୮ରୁ ଓଡ଼ିଶା ଭିତରେ ଗଡ଼ିବ ୫ଟି ଟ୍ରେନ୍‌

ଭୁବନେଶ୍ବର: ଏଣିକି ଓଡ଼ିଶା ଭିତରେ ବି ଚାଲିବ ଟ୍ରେନ୍‌। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଭିତରେ ୫ଟି ଟ୍ରେନ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ଭୁବନେଶ୍ବରରୁ ନୂଆଦିଲ୍ଲୀ, ମୁମ୍ବାଇ, ହାଓଡ଼ାକୁ ଟ୍ରେନ୍‌ ସେବା ଆରମ୍ଭ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଓଡ଼ିଶା ଭିତରେ ଚଳାଚଳ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଜୁନ୍‌ ୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। କେବଳ ଶନିବାର ଓ ରବିବାର ରାଜ୍ୟର ୧୧ଟି ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଏହି ଦୁଇଟି ଦିନ ଟ୍ରେନ୍ ଚଳାଚଳ କରିବ ନାହିଁ। ତେବେ କୋରାପୁଟରୁ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ରବିବାର ଦିନ କୋରାପୁଟ ଛାଡ଼ିବ।

ପୂର୍ବତଟ ରେଳପଥ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ (୦୮୪୯୩/୦୮୪୯୪) ପ୍ରତିଦିନ ସକାଳ ୬ଟା ୩୦ରେ ଭୁବନେଶ୍ବରରୁ ଛାଡ଼ିବାକୁ ଥିବାବେଳେ ଅପରାହ୍ନ ୨ଟା ୪୫ରେ ବଲାଙ୍ଗୀର ଛାଡ଼ିବ। ଏହା ମଞ୍ଚେଶ୍ବର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳି, ତାଳଚେର ରୋଡ, ଅନୁଗୁଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର ରୋଡ, ହୀରାକୁଦ, ବରଗଡ଼ ରୋଡ, ବରପାଲି ଓ ଲୋଇସିଙ୍ଗା ଷ୍ଟେସନରେ ଅଟକିବ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୮୪୩୭/୦୮୪୩୮) ସନ୍ଧ୍ୟା ୬ଟାରେ ଭୁବନେଶ୍ବର ଓ ଜୁନ୍‌ ୯ରୁ ଜୁଲାଇ ୧ ମଧ୍ୟରେ ସକାଳ ୭ଟା ୩୦ରେ ଭଦ୍ରକରୁ ଛାଡ଼ିବ। ଏହି ଟ୍ରେନ୍‌ କେବଳ କଟକ ଓ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୮୪୩୭/୦୮୪୩୮) ସନ୍ଧ୍ୟା ୫ଟା ୩୦ରେ ଭୁବନେଶ୍ବର ଓ ସକାଳ ୭ଟାରେ ବ୍ରହ୍ମପୁର ଷ୍ଟେସନ(ଜୁନ୍‌ ୯ରୁ ଜୁଲାଇ ୧ ପର୍ଯ୍ୟନ୍ତ) ଛାଡ଼ିବ। ଏହା ଖୋର୍ଧାରୋଡ, ନିରାକାରପୁର, ଭୁଷଣ୍ଡପୁର, କାଳୁପଡାଘାଟ, ବାଲୁଗାଁ, ଖଲ୍ଲିକୋଟ ଓ ଛତ୍ରପୁର ଷ୍ଟେସନରେ ଅଟକିବ। ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍‌(୦୮୩୦୩/୦୮୩୦୪) ସକାଳ ୬ଟାରେ ସମ୍ବଲପୁର ଓ ଅପରାହ୍ନ ୪ଟା ୫୫‌ରେ ଖୋର୍ଧାରୋଡ ଛାଡ଼ିବ। ଗସ୍ତ ସମୟରେ ଏହି ଟ୍ରେନ୍‌ ସମ୍ବଲପୁର ରୋଡ, ଜୁଜୁମରା, ରେଢାଖୋଲ, ବାମରା, ବଇଣ୍ଡା, ଜରପଡ଼ା, ଅନୁଗୁଳ, ତାଳଚେର ରୋଡ, ‌ମେରାମଣ୍ଡଳି, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ବର, ଭୁବନେଶ୍ବର ଷ୍ଟେସନରେ ରହିବ।

ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ଭାୟା ସମ୍ବଲପୁର-ରାୟଗଡ଼ା ଟ୍ରେନ୍‌(୦୮୪୪୭/୦୮୪୪୮) ସପ୍ତାହକୁ ୩ ଥର ଚାଲିବ। ଜୁନ୍‌ ୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ସୋମବାର, ବୁଧବାର ଓ ଶୁକ୍ରବାର ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ଛାଡ଼ିବ ଏବଂ ଜୁନ୍‌ ୯ରୁ ଜୁନ୍‌ ୩୦ ମଧ୍ୟରେ ମଙ୍ଗଳବାର, ଗୁରୁବାର ଓ ରବିବାର ସନ୍ଧ୍ୟା ୫ଟା ୩୦ରେ କୋରାପୁଟରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ଯାତ୍ରୀମାନେ ସଂରକ୍ଷଣ କାଉଣ୍ଟର ଓ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ରେ ଟିକେଟ୍ କରିପାରିବେ। କେବଳ କନ୍‌ଫର୍ମ ଟିକେଟ୍ ଥିବା ଯାତ୍ରୀ ଟ୍ରେନ୍‌ରେ ଚଢ଼ିପାରିବେ। ଅନ୍ୟ ସ୍ୱତନ୍ତ୍ର ଟ୍ରେନ୍ ଯାହା ନୂଆଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ମୁମ୍ବାଇ, ଭୁବନେଶ୍ୱରରୁ ହାଓଡା ଇତ୍ୟାଦି ସ୍ଥାନକୁ ଚଳାଚଳ କରୁଛି ତାହା ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଜାରି ରହିବ।

ସମ୍ବନ୍ଧିତ ଖବର