ପୁଲିସ ପଞ୍ଝାରେ ନକଲି ଆଧାର ରାକେଟ୍‌; ମେସିନାରୀ ଜବତ, ୩ ଗିରଫ

୨ ହଜାର ଟଙ୍କା ନେଇ କମାଇ ଦେଉଥିଲେ ବୟସ

ବାଲେଶ୍ବର: ସାରା ରାଜ୍ୟରେ ବିଭିନ୍ନ ପ୍ରକାର ନକଲି କାରବାର ଉପରେ ଏବେ ପୁଲିସର ଧରପଗଡ଼ ଚାଲିଥିବା ବେଳେ ବାଲେଶ୍ବର ଜିଲ୍ଲା ସେଥିରେ ଆଗରେ ରହିଛି। ନକଲି ପେଟ୍ରୋଲ-ଡିଜେଲ, ନକଲି ମଦ, ନକଲି ଔଷଧ, ନକଲି ସାର୍ଟିଫିକେଟ୍‌, ନକଲି ଚାକିରି ଆଦି ରାକେଟ୍‌ର ପର୍ଦ୍ଦାଫାଶ କରାଯିବା ପରେ ଏବେ ନକଲି ଆଧାରକାର୍ଡ ପ୍ରସ୍ତୁତ କରୁଥିବା ଏକ ରାକେଟ୍‌କୁ ଧରିଛି ପୁଲିସ। ଆଜି ଏହି ରାକେଟ୍‌ରେ ସାମିଲ ହୋଇଥିବା ଏକ ଜନସେବା କେନ୍ଦ୍ରରେ ପୁଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେଠାରୁ ଅନେକ ନକଲି ଆଧାରଫର୍ମ, ଆଧାରକାର୍ଡ, କ୍ୟୁଆର କୋଡ୍‌, ଲାପଟପ୍‌, ଲାମିନେସନ୍‌ ମେସିନ୍‌, ପ୍ରିଣ୍ଟର, ବା‌ୟୋମେଟ୍ରିକ୍‌ ମେସିନ୍‌ ଆଦି ସରଞ୍ଜାମ ଜବତ କରାଯାଇଛି। ଗିରଫ ୩ ଜଣଙ୍କ ମଧ୍ୟରେ ୨ ଜଣ ଯୁବତୀ ଏବଂ ଜଣେ ଯୁବକ ଅଛନ୍ତି। ସେମାନେ ହେଲେ ସ୍ଥାନୀୟ ଟାଉନ ଥାନା ଅଧୀନ ଆକତପୁର ଅଞ୍ଚଳର ଅବ୍ଦୁଲ ସବିର ଖାନ୍‌(୨୩) ଓ ରିଫତ୍‌ ଅମୀରା ଫିରଦୋସ୍‌(୨୫) ଏବଂ ସୁନହଟ୍‌ ରାଜଉଲ୍ଲା ଲେନ୍‌ର ଅନ୍ନୁ କାଦ୍ରୀ(୨୦)।

ମିଳିଥିବା ସୂଚନା ମୁତାବକ, ବାଲେଶ୍ବର ସହର କଚେରୀ ହତାରେ ଦୀର୍ଘଦିନ ହେଲା ଏକ ଜନସେବା କେନ୍ଦ୍ର ଖୋଲି ଏମାନେ ଆଧାରକାର୍ଡ, ପାନ୍‌ କାର୍ଡ, ଭୋଟର ପରିଚୟ ପତ୍ର, ବ୍ୟାଙ୍କ ଓ ବିଭିନ୍ନ ପ୍ରକାର ସରକାରୀ ସେବା ଯୋଗାଇ ଦେବା ସହ ନିଯୁକ୍ତି ଫର୍ମ ବିକ୍ରି କରିଆସୁଥିଲେ। ତେବେ ଏଠାରେ ନକଲି ଆଧାର କାର୍ଡ ବନାଯାଉଥିବା ସହଦେବଖୁଣ୍ଟା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। କଚେରୀକୁ ଚାକିରି କରିବାକୁ କିମ୍ବା ସ୍କୁଲ କଲେଜରେ ନାମ ଲେଖାଇବା ପାଇଁ ବିଭିନ୍ନ କାଗଜପତ୍ର ବନାଇବାକୁ ଆସୁଥିବା ଲୋକଙ୍କୁ ଭେଟି ଏମାନେ ନିଜ ଜନସେବା କେନ୍ଦ୍ରକୁ ଡାକୁଥିଲେ। ସେଠାରେ ଆଧାର ପରିଚୟ ପତ୍ରରେ ବୟସ କମାଇ ଦେଲେ ତା’ର ଫାଇଦା କ’ଣ କ’ଣ ମିଳିବ ସେନେଇ କୁହାଯିବା ସହ ସେ ବାବଦରେ ୨ ହଜାର ଟଙ୍କା ଅସୁଲ କରାଯାଉଥିଲା। ଆଧାରକାର୍ଡରେ ବୟସ କମାଇବାକୁ ଇଚ୍ଛା ପ୍ରକାଶ କରୁଥିବା ପ୍ରତ୍ୟେକ ଯୁବକଯୁବତୀ କିମ୍ବା ଛାତ୍ରଛାତ୍ରୀଙ୍କ ଠାରୁ ୨ ହଜାର ଟଙ୍କା ଲେଖାଏଁ ଆଦାୟ କରି ସେମାନଙ୍କୁ ନକଲି ଆଧାର କାର୍ଡ ପ୍ରସ୍ତୁତ କରି ଏମାନେ ଦେଉଥିଲେ।

ସହଦେବଖୁଣ୍ଟା ଥାନାରେ ଏହି ଅଭିଯୋଗ ପହଞ୍ଚିବା ପରେ ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ାଉ କରି ଜନସେବା କେନ୍ଦ୍ର ଚଳାଉଥିବା ଅବ୍ଦୁଲ ସବିର ଖାନ୍‌, ରିଫତ୍‌ ଅମୀରା ଫିରଦୋସ୍‌, ଏବଂ ଅନ୍ନୁ କାଦ୍ରୀଙ୍କୁ ଗିରଫ କରିବା ସହ ସେଠାରେ ଥିବା ସମସ୍ତ ଜିନିଷପତ୍ର ଓ ମେସିନାରୀ ଜବତ କରିଥିଲେ। ଏନେଇ ୧୮୩/୨୦୨୩ରେ ମାମଲା ରୁଜୁ କରାଯାଇ ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ଏହି ଘଟଣା ସାମ୍‌ନାକୁ ଆସିବା ପରେ ସହରର ବିଭିନ୍ନ ଜନସେବା କେନ୍ଦ୍ର ଏବେ ସନ୍ଦେହଘେରକୁ ଆସିଛି। ଯେଉଁମାନେ ଜନସେବା କେନ୍ଦ୍ର ଖୋଲିଛନ୍ତି ବା ଖୋଲିବା ପାଇଁ ଆବେଦନ କରିଛନ୍ତି ସେମାନଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ ନକରି ଅନୁମତି ପ୍ରଦାନ କରାଯାଉଥିବାରୁ ବିଭିନ୍ନ ପ୍ରକାର ରାକେଟ୍‌ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ସାଧିତ କରିବାରେ ସଫଳ ହେଉଛନ୍ତି। ଆଧାରକାର୍ଡ ଏବେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଜରୁରୀ ପ୍ରମାଣପତ୍ର ହୋଇଥିବା ବେଳେ ସେଥିରେ ନକଲି କରାଯିବା ଅତ୍ୟନ୍ତ ଚିନ୍ତାର ବିଷୟ। ଏହା ଉପରେ ପୁଲିସ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସହରର ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର