ସ୍ଥାନାନ୍ତର ହେଲେ ଆଉ ୮୩ କଏଦୀ, ଅବଧି ପୂର୍ବରୁ ମୁକୁଳିଲେ ୧୭୭

ଭୁବନେଶ୍ବର : ଜେଲ୍‌ରେ ରହୁଥିବା କଏଦୀମାନଙ୍କ ମଧ୍ୟ‌ରେ ଯେପରି କରୋନା ନ ବ୍ୟାପେ, ସେଥିପାଇଁ କର୍ତ୍ତୃପକ୍ଷ କଏଦୀମାନଙ୍କର ଗହଳି କମାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ବିଭିନ୍ନ ଗହଳି ଜେଲ୍‌ରୁ ଫାଙ୍କା ଜେଲ୍‌କୁ କଏଦୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। କିଛି ଦିନ ତଳୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଅଦ୍ୟାବଧି ୯୦୬ କଏଦୀ ସ୍ଥାନାନ୍ତର ହୋଇଥିବା ବେଳେ ଆଜି ଆହୁରି ୮୩ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କାରାଗାର ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଅନ୍ୟପଟେ କରୋନା ମୁକାବିଲା ସମୟରେ ଅର୍ଥାତ୍‌ ମାର୍ଚ୍ଚ ୨୦ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜେଲ୍‌ରୁ ୧୮୭୩ ଜଣ ବିଚାରାଧୀନ କଏଦୀ ଜାମିନ୍‌ରେ ମୁକୁଳିଛନ୍ତି। ୨୦ଜଣ କଏଦୀଙ୍କ ପାରୋଲ୍‌ ଅବଧି ବଢ଼ାଇ ଦିଆଯାଇଛି। ୧୭୭ଜଣ ଦଣ୍ଡିତ କଏଦୀଙ୍କର ଦଣ୍ଡ କୋହଳ କରାଯାଇଛି। ଅର୍ଥାତ୍‌ ଦଣ୍ଡ ଅବଧି ସରିବା ପୂର୍ବରୁ ସେମାନଙ୍କୁ ମୁକ୍ତ କରାଯାଇଛି। ଦୁଇଦିନ ତଳେ ୧୨୬ଜଣଙ୍କୁ ମୁକ୍ତ କରାଯାଇଥିବା ବେଳେ ଦୁଇଦିନ ଭିତରେ ୫୧ ଜଣଙ୍କୁ ଚିହ୍ନଟ କରାଯାଇ ମୁକ୍ତ କରାଯାଇଛି।

ରାଜ୍ୟର ୮୭ଜେଲ୍‌‌‌ରେ ୧୯ହଜାର ୭୯୧ କଏଦୀ ରହିବା କ୍ଷମତା ରହିଛି। ଦୁଇଦିନ ତଳେ ୧୮ ହଜାର ୧୧୨ କଏଦୀ (୧୪ ହଜାର ୩୮୭ ବିଚାରାଧୀନ ଓ ୩ ହଜାର ୭୨୫ ଜଣ ଦଣ୍ଡିତ) ରହିଥି‌ଲେ। ଜାମିନ୍‌ ଓ ଅବଧି ପୂର୍ବରୁ ମୁକୁଳିବା ପରେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୫୧୯ କଏଦୀ ରହିଛନ୍ତି। ଏଥିରେ ୩୭୫୩ ଦଣ୍ଡିତ ଓ ୧୩ ହଜାର ୭୬୬ ବିଚାରାଧୀନ ରହିଛନ୍ତି। କୋଭିଡ୍‌-୧୯ ମୁକାବିଲା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ କାରାଗାର କର୍ତ୍ତୃପକ୍ଷ ଏଭଳି ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

କାରାଗାରଗୁଡ଼ିକରେ କୋଭିଡ୍‌-୧୯ ମୁକାବିଲା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଚିବ, ଗୃହ ସଚିବ ଓ କାରାଗାର ନିର୍ଦ୍ଦେଶକଙ୍କୁ ନେଇ ରାଜ୍ୟ ସରକାର ତିନିଜଣିଆ ଏକ ହାଇପାୱାର୍‌ କମିଟି ଗଠନ କରିଥିଲେ। ପ୍ରଥମେ ଗହଳି ଜେଲ୍‌ରୁ ଫାଙ୍କା ଜେଲ୍‌କୁ କଏଦୀଙ୍କୁ ସ୍ଥାନାନ୍ତର କରିବା ପାଇଁ କମିଟି ୧୮ଟି ଗହଳି ଜେଲ୍‌ ଓ ୧୭ଟି ଫାଙ୍କା ଜେଲ୍‌ ଚିହ୍ନଟ କରିଥିଲା। ଗହଳି ଜେଲ୍‌ ମଧ୍ୟରେ ଭୁବନେଶ୍ବର ଝାରପଡ଼ା, କଟକ ଚୌଦ୍ବାର, ବ୍ରହ୍ମପୁର, ଭଦ୍ରକ, ଫୁଲବାଣୀ, ସମ୍ବଲପୁର, ସୁନ୍ଦରଗଡ଼, ବାଲିଗୁଡ଼ା, ଯାଜପୁର, ଆଠଗଡ଼, ଢେଙ୍କାନାଳ, ଅନୁଗୁଳ ଓ ଭବାନୀପାଟଣା ରହିଥିଲା।

ସମ୍ବନ୍ଧିତ ଖବର