ଉଦାହରଣ ସୃଷ୍ଟି କଲେ ଏଡିଏମ୍‌ଓ ଡ.ଅଶୋକ ଦାସ : ଘରେ ଥିଲା ମାଙ୍କ ମରଶରୀର, ଡ୍ୟୁଟି କରୁଥିଲେ ଡାକ୍ତର

ସମ୍ବଲପୁର : ଘରେ ଥିଲା ମା’ଙ୍କ ମୃତ ଦେହ। ଏଣେ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରୁଥିଲେ ସମ୍ବଲପୁର ଏଡିଏମ୍‌ଓ ଡ.ଅଶୋକ ଦାସ। ଆଇଏଏସ ନିକୁଂଜ ବିହାରୀ ଧଳଙ୍କ ପରେ ସମ୍ବଲପୁର ଏଡିଏମଓ ମଧ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ମଙ୍ଗଳବାର ସକାଳ ୯.୪୫ ମିନିଟରେ ମା’ ପଦ୍ମିନୀ(୮୦)ଙ୍କ ମୃତ୍ୟୁ ଡ.ଦାସଙ୍କ ପାଇଁ ଶକ୍ତ ଧକ୍କା ଥିଲା। ଏହା ସତ୍ତ୍ବେ ସେ ଦୁଃଖରେ ଭାଙ୍ଗି ନ ପଡ଼ି ସେ କର୍ତ୍ତବ୍ୟ କରିଥିଲେ।

ବର୍ତ୍ତମାନ କରୋନା ଭଳି ମହାମାରୀ ବିଶ୍ବକୁ କବଳିତ କରିଛି। ଓଡ଼ିଶାକୁ ଏହା କିଭଳି କବଳିତ ନକରୁ ଏଥିପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅଛନ୍ତି ଡ.ଅଶୋକ ଦାସ। କୌଣସି ବ୍ୟକ୍ତିଙ୍କଠାରେ କରୋନା ଆଶଙ୍କା ଥିଲେ, ତାଙ୍କର ପରୀକ୍ଷା ଦାୟିତ୍ବ ତାଙ୍କୁ ଦିଆଯାଇଛି। ଏହା ସହିତ ପ୍ରତିଦିନ କରୋନା ମୁକାବିଲା ପାଇଁ ସଚେତନା ସୃଷ୍ଟି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାଙ୍କ ମୃତ୍ୟୁର ୧ ଘଣ୍ଟା ପରେ ପୂର୍ବାହ୍ନ ୧୧ଟାରେ ସିଏସଓ କାର୍ଯ୍ୟାଳୟରେ ଆୟୋଜିତ ଚାଷୀ ସଚେତନତା ବୈଠକରେ ସେ ଉପସ୍ଥିତ ଥିଲେ। ଏହାପରେ ମଧ୍ୟାହ୍ନ ୧୨.୩୦ରେ ପୂର୍ତ୍ତ ବିଭାଗରେ ଆୟୋଜିତ ବୈଠକରେ ଠିକାଦାର ଏବଂ ଶ୍ରମିକମାନଙ୍କୁ ସଚେତନ କରିଥିଲେ। ପୁଣି ଜରୁରୀ କାମ ଡାକ୍ତରଖାନା ଯାଇଥିଲେ। ୨ଟାରେ ଘରକୁ ଯିବା ପରେ ସେତେବେଳ ପର୍ଯ୍ୟନ୍ତ ସମସ୍ତ ସମ୍ପର୍କୀୟ ପହଞ୍ଚି ସାରିଥିଲେ। ଅପରାହ୍ନରେ ରାଜଘାଟରେ ମା’ଙ୍କ ଶେଷ ଦର୍ଶନ କରିବା ସହ ଅନ୍ତିମ ସଂସ୍କାର କରିଥିଲେ। ଏହା ସମୟରେ ମଧ୍ୟ ସେ ଫୋନ ଜରିଆରେ ଯୋଗାଯୋଗ ଜାରି ରଖିଥିଲେ। ୨୪ ଘଣ୍ଟା ପରେ ବୁଧବାର ସ୍ବାଭାବିକ ଦିନ ଭଳି କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର