରେ ସଫଳ ହୋଇଛି।ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ ଅରଛା ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲା।ଏହି ସମୟରେ ତିନି ଜଣ ନକ୍ସଲ ପୋଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଘେରାବନ୍ଦୀ କରି ଗିରଫ କରିଛି।ସେମାନେ ହେଲେ ଡିକେଏମଏସ ଉପାଧ୍ୟକ୍ଷ ଫାଗୁ ଧୁର୍ବା,ଜନତାନା ସରକାର ଅଧ୍ୟକ୍ଷ କୌଶଲ ଅରଫ କୋସା ଧୁର୍ବା ଏବଂ ସିଏନଏମ ସଦସ୍ୟା ଶାନ୍ତି ଧୁର୍ବା।ଏହି ତିନି ଜଣ ନକ୍ସଲଙ୍କ ଠାରୁ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ଫାଗୁ ଧୁର୍ବା ଗତ ଜୁନ ମାସ ୨୧ ତାରିଖରେ ଏବଂ ଚଳିତ ମାସ ୭ ତାରିଖରେ ହସନାର ଜଂଗଲରେ ପୋଲିସ ପାର୍ଟି ଉପରେ ଗୁଳି ଚଳାଇଥିଲା। ଅନ୍ୟ ଦୁଇ ଜଣ ମଧ୍ୟ ଏହି ଗୁଳି ବିନିମୟରେ ସାମିଲ ଥିବା ପୋଲିସ କହିଛି। ଗିରଫ ପରେ ପୋଲିସ ଏମାନଙ୍କୁ ପଚରା ଉଚରା କରୁଛି। ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ଆଶା ବାନ୍ଧିଛି। ସେହିପରି ବିଜାପୁର ଜିଲ୍ଲା ପୋଲିସ ମଧ୍ୟ ୫ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ସିଏନଏମ ମେମ୍ବର ଆୟତୁ ତାତି,ବିଜ୍ଜି ତାତି ଓ ଆୟତୁ କାବାସି,ଡିକେଏମଏସ ସଦସ୍ୟ ଚାନ୍ଦୁ ପୋୟାମି ଓ ବୁଧୁରା ବାଚମ। ବିଜାପୁର ପୁଲିସ ଏମାନଙ୍କୁ ଗିରଫ କରିବା ପରେ ପଚରାଉଚରାକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର