ତେଲେଙ୍ଗାନାକୁ ଦାଦନ ଚାଲାଣ; ୮ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

ଲାଠୋର : ରାଜ୍ୟ ବାହାରକୁ ଦାଦନ ଚାଲାଣ ସମୟରେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ପୁଲିସ ଶନିବାର ରାତିରେ ଚଢ଼ଉ କରି ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ସହିତ ୨ ଜଣ ଶିଶୁ ମଧ୍ୟ ଅଛନ୍ତି। ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ନବୀନ ମାଝୀଙ୍କୁ ଗିରଫ କରାଯାଇଛି।

ପୁଲିସର ସୂଚନା ଅନୁସାରେ, ଶନିବାର ରାତିରେ ଘୁଚାପାଲି ଓ କନ୍ଦାଗାଡ଼ ଗାଁର ୫ ଜଣ ପୁରୁଷ ଓ ୩ ଜଣ ମହିଳା ଶ୍ରମିକଙ୍କୁ ତେଲେଙ୍ଗାନା ରାଜ୍ୟକୁ ଚାଲାଣ କରାଯାଉଥିବା ସୂଚନା ମିଳିଥିଲା। ପାଟ୍ରୋଲିଂରେ ଥିବା ପୁଲିସ ଲାଠୋର ବସ୍‌ଷ୍ଟାଣ୍ଡରୁ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ସହିତ ସର୍ଦ୍ଦାର ନବୀନ ମାଝୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଶ୍ରମିକ ଚାଲାଣ ସଂପର୍କିତ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି ।

ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କ ଗ୍ରାମକୁ ନେଇ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ଥାନା ଅଧିକାରୀ ଝସକେତନ ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର