କେଶିଆ ହତ୍ୟାକାଣ୍ଡର ଅଭିଯୁକ୍ତ ଟନିର ମୃତ୍ୟୁ : ମୃତ୍ୟୁର କାରଣକୁ ନେଇ ସନ୍ଦେହ, ମା’ ଆଣିଲେ ହତ୍ୟା ଅଭିଯୋଗ

ସଜ୍ଜା କାଟୁଥିଲା ଚୌଦ୍ୱାର ଜେଲରେ

ଚୌଦ୍ୱାର : କଟକର ବହୁ ଚର୍ଚ୍ଚିତ ଶେଖ ବଜାର କେଶବ ବେହେରା (କେଶିଆ) ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସୁଭ୍ରାଂଶୁ କୁମାର ଦାସ (୩୫) ଓରଫ ଟନିର ଆଜି ମୃତ୍ୟୁ ଘଟିଛି। ଏହି ହତ୍ୟାକାଣ୍ଡ‌ରେ ଟନି ଓ ତା’ର ଭାଇ ସୁଧାଂଶୁ ଦାସ ଓରଫ ଜନି ସଜ୍ଜା କାଟୁଥିବା ବେଳେ ଟନିର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜେଲ ଅଧୀକ୍ଷକ ରବୀନ୍ଦ୍ରନାଥ ସ୍ବାଇଁ କହିବା ଅନୁଯାୟୀ ଆଜି ଦିନ ପ୍ରାୟ ସାଢେ ଦୁଇଟା ବେଳେ ଟୋନି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲ ପଠାଇ ଦିଆଯାଇଥିଲା। ସେଠାରେ ତା’ର ମୃତ୍ୟୁ ଘଟିଛି। ଅନ୍ୟପଟେ ଟନିର ଦାଢି କଟା ଯିବା ଘଟଣାକୁ ନେଇ ଯେଉଁ ଆଲୋଚନା ହେଉଛି ତାକୁ ଶ୍ରୀ ସ୍ବାଇଁ ସ୍ବୀକାର କରିଛନ୍ତି। ଜେଲର ହେମନ୍ତ ସେଠୀ କହିଛନ୍ତି ଯେ ଟନି ଛାତିରେ ଯନ୍ତ୍ରଣା ହେବା ପରେ ଜେଲ୍‌ରେ ତାର ପ୍ରଥମେ ଚିକିତ୍ସା କରାଯାଇଥିଲା। କିନ୍ତୁ ପରେ ତାକୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଜେଲକୁ ଯାଇ ଘଟଣାର ତଦନ୍ତ କରିବା ସହ ଏକ ଅପମୃତ୍ୟୁ (ନଂ ୬/୧୯) ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। କିନ୍ତୁ ଟନିର ମା’ କଳ୍ପନା ଦାସ ଆଜି ରାତିରେ ଚୌଦ୍ବାର ଥାନାରେ ପହଞ୍ଚି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି। କଳ୍ପନା ଉଲ୍ଲେଖ କରିଛନ୍ତି ଯେ ସେ ଗତକାଲି ଜେଲକୁ ଆସି ତାଙ୍କ ପୁଅ ଟନିକୁ ଭେଟିଥିଲେ। ସେ ସମୟରେ ଟନି ତା’ର ଜୀବନ ପ୍ରତି ବିପଦ ଥିଲା ବୋଲି କହିଥିଲା। ଜେଲ କର୍ତ୍ତୃପକ୍ଷଙ୍କ ସହିତ ଟନିର ଗଣ୍ଡଗୋଳ ହୋଇଛି। ଜେଲର ଅନ୍ୟ କଏଦୀଙ୍କ ସହ ମିଶି ସେମାନେ ତାକୁ ମାରି ଦେବେ ବୋଲି ଟନି ତାଙ୍କୁ କହିଥିଲା। ଜେଲରେ ତାକୁ ନିର୍ଯାତନା ସଂପର୍କରେ ମଧ୍ୟ ଟନି କହିଥିଲା ବୋଲି କଳ୍ପନା ଲିଖିତ ଅଭିଯୋଗ କରିଛନ୍ତି। ଚୌଦ୍ବାର ଥାନା ପୁଲିସ ଅଭିଯୋଗକୁ ଗ୍ରହଣ କରି ଏ ସଂପର୍କରେ ଖୋଳତାଡ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ ୨୦୧୩ରୁ ଟନି ଗିରଫ ହୋଇ ଜେଲରେ ଅଛି। ଦୁଇ ଦିନ ତଳେ କଟକର ଅନ୍ୟ ଏକ ଗୋଷ୍ଠୀଙ୍କ ସହିତ ସେମମାନଙ୍କ ମୁହାଁମୁହିଁ ହେବା ସହ ଆଜି ୩ ନଂ ବ୍ଲକ୍ ସାମ୍ନାରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା କୁହାଯାଉଛି। ଟନି ମାନସିକ କରି ଦାଢ଼ି ରଖିଥିବା ବେଳେ ବଳପୂର୍ବକ ତା’ର ଦାଢି କାଟି ଦିଆଯିବା ସହ ତାକୁ ଲଣ୍ଡା କରି ଦିଆଯାଇଥିଲା। ଏଭଳି ସ୍ଥିତିରେ ଟନି ମାନସିକ ଭାରସାମ୍ୟ ହରାଇ ନିଶା ବଟିକା ଖାଇ ଦେଇଥିବା କୁହାଯାଉଛି। କିନ୍ତୁ ଏଭଳି ଘଟଣା ସଂପର୍କରେ ଜେଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି। ଶବ ବ୍ୟବଚ୍ଛେଦ ପରେ ଟନି ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି କୁହାଯାଉଛି। କିନ୍ତୁ ଟନିର ଦାଢି କଟାଯିବା ଘଟଣାକୁ କର୍ତ୍ତୃପକ୍ଷ ସ୍ବୀକାର କରୁଥିବାରୁ ଟନି ଓ ତାର ବିରୋଧୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ସତ୍ୟତା ଥାଇ ପାରେ ବୋଲି ଆକଳନ କରାଯାଉଛି। ଟନି ଓ ତାର ଭାଇ ଜନି ଜେଲରେ ରହୁଥିବାରୁ ଏ ସଂପର୍କରେ ଜୋନି ଏବଂ ଅନ୍ୟମାନଙ୍କୁ ଜେରା ଦ୍ବାରା ସତ ସାମନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର