ରାଜନେତାଙ୍କ ବିରୋଧରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପ୍ରସଂଗ : ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ସଂକ୍ରାନ୍ତରେ ସରକାର ରଖିବେ ପକ୍ଷ

କଟକ : ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡିକର ତ୍ବରିତ ଶୁଣାଣି ସଂପର୍କିତ ମାମଲାରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ଓ ଏଥିଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସଂଗରେ ପକ୍ଷ ରଖିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ସହିତ କର୍ମଚାରୀ ଓ ଭିତ୍ତିଭୂମି ସଂପର୍କରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସରକାର ବିସ୍ତୃତ ଭାବେ ଅବଗତ କରିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୬ ତାରିଖରେ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ବରିତ ଶୁଣାଣି କରି ଫଇସଲା କରିବା ସହ ଏଥିପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିଜଆଡୁ ହାଇକୋର୍ଟ ଏହି ମାମଲା ରୁଜୁ କରିଥିଲେ। ମାମଲାରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ପୁଲିସ ଡିଜି, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର