ନାବାଳିକା ମୃତ୍ୟୁ ଘଟଣାର ନୂଆ ମୋଡ଼ : ଗୁପ୍ତଧନ ପାଇଁ ଝିଅକୁ ବଳି ଅଭିଯୋଗ

ପଟ୍ଟାଙ୍ଗି : ପଟାଙ୍ଗି ଥାନା କୋଟିଆ ପଞ୍ଚାୟତ ଅନ୍ତର୍ଗତ ଟାଉପଦର ଗ୍ରାମର ନାବାଳିକା ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଗ୍ରାମର ବାଙ୍ଗୁରୁ ପାଙ୍ଗି ଝିଅକୁ ଚାପୁଡ଼ା ମାରିବାରୁ ସେ ପ୍ରାଣ ହରାଇଥିବା ଏବଂ ପରେ ମାଟି ଖୋଳି ଶବକୁ ପୋତି ଦେଇଥିବା କହିଥିବା ବେଳେ ଗ୍ରାମବାସୀ କିନ୍ତୁ ଏହାକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି। ଗୁପ୍ତ ଧନ ପାଇବା ଆଶାରେ ବାଙ୍ଗୁରୁ ଝିଅକୁ ବଳି ଦେଇ ମାଟି ତଳେ ପୋତିଦେଇଥିବା ଗ୍ରାମବାସୀ ପଟାଙ୍ଗି ଥାନାରେ ସାଂଘାତିକ ଅଭିଯୋଗ କରିଛନ୍ତି। ଏଭଳିକି ଗ୍ରାମବାସୀ ଜଣେ ବ୍ୟକ୍ତିଙ୍କୁ ଗୁଣିଆ ଦର୍ଶାଇ ପୁଲିସ ନିକଟରେ ଜିମା ଦେଇଛନ୍ତି ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଗତ ୨୪ ତାରିଖ ଦିନ ଗ୍ରାମର ବାଙ୍ଗୁରୁ ପାଙ୍ଗି ନାବାଳିକା ଝିଅ ନିଶାରାଣୀ ନିଖୋଜ ହୋଇଥିବା ନେଇ ପଟାଙ୍ଗି ଥାନାରେ ଜଣାଇଥିଲେ। ପୁଲିସ ଜେରା ବେଳେ କଥାରେ ତାଳମେଳ ନ ରହିବାରୁ ସନ୍ଦେହରେ ବାଙ୍ଗୁରୁକୁ ଅଟକାଇ ପଚରାଉଚରା କରିବା ପରେ ସେ ନିଜେ ହିଁ ଝିଅକୁ ହତ୍ୟା କରି ଜଙ୍ଗଲରେ ପୋତିଦେଇଥିବା ସ୍ବୀକାର କରିଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବାପା ବାଙ୍ଗୁରୁ ସହ ତାଙ୍କୁ ସହଯୋଗ କରିଥିବା ସହଯୋଗୀ ଶ୍ୟାମସୁନ୍ଦର ବିଶ୍ବାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତ ବେଳେ ଝିଅ ପାଠ ପଢ଼ୁନଥିବା ଯୋଗୁଁ ଏକ ଚାପୁଡ଼ା ମାରିବା ପରେ ସେ ଅଚେତ ହୋଇଯାଇଥିଲା ଏବଂ ମୃତ୍ୟୁ ହେବା ପରେ ସହଯୋଗୀ ଶ୍ୟାମସୁନ୍ଦରଙ୍କୁ ନେଇ ମାଟିଖୋଳି ପୋତି ଦେଇଥିବା ପୁଲିସ ନିକଟରେ ସ୍ବୀକାର କରିଥିଲା ବାଙ୍ଗୁରୁ । ତେବେ ବାଙ୍ଗୁରୁ ଝିଅର ନିଖୋଜ ସଂପର୍କରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା, ନିଜ ସଂପର୍କୀୟଙ୍କ ଘରକୁ ଯାଇ ଖୋଜାଖୋଜି କରିବା କେବଳ ନାଟକ ଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗୁପ୍ତଧନ ପାଇବା ଆଶାରେ ସେ ଝିଅକୁ ବଳି ଦେଇଥିବା ଗ୍ରାମବାସୀ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବା ସହ ଝଡ଼ାଫୁଙ୍କା କରୁଥିବା ଜଣେ ବ୍ୟକ୍ତିଙ୍କ ସଂପୃକ୍ତିକୁ ସନ୍ଦେହ କରି ପୁଲିସ ନିକଟରେ ଜିମା ଦେଇଛନ୍ତି ।

ସମ୍ବନ୍ଧିତ ଖବର