କରୋନା ସଂକ୍ରମଣ ନେଇ ପରୀକ୍ଷା ହୋଇଥିବା ୯ଟି ନମୁନା ନେଗେଟିଭ

ଭୁବନେଶ୍ଵର: ଆଜି ଭୁବନେଶ୍ୱରସ୍ଥିତ ଆରଏମଆରସିରେ କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ପରୀକ୍ଷା ହୋଇଥିବା ୯ଟି ନମୁନା ନେଗେଟିଭ ବୋଲି ଜଣାପଡିଛି | ଆଜି ରାଜ୍ୟରେ ପରୀକ୍ଷା ହୋଇଥିବା ସମସ୍ତ ନମୁନା ନେଗେଟିଭ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏଠାରେ ସୂଚନା ଥାଉ କି ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୬ଜଣ କରୋନା ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଠାରୁ ସ୍ୱାବ୍‌ ନମୁନା ସଂଗ୍ରହ କରାଯାଇ କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ୬୨ ଜଣଙ୍କର ପରୀକ୍ଷା ରିପୋର୍ଟ ମିଳି ସାରିଥିବା ବେଳେ ଆଉ ୪ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି। ମିଳିଥିବା ୬୨ ଜଣଙ୍କର ପରୀକ୍ଷା ରିପୋର୍ଟ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି।


ଏ ପରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଛି ବୋଲି ସୁବ୍ରତ ବାଗ୍‌ଚୀ ସୂଚନା ଦେଇଥିଲେ । ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଯାଇଛି । ଶୁକ୍ରବାର ଅପରାହ୍ଣ ୫ଟା ସୁଦ୍ଧା ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୨ ହଜାର ୮୫୧ ଓ ମୃତ୍ୟୁସଂଖ୍ୟା ୧୦,୪୦୫ରେ ପହଞ୍ଚିଛି ।

ଇଟାଲୀ ଏବେ କରୋନା ସଂକ୍ରମଣର କେନ୍ଦ୍ର ରହିଛି । ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୪୧,୦୩୫ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩୪୦୫ରେ ପହଞ୍ଚିଛି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୪୩୬୬ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୨୧୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇରାନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧୯,୬୪୪ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୪୩୩ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର