ମନ୍ତ୍ରୀଙ୍କୁ କାର୍ଯ୍ୟାଦେଶ ଫେରାଇବା ଘଟଣା : ଘର ତିଆରି ଅନୁମତି ଦେଲା ପ୍ରଶାସନ

ବିନିକା : ବିନିକା ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ନିଜ ପାଇଥିବା ଜମିରେ ଘର ତିଆରି କରି ନପାରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଫେରାଇ ଦେଇଥିଲେ ହିତାଧିକାରୀ। ଏ ସମ୍ପର୍କରେ ଗତ ୧୦ ତାରିଖ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ତହସିଲଦାର ଅଲେଖ ଘୁଟା ଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକ ଅନ୍ୟ କର୍ମଚାରୀଙ୍କ ସହ ଯାଇ ଜରଜମିନ ତଦନ୍ତ କରିଥିଲେ। ପଟ୍ଟା ପାଇଥିବା ଜମିରେ ‌ହିତାଧିକାରୀମାନେ ଘର ନିର୍ମାଣ କରି‌ପାରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସୂଚନା ଅନୁସାରେ, ପ୍ରାୟ ବର୍ଷେ ତଳେ ମନ୍ତ୍ରୀ ଶ୍ରୀ ବେହେରା ବିନିକାରେ ସରକାରୀ ଯୋଜନାରେ ଗରିବ ଲୋକଙ୍କୁ ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଅବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ପରବର୍ତ୍ତୀ ସମୟରେ ଏନ୍‌ଏସି କର୍ତ୍ତୃପକ୍ଷ ନାନା ବାହାନା କରି ସମ୍ପୃକ୍ତ ଜମିରେ ଘର ତିଆରି ପାଇଁ ବାରଣ କରିଥିଲେ। ଏ ପରିପ୍ରେକ୍ଷୀରେ ଗତ ୯ ତାରିଖରେ ମନ୍ତ୍ରୀ ଶ୍ରୀ ବେହେରା ମିସନ ଶକ୍ତିର ଗୃହ ଉଦ୍‌ଘାଟନ ପାଇଁ ଆସିଥିବା ବେଳେ ହିତାଧିକାରୀମାନେ ଘେରିଯାଇଥିଲେ। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଓ ଏନ୍‌ଏସି ପକ୍ଷରୁ ମିଳିଥିବା ଏଲ୍‌ଆର୍‌ସି ପଟ୍ଟା ଫେରାଇ ଦେଇଥିଲେ। ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ଏହି ଘଟଣା ସେଦିନ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର