ହାଇକୋର୍ଟରେ ଅଭିଜିତ୍‌ ଆୟାର ମିତ୍ର: ଜାମିନ୍ ପାଇଁ ଆବେଦନ

କଟକ : ଓଡ଼ିଶାର କଳା ସ˚ସ୍କୃତି ସ˚ପର୍କରେ ଅଋଚିକର ମନ୍ତବ୍ୟ ଦେଇ ଜେଲରେ ଥିବା ଅଭିଜିତ ଆୟାର ମିତ୍ର ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ହାଇକୋର୍ଟରେ ଦୁଇଟି ପୃଥକ ଜାମିନ ଆବେଦନ ଦାୟର କରିଛନ୍ତି। ଭୁବନେଶ୍ବର ଏସଡିଜିଏମ୍‌ ଅଦାଲତରେ ବିଚାରାଧୀନ ମାମଲା ସହିତ କୋଣାର୍କ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ଲୋଡି ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ଦୌରା ଅଦାଲତଙ୍କ ଜାମିନ ଖାରଜ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସେ ଏହି ଆବେଦନ ଦାୟର କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କୋଣାର୍କ ମନ୍ଦିର ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସ˚ପର୍କରେ ସୋସିଆଲ୍‌ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇ ଅଭିଜିତ ଚର୍ଚ୍ଚାକୁ ଆସିଥିଲେ। ଓଡ଼ିଶାର କଳା ସ˚ସ୍କୃତି ଓ ଓଡ଼ିଆଙ୍କ ସ୍ବାଭିମାନକୁ ଆଘାତ ଦେବା ଭଳି ସେ କେତେକ ମନ୍ତବ୍ୟ ରଖିଥିଲେ। ବିଧାୟକ ଓ ଗଣମାଧୢମ ପ୍ରତିନିଧିଙ୍କ ବିରୁଦ୍ଧରେ ଅଶାଳୀନ ଟିପ୍ପଣୀ ଦେଇଥିବା ଅଭିଜିତ ଗୃହ କମିଟି ନିକଟରେ ହାଜର ହୋଇ ନିଃସର୍ତ କ୍ଷମା ପ୍ରର୍ଥନା କରିଥିଲେ। ଏହା ପରେ ବିଧାନସଭା ତାଙ୍କୁ କ୍ଷମା କରିଥିବା ବେଳେ ଭୁବନେଶ୍ବର ଓ କୋଣାର୍କରେ ଥିବା ଅପରାଧିକ ମାମଲା ପାଇଁ ଏବେ ଅଭିଜିତ ଜେଲରେ ଅଛନ୍ତି।

ସମ୍ବନ୍ଧିତ ଖବର