ବିଧାୟକମାନଙ୍କ ମତାମତ ଆଧାରରେ ନୂତନ ଥାନା ପ୍ରତିଷ୍ଠା କରାଯାଉ: ବାଚସ୍ପତି

ଭୁବନେଶ୍ବର : ବିଧାୟକ ଓ ବିଧାୟିକାମାନଙ୍କ ମତାମତ ଆଧାରରେ ସରକାର ନୂତନ ଥାନା ଓ ଫାଣ୍ଡି ପ୍ରତିଷ୍ଠା କରନ୍ତୁ। ନୂତନ ଥାନା ପ୍ରତିଷ୍ଠା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ବିଧାନସଭା ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଭୂପିନ୍ଦର ସିଂହ କହିଥିଲେ, ଆସନ୍ତା ଆର୍ଥିକ ବର୍ଷରେ କେତୋଟି ନୂତନ ଥାନା ଓ ଫାଣ୍ଡି ପ୍ରତିଷ୍ଠା ନେଇ ସରକାର ସ୍ଥିର କରିଛନ୍ତି। ଏହାର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ, ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଜନସଂଖ୍ୟା, ଅପରାଧୀକ କାର୍ଯ୍ୟକଳାପ, ଭୌଗଳିକ ସ୍ଥିତି ନେଇ ଅନୁଧ୍ୟାନ ଚାଲିଛି। ଖୁବଶୀଘ୍ର ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେବେ। ତେବେ ମନ୍ତ୍ରୀଙ୍କ କଥା ନସରୁଣୁ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇ କହିଥିଲେ, ୫୦ରୁ ୬୦ ଜଣ ବିଧାୟକ ଓ ବିଧାୟିକା ବିଭିନ୍ନ ଜିଲ୍ଲାରେ ଥାନା ପ୍ରତିଷ୍ଠା କରିବା ନେଇ ତାଙ୍କୁ ଜଣାଇଛନ୍ତି। ଏହି ସମସ୍ତ ବିଧାୟକ ଓ ବିଧାୟିକାଙ୍କ ଜିଲ୍ଲା ଏସ୍‌ପିମାନଙ୍କଠାରୁ ନୂତନ ଥାନା ପ୍ରତିଷ୍ଠା ନେଇ ସରକାର ରିପୋର୍ଟ ମାଗନ୍ତୁ। ଏସ୍‌ପିମାନେ ଦେଇଥିବା ରିପୋର୍ଟକୁ ସମ୍ପୃକ୍ତ ସଦସ୍ୟ ଓ ସଦସ୍ୟାମାନଙ୍କୁ ଜଣାଇଦିଆଯାଉ। ପରେ ସେମାନଙ୍କ ପ୍ରସ୍ତାବ ଆଧାରରେ ନୂତନ ଥାନା ପ୍ରତିଷ୍ଠା ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ଶ୍ରୀ ପାତ୍ର କହିଥିଲେ।

ସମ୍ବନ୍ଧିତ ଖବର