ଯୁକ୍ତ ୨ ପରୀକ୍ଷା ଆଡମିଟ କାର୍ଡରୁ ବଂଚିତ ଛାତ୍ରୀଙ୍କ ଏନଏଚ ଅବରୋଧ

ସୋହେଲା ଜୁନିୟର ମହିଳା କଲେଜ

ସୋହେଲା : ସୋହେଲା ହଲଦିପାଲିସ୍ଥିତ ସୋହେଲା ଜୁନିୟର ମହିଳା କଲେଜରେ ଶେଷ ବର୍ଷରେ ଅଧ୍ୟୟନରତ ୧୦୨ ଜଣ ଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେବା ପାଇଁ ଆଡମିଟ କାର୍ଡ ନପାଇବାରୁ ସୋମବାର ଅପରାହ୍ନରେ କଲେଜ ସମ୍ମୁଖସ୍ଥ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। କଲେଜରେ ପୂର୍ବରୁ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବାରେ ଅବ୍ୟବସ୍ଥା ଅଭିଯୋଗ ହୋଇଛି। ଆସନ୍ତା ବୁଧବାର ଦିନ ଠାରୁ ଯୁକ୍ତ ୨ କଳା ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏହି କଲେଜର ଛାତ୍ରୀଙ୍କୁ ଆଜି ପଯ୍ୟର୍ନ୍ତ ଆଡମିଟ କାର୍ଡ ଦିଆଯାଇନାହିଁ। ଏ ସଂପର୍କରେ ଅଧ୍ୟକ୍ଷ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ।

ସୋମବାର ଅଭିଭାବକଙ୍କ ସହ ଛାତ୍ରୀମାନେ କଲେଜକୁ ଆସି ଆଡମିଟ କାର୍ଡ ମାଗିବାରୁ ଅଧ୍ୟକ୍ଷ ସେମାନଙ୍କୁ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଛାତ୍ରୀ ଓ ଅଭିଭାବକମାନେ ସୋହେଲା ଥାନାକୁ ଆସି ଅଭିଯୋଗ କରିଥିଲେ। ସୋହେଲା ଆଇଆଇସି ରାଜେନ୍ଦ୍ର ସିଅଳ କଲେଜ କର୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ କାହାରି ପତ୍ତା ମିଳି ନଥିଲା। ଆଇଆଇସି ଉପରିସ୍ଥ ଅଧିକାରୀ ତଥା ଶିକ୍ଷା ବିଭାଗର ଅଧିକାରୀଙ୍କୁ ଅବଗତ କରିଥିଲେ। ଶିକ୍ଷା ବିଭାଗର ଅଧିକାରୀମାନେ ଏହି କଲେଜର କୌଣସି ଛାତ୍ରୀଙ୍କ ଫର୍ମ ତଥା ଫି’ ପାଇ ନଥିବା ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଏହି କଲେଜରେ ନାମ ଲେଖାଇବା ପାଇଁ ପ୍ରତ୍ୟେକ ଛାତ୍ରୀଙ୍କ ଠାରୁ ଫି’ ବାହାରେ ୩୦ରୁ ୪୦ ହଜାର ଟଙ୍କା ଲେଖାଏଁ ଡୋନେସନ ଆଦାୟ କରାଯାଇଥିବା ପ୍ରତ୍ୟେକ ମାସରେ ୨୫୦ ଟଙ୍କା ଟ୍ୟୁସନ ଫି’ ଗତ ଡିସେମ୍ବର ମାସରେ ରିଆଡମିସନ ନାମରେ ୩୫ ଶହ ଟଙ୍କା ଓ ଯୁକ୍ତ ୨ ପରୀକ୍ଷା ଫର୍ମ ଫିଲଅପ ନାଁରେ ୧୫ ଶହ ଟଙ୍କା ଲେଖାଏଁ କଲେଜ କର୍ତୃପକ୍ଷ ଆଦାୟ କରିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଆନ୍ଦୋଳନରତ ଛାତ୍ରୀ ତଥା ଅଭିଭାବକଙ୍କୁ ପୁଲିସ ବୁଝାସୁଝା କରିଥିଲା। ପଦ୍ମପୁର ଏସଡିପିଓ କ୍ଷୀରସାଗର ନାଏକ, ବରଗଡରୁ ଆଡିସନାଲ ଏସପି ଯଶୋବନ୍ତ ସେନାପତି ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ। ୭ ଦିନ ଭିତରେ କଲେଜର ଅଧ୍ୟକ୍ଷ ଓ ପରିଚାଳନା କମିଟିର ସଭ୍ୟମାନଙ୍କ ସହିତ ଏହି ବିଷୟରେ ଆଲୋଚନା କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ ଏବଂ ଛାତ୍ରୀମାନେ ପରବର୍ତୀ ପରୀକ୍ଷାରେ ଅବତୀର୍ଣ୍ଣ ହେବା ପାଇଁ ସୁଯୋଗ ଦିଆଯିବ ସେଥିପାଇଁ କୌଣସି ଫି’ ନିଆଯିବ ନାହିଁ ବୋଲି ଆଡିସନାଲ ଏସପି ଶ୍ରୀ ସେନାପତି ତଥା ଆଡିସନାଲ ତହସିଲଦାର ବିଶ୍ୱଜିତ କର ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ରାସ୍ତା ଅବରୋଧକୁ ହଟାଇଥିଲେ।

ସମ୍ବନ୍ଧିତ ଖବର