ଛତିଶଗଡ଼ ସୀମାନ୍ତ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନୂଆପଡ଼ା : ଛତିଶଗଡ଼ ରାଜ୍ୟ ସୀମାନ୍ତ ଅଞ୍ଚଳରେ ନୂଆପଡ଼ା ବ୍ଲକ୍‌ର ୬ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଛନ୍ତି। ସେମାନଙ୍କୁ (୬ ପଞ୍ଚାୟତବାସୀ) ମୌଳିକ ସୁବଧା ଦିଆଯାଉ ବୋଲି ନୂଆପଡ଼ା ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ୪ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ହେଲା, ଛତିଶଗଡ଼ ସୀମାନ୍ତ ଅଞ୍ଚଳର ମୌଳିକ ସୁବିଧା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ହେଲେ ନୂଆପଡ଼ା ବ୍ଲକ୍‌ ଛତିଶଗଡ଼ ସୀମାନ୍ତ କେନ୍ଦୁବାହାର, ଆମାନାରା, ମୋଟନୂଆପଡ଼ା, ଚୁଲାଭାଟ, ଧରମବନ୍ଧା ଓ ଭରୁଆମୁଣ୍ଡା ଗ୍ରାମବାସୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲା ସଦର ମହକୁମା ଠାରୁ ୨୫ ରୁ ୩୦ କିମି ଦୂରରେ ରହିଥିବାରୁ ଅଭିଭାବକ ମାନେ ନିଜ ପୁଅ ଝିଅଙ୍କୁ ଉଚ୍ଚଶିକ୍ଷା ପାଇଁ ଛାଡ଼ିବାକୁ ଭୟ କରୁଛନ୍ତି। ଆମାନାରାରେ ୧୦୦ ସିଟ୍ ବିଶଷ୍ଟ ଏକ କଲେଜ୍‌ ପାଇଁ ଅଞ୍ଚଳବାସୀ ଗୁହାରି କରୁଛନ୍ତି। ଏହି ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର ନଥିବାରୁ ଶିକ୍ଷାରୁ ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ନ୍ୟାସନାଲ୍‌ ମହାବିଦ୍ୟାଳୟ ଠାରୁ ପତୋରା ସଂଯୋଗ କରୁଥିବା କେନାଲ୍‌ ରାସ୍ତାକୁ ଏକ ପର୍ଯ୍ୟଟନ ସକ୍ଷମ ରାସ୍ତା ରୂପେ ନିର୍ମାଣ କରାଯାଉ। ଉପାନ୍ତ ଅଞ୍ଚଳ ଫରଫୋଜ ଗ୍ରାମ ଠାରୁ ସିରିଗିଡ଼ି, ଆମାନାରା କୁକୁରାତାଲ, ମୋଟା ନୂଆପଡ଼ା, ତୋର୍ଲା ଓ ଧରମବନ୍ଧାକୁ ସଂଯୋଗ କରି ଗୋଧସ ଏବଂ ପତୋରା ପାଇଁ ପର୍ଯ୍ୟଟନ ରାସ୍ତା ନିର୍ମାଣ କରାଯାଉ। ଧରମବନ୍ଧା ଓ ଆମାନାରାରେ ବ୍ୟବସାୟୀ ଦୃଷ୍ଟିରୁ ଏକ ମାର୍କେଟ୍‌ୟାର୍ଡ ଓ ୨ସ୍ଥାନରେ ଏଟିଏମ୍‌ର ସୁବିଧା କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଦାବିପତ୍ର ଦେବା ସମୟରେ ଲୋଚନ ସିଂ ମାଝୀ, ଅତୁଲ ଶର୍ମା, ଲୋକୁ ମାଝୀ, ନୋକ ସିଂ ଶବର, ମୋରଧ୍ବଜ ଠାକୁର, ମୟଙ୍କ ଦୁବେ, କିଶୋର ମାଝୀ, ଦେବୀ ସିଂ ମାଝୀ, ଖିଲେଶ ଦେୱାଙ୍ଗନ, ହେମନ୍ତ ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର