୧୮ ମାସ ମଧ୍ୟରେ ନିର୍ମାଣ ହେବ ୮୯ଟି ଇଣ୍ଡୋର ଷ୍ଟାଡ଼ିୟମ, ଖର୍ଚ୍ଚ ୬୯୩.୩୫ କୋଟି ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାର କ୍ରୀଡ଼ା ଓ ଖେଳାଳିଙ୍କର ବିକାଶ ପାଇଁ କାମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାବିନେଟ୍‌ ଆଜି ‘ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଯୋଜନାରେ ୮୯ଟି ‘ବହୁମୂଖୀ ଇଣ୍ଡୋର ଷ୍ଟାଡ଼ିୟମ୍‌’ ନିର୍ମାଣ ନିମନ୍ତେ ମଂଜୁରି ପ୍ରଦାନ କରିଛନ୍ତି। ଏହି ଷ୍ଟାଡ଼ିୟମ୍‌ ଗୁଡ଼ିକର ନିର୍ମାଣ ପାଇଁ ରାଜ୍ୟ ସରକାର ୬୯୩ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି ଏବଂ ଏହା ଆଗାମୀ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟର ଯେଉଁଠି ବର୍ତ୍ତମାନ ଉନ୍ନତ ଭିତ୍ତିଭୂମି ଉପଲବ୍ଧ ହୋଇପାରି ନାହିଁ, ସେଠାରେ ଏହି ଇଣ୍ଡୋର ଷ୍ଟାଡ଼ିୟମ୍‌ ନିର୍ମାଣ ହେବ।

ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରିତ କରିଆସୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ାର ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଅଛି। ୫ଟି କାର୍ଯ୍ୟସୂତ୍ରୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୁପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପରିକଳ୍ପନା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧି ଓ କ୍ରୀଡ଼ାବିତ୍‌ ମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବ୍ୟାକୀୟ ନକ୍ସା ପ୍ରସ୍ତୁତ ହୋଇଅଛି।

ଇଣ୍ଡୋର ଷ୍ଟାଡିୟମ୍‌ ଗୁଡ଼ିକ ବହୁମୂଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ। ଇଣ୍ଡୋର ଷ୍ଟାଡ଼ିୟମ୍‌ରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବୃବସ୍ଥା ମଧ୍ୟ ରହିବ। ଏହି ଆନ୍ତଃଗୃହ ଗୁଡ଼ିକ ଉକ୍ତ ଅଂଚଳର ଅନ୍ୟାନ୍ୟ ଲୋକପ୍ରିୟ ଇଣ୍ଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ ହୋଇପାରିବ। ଇଣ୍ଡୋର ଷ୍ଟାଡ଼ିୟମ ଗୁଡ଼ିକ ଘଣ୍ଟା ପ୍ରତି ୨୦୦ କିମି ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ, ଯାହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ଯଥା ମହାବାତ୍ୟା ଏବଂ ବନ୍ୟା ସମୟରେ ଏଗୁଡ଼ିକ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର ହୋଇପାରିବ।

ସୂଚନାଯୋଗ୍ୟ, ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୧୬ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ର ମୋହର ଲାଗିଛି। ଅପର ଇନ୍ଦ୍ରାବତୀର ଲାଇନିଂ କେନାଲ ପାଇଁ ୧୪୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସମ୍ବଲପୁର ଆଇଆଇଏମ୍‌ର ସ୍ଥାୟୀ ପରିସର ପାଇଁ ୧୮.୨୩ ଏକର ଜମିକୁ ମଧ୍ୟ ଅନୁମୋଦନ କରିଛନ୍ତି।

ସମ୍ବନ୍ଧିତ ଖବର