ମାନବିକତା, ଆଇନଗତ ଓ ବାସ୍ତବତା ଦୃଷ୍ଟିକୋଣରୁ ପ୍ରବାସୀମାନଙ୍କୁ ଆଣିବାର ଯଥାର୍ଥତା ରହିଛି : ବାଗ୍‌ଚୀ

ଓଡ଼ିଶାର ୧୨ ଲକ୍ଷ ଲୋକ ବାହାରେ ଅଛନ୍ତି, ବାହାର ରାଜ୍ୟରୁ ୮ ଲକ୍ଷ ୬୦ ହଜାର ପ୍ରବାସୀ ଆମ ରାଜ୍ୟକୁ ଆସିଛନ୍ତି: ବାଗ୍‌ଚୀ

ଭୁବନେଶ୍ୱର: ଗୋଟିଏ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ଯାଇ ଜୀବନ ଜୀବିକା ନିର୍ବାହ କରୁଛନ୍ତି । ବର୍ତ୍ତମାନ ଭାରତରେ ପ୍ରବାସୀଙ୍କ ସଂଖ୍ୟା ୨୦ କୋଟି । ୨୦୧୧ ମସିହାରେ ଏହା ୧୪ କୋଟି ଥିଲା । କିନ୍ତୁ ବିଗତ ୯ ବର୍ଷ ମଧ୍ୟରେ ଲୋକେ ବାହାର ରାଜ୍ୟକୁ ଯିବା ସଂଖ୍ୟା ବଢ଼ିଛି । ଓଡ଼ିଶାର ୧୨ ଲକ୍ଷ ଲୋକ ବାହାର ରାଜ୍ୟରେ ଅଛନ୍ତି । ସେମାନେ ସେଠାରେ ବିଭିନ୍ନ ପ୍ରକାରର କାମ କରୁଛନ୍ତି । ଅପରପକ୍ଷେ ଆମ ରାଜ୍ୟକୁ ବାହାର ରାଜ୍ୟରୁ ଆସି କାମ କରୁଥିବା ଲୋକଙ୍କ ସଂଖ୍ୟା ୮ ଲକ୍ଷ ୬୦ ହଜାର । ଏଭଳି ସ୍ଥଳରେ କାହାକୁ ନିଜ ରାଜ୍ୟକୁ ଫେରିବାକୁ ଆଇନଗତ ଭାବେ ନିଷେଧ କରାଯାଇପାରିବ ନାହିଁ। ସମସ୍ତଙ୍କର ନିଜ ରାଜ୍ୟକୁ ଫେରିବାର ଅଧିକାର ରହିଛି। ଆଜି  ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହା କହିଛନ୍ତି । ଏଥିସହ ଆଗକୁ ମହାସଂକ୍ରମଣ ଆସିବା ପୂର୍ବରୁ ଶ୍ରମିକ ଫେରିଆସିବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ଭାରତର ୧୦୦ଟି ପରିବାର ମଧ୍ୟରୁ ୧୬ଟି ପରିବାର ବାହାରକୁ ଯାଆନ୍ତି । ପ୍ରାୟ ୯୨ ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରିଥାନ୍ତି । ତେବେ କିଛି ଲୋକ ଅଭିଯୋଗ ଆଣୁଛନ୍ତି ଯେ, ବାହାର ରାଜ୍ୟରୁ ପ୍ରବାସୀଙ୍କୁ ଆଣିବାର ନ ଥିଲା । କିନ୍ତୁ ମାନବିକତା, ଆଇନଗତ ଓ ବାସ୍ତବତା ଦୃଷ୍ଟିକୋଣରୁ ପ୍ରବାସୀମାନଙ୍କୁ ଆଣିବାର ଯଥାର୍ଥତା ରହିଛି ।

ଆଇଟି କିମ୍ବା ବ୍ୟାଙ୍କ ସେକ୍ଟରରେ କାମ କରୁଥିବା ଲୋକଙ୍କୁ ଯଦି ଘରେ କାମ କରିବାକୁ କୁହାଯିବ ତାହା ଚଳିବ । କିନ୍ତୁ ୯୨ ପ୍ରତିଶତ ଯେଉଁମାନେ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି, ତାହା ସମ୍ଭବ ନୁହେଁ । ଭାରତ ସରକାର ମାର୍ଚ୍ଚ ୨୫ରୁ ଲକଡାଉନ ଘୋଷଣା କରିଥିଲେ । ଏହି ସମୟ ମଧ୍ୟରେ ଲକଡାଉନରେ ଥିବା ଲୋକେ ଘରକୁ ଆସିପାରିଲେ ନାହିଁ । ଏଥିରେ କେବଳ ଶ୍ରମିକ ନୁହେଁ, ବରଂ ତୀର୍ଥଯାତ୍ରୀ ଓ ଛାତ୍ରମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଛନ୍ତି । କେନ୍ଦ୍ର ସରକାର ଏବେ ବିଦେଶରୁ ଭାରତୀୟଙ୍କୁ ଆଣିବା ପାଇଁ ‘ବନ୍ଦେ ଭାରତ ମିଶନ’ ଆରମ୍ଭ କରିଛନ୍ତି । ସେହିଭଳି ‘ସମୁଦ୍ର ସେତୁ ଅଭିଯାନ’ ମଧ୍ୟ ଆରମ୍ଭ କରିଛନ୍ତି । ଏହି ଅନୁସାରେ ରାଜ୍ୟ ସରକାର ପ୍ରବାସୀମାନଙ୍କୁ ବାହାର ରାଜ୍ୟରୁ ଆଣିବା ଯୁକ୍ତିଯୁକ୍ତ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି ।

ସମ୍ବନ୍ଧିତ ଖବର