ରାଜ୍ୟର ସାଢ଼େ ୯୨ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟକାର୍ଡ଼ ମିଳିବ: ସ୍ୱାସ୍ଥ୍ୟମନ୍ତ୍ରୀ

ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ବାର୍ଷିକ ସହାୟତା 

ଝାରସୁଗୁଡ଼ା: ରାଜ୍ୟର ପାଖାପାଖି ୯୨ ଲକ୍ଷ ୫୦ ହଜାର ପରିବାରକୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଆସନ୍ତା ୨୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଲୋକାର୍ପିତ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବା ବେଳେ ରାଜ୍ୟବାସୀଙ୍କ ହିତ ଓ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିର ବିକାଶ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ଏହି ଯୋଜନାରେ ପୁରୁଷ ମାନଙ୍କୁ  ପ୍ରତ୍ୟକ ବର୍ଷ  ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଏଥିରେ ଅନୁବନ୍ଧିତ ସମସ୍ତ ହସପିଟାଲରୁ ଏହି ଚିକିତ୍ସା ସେବା ମିଳିପାରିବ। ଏହି କାର୍ଡ଼ରେ ଏକ ୬୪ କେବି ଚିପ୍‌  ଲାଗିବ। ଏହି କାର୍ଡ଼ ମାଧ୍ୟମରେ ଡେବିଟ୍‌ କାର୍ଡ଼ ଭଳି ସୁବିଧା ମିଳି ପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି। ଏଥିରେ ପରିବାର ସଦସ୍ୟଙ୍କ ନାମ, ଠିକଣା, ଆଧାରକାର୍ଡ଼ ନମ୍ବର, ଲିଙ୍ଗ ତଥା ଅନ୍ୟାନ୍ୟ ତଥ୍ୟ ଓଡ଼ିଆ ଓ ଇଂରାଜୀ ଭାଷାରେ ରହିବା ସହିତ କାର୍ଡ଼ ଦେଖାଇ ଜଣେ ରୋଗୀ ବିଶେଷଜ୍ଞ ଡାକ୍ତରଙ୍କ ଠାରୁ ଚିକିତ୍ସା ସେବା ଗ୍ରହଣ କରି ପାରିବ। ଏହି ଯୋଜନାର ସୁପରିଚାଳନା ପାଇଁ ପ୍ରତି ଜିଲ୍ଲାରେ ଜଣେ ସ୍ୱାସ୍ଥ୍ୟମିତ୍ର ନିଯୁକ୍ତ କରାଯିବାକୁ ଥିବା ବେଳେ ଟୋଲ ଫ୍ରି ନମ୍ବର (୧୦୪)ରେ ଜଣେ ବ୍ୟକ୍ତି ତାର ଚିକିତ୍ସା ସମ୍ବନ୍ଧୀୟ ଓ କାର୍ଡ଼ ସଂପର୍କରେ ଅନୁସନ୍ଧାନ କରି ପାରିବେ। ଏହି କାର୍ଡ଼ ଦ୍ଵାରା ଲୋକଙ୍କୁ ଆଉ କଣ ସୁବିଧା ଯୋଗାଇଦିଆଯାଇ ପାରିବ ସେ ନେଇ ବିଚାର ଆଲୋଚନା ଜାରି ରହିଥିବା ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର