ଏସ୍‌ସିବିରେ ଏଇଆର୍‌ବି ଚଢ଼ଉ : ବିନା ଲାଇସେନ୍ସରେ ଚାଲିଥିଲା ଏକ୍ସରେ

୧୧ ମେସିନ୍‌ ସିଲ୍‌, ୧୦କୁ ନୋଟିସ୍‌

କଟକ : କଟକ ବଡ଼ମେଡିକାଲ୍‌ରେ ଆଜି ପ୍ରଥମ ଥର ପାଇଁ ଚଢ଼ଉ କରିଛି ଏଟୋମିକ ଏନର୍ଜି ରେଗୁଲେଟୋରୀ ବୋର୍ଡ(ଏଇଆର୍‌ବି) । ବିନା ଲାଇସେନ୍ସରେ ବିପଜ୍ଜନକ ଭାବେ ଏକ୍ସରେ ମେସିନ୍‌ ବ୍ୟବହାର କରୁଥିବା ଅଭିଯୋଗରେ ୯ଟି ଏକ୍ସରେ ମେସିନ୍‌ ସମ୍ପୂର୍ଣ୍ଣ ଭାବେ ବୋର୍ଡ ପକ୍ଷରୁ ସିଲ୍‌ କରିଦିଆଯାଇଛି। ସେହିପରି ୫ଟି ମେସିନ୍‌ ପାଇଁ ନୋଟିସ୍‌ ଜାରି କରାଯାଇଛି । ଅନ୍ୟପଟେ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରେ ଦୁଇଟି ମେସିନ୍‌ ସିଲ୍‌ ହୋଇଥିବା ବେଳେ ୫ଟି ମେସିନ୍‌କୁ ନୋଟିସ୍‌ ଜାରି କରାଯାଇଥିବା ସୂଚନା ମିଳିଛି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଏଇଆର୍‌ବି ପକ୍ଷରୁ ଦେଶର ସମସ୍ତ ଚିକିତ୍ସା ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ଏକ୍ସରେ ମେସିନ୍‌ ପାଇଁ ଲାଇସେନ୍ସ ନେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ବିଭିନ୍ନ ରାଜ୍ୟରେ ଏଇଆର୍‌ବିର ବିନା ଲାଇସେନ୍ସରେ ନିୟମ ଖିଲାପ କରାଯାଇ ନିଜ ମର୍ଜ୍ଜିରେ ଏକ୍ସରେ କେନ୍ଦ୍ର ପରିଚାଳିତ କରାଯାଉଥିଲା । ଯଦ୍ୱାରା ରୋଗୀ, ସମ୍ପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ସାଧାରଣ ଲୋକଙ୍କ ଉପରେ ରଞ୍ଜନ ରଶ୍ମୀର କୁପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ସୃଷ୍ଟି ହୋଇଥିଲା। ଏ ପ୍ରକାର ସ୍ଥିତରେ ଆଜି ଦିନ ପ୍ରାୟ ୧୨ଟା ବେଳେ ତିନି ଜଣିଆ ଟିମ୍‌ କଟକ ବଡ଼ ମେଡିକାଲ୍‌ର ଦନ୍ତ ମହାବିଦ୍ୟାଳୟ ଓ ହସ୍‌ପିଟାଲ୍‌ରେ ଚଢ଼ଉ କରିଥିଲା। ସେଠି ଅଢ଼େଇ ବର୍ଷ ହେବ ବିନା ଲାଇସେନ୍ସରେ ଚାଲୁଥିବା ୩ଟି ଡେଣ୍ଟାଲ୍‌ ଏକ୍ସରେ ମେସିନ୍‌ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରାଯାଇଥିଲା। ଅନ୍ୟ ୩ଟି ମେସିନ୍‌ ଲାଇସେନ୍ସ ନେଇଥିବା ବେଳେ ଅନ୍ୟାନ୍ୟ ନିର୍ଦ୍ଦେଶନାମା ପାଳନ ହୋଇନଥିବାରୁ ତାହାକୁ ନୋଟିସ୍‌ ଜାରି କରାଯାଇଛି । ୩୦ ଦିନ ମଧ୍ୟରେ ଅନ୍ୟାନ୍ୟ ନିୟମ ପାଳନ କରାନଗଲେ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯିବ ।

ଏହାପରେ ଏସ୍‌ସିବିର ରେଡିଓଲୋଜି ବିଭାଗ ଏବଂ କାର୍ଡ଼ିଓଲୋଜି ବିଭାଗରେ ୬ଟି ଏକ୍ସରେ ମେସିନ୍‌ ସିଲ୍‌ କରାଯାଇଥିବା ବେଳେ ଦୁଇଟିକୁ ନୋଟିସ୍‌ ଜାରି କରାଯାଇଛି । ମେଡିକାଲ୍‌ରେ ଚଢ଼ଉ ପରେ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ନଜର ପକାଇଥିଲା ଏଇଆର୍‌ବି । ପ୍ରଥମେ ରାଣୀହାଟ ଅଞ୍ଚଳରେ ଥିବା ଶ୍ରୀହରି ଡାଇଗ୍ନୋଷ୍ଟିକ ସେଣ୍ଟରରେ ଗୋଟିଏ ଏକ୍ସରେ ମେସିନ୍‌ ଉପରେ ନୋଟିସ୍‌ ଜାରି କରାଯାଇଛି । ପରେ କିଶୋର ହେଲ୍‌ଥ କେୟାର ପ୍ରାଇଭେଟ୍‌ ଲିମିଟେଡ୍‌ରେ ଦୁଇଟି ଏକ୍ସରେ ମେସିନ୍‌ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯାଇଛି। ଏସ୍‌ଏନ୍‌ଏସ୍‌ ହେଲଥ୍‌ କେୟାରରେ ୩ ଏକ୍ସରେ ମେସିନ୍‌, ଗୋଟେ ସିଟି ସ୍କାନ୍‌ ମେସିନ ଉପରେ ନୋଟିସ୍‌ ଜାରି କରାଯାଇଛି । ଧାର୍ଯ୍ୟ ତାରିଖ ମଧ୍ୟରେ ଲାଇସେନ୍ସ ପାଇଁ ଆବେଦନ କରାନଗଲେ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରାଯିବ ବୋଲି ଏଇଆର୍‌ବି ପକ୍ଷରୁ ସୂଚନା ମିଳିଛି ।

ଟିମ୍‌ରେ ସାମିଲ ଥିବା ଅଧିକାରୀ ଡକ୍ଟର ରାଜୀବ ଲୋଚନ ସା’ କହିଛନ୍ତି ଯେ କଟକ ବଡ଼ ମେଡିକାଲ୍‌ରେ ମୋଟ ୯ଟି ମେସିନ୍‌ ସିଲ୍‌ କରାଯାଇଥିବା ବେଳେ ଘରୋଇ ଅନୁଷ୍ଠାନରେ ଦୁଇଟି ସିଲ୍‌ କରାଯାଇଛି । ଯେଉଁମାନଙ୍କୁ ନୋଟିସ୍‌ ଜାରି କରାଯାଇଛି, ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଲାଇସେନ୍ସ ପାଇଁ ଆବେଦନ ନକଲେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ । ଏକ୍ସରେ କେନ୍ଦ୍ରରେ ରେଡିଏସନ୍‌ ନିଜର ଆୟତରୁ ବାହାରକୁ ଆସିଲେ ଜନଜୀବନ ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ଆସନ୍ତାକାଲି କଟକର ସିଟି ହସ୍‌ପିଟାଲ୍‌ରେ ଚଢ଼ଉ କରାଯିବା ସହିତ ଘରୋଇ ଡାଇଗ୍ନୋସିସ୍‌ କେନ୍ଦ୍ରରେ ଥିବା ଏକ୍ସରେ ମେସିନ୍‌ ଯାଞ୍ଚ କରାଯିବ ବୋଲି ଶ୍ରୀ ସା’ କହିଛନ୍ତି । ଆଜି ଏଇଆର୍‌ବି ଟିମ୍‌ରେ ରାଜୀବ ଲୋଚନଙ୍କ ସମେତ ଆରତୀ କୁଲ୍‌କର୍ଣ୍ଣି, ଅନିର୍ବାଣ ଗୁଇଁ ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର