୩୦ ବର୍ଷପରେ ଲକ୍ଷ୍ମୀଙ୍କୁ ମିଳିଲା ଝିଅ ମାନ୍ୟତା

ଚିଲିଗୁଡ଼ା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିକିଲି ଗ୍ରାମର ବୈକୁଣ୍ଠ ଦୁର୍ଗା ତାଙ୍କ ଝିଅକୁ ୩୦ ବର୍ଷ ପରେ ନିଜ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ୧୯୮୫ ମସିହାରେ ବୈକୁଣ୍ଠ ନାଗପୁର ସହରର କାମେଟିଠାରେ କଲମପୁର ବ୍ଲକ୍ ବାଲିଛଡ଼ାର ଅନିତା ଛତ୍ରିଆଙ୍କୁ ବିବାହ କରିଥିଲେ। ଏହା ପରେ ଅନିତାଙ୍କୁ ଗର୍ଭାବସ୍ଥାରେ ଛାଡ଼ିଦେଇ ନିଜ ଗାଁ ଚିକିଲିକୁ ଫେରି ଆସିଥିଲେ। ଏହା ପରେ ଆଉ ନାଗପୁର ଫେରି ନ ଥିଲେ। ଇତିମଧ୍ୟରେ ଅନିତାଙ୍କ ଗର୍ଭରୁ ଲକ୍ଷ୍ମୀ ନାମରେ ଝିଅଟିଏ ଜନ୍ମ ହୋଇଥିଲା। ସେହି ଝିଅଟି ବିଏ ପଢ଼ି ଉଚ୍ଚଶିକ୍ଷିତ ମଧ୍ୟ ହୋଇଥିଲା। ଏଣେ ବୈକୁଣ୍ଠ ପରିବାର ଚାପରେ ଲଡ଼ୁଗାଁରେ ଦ୍ବିତୀୟ ବିବାହ କଲେ। ତାଙ୍କ ଦ୍ବିତୀୟ ପତ୍ନୀ ଏବେ ଚିକିଲି ଗ୍ରାମର ଆଶାଦିଦି ଭାବରେ କାର୍ଯ୍ୟ କରୁଛନ୍ତି।

ଇତିମଧ୍ୟରେ ଲକ୍ଷ୍ମୀ ମା’ ଅନିତାଙ୍କ ନିକଟରୁ ପିତାଙ୍କ ବାବଦରେ ସବୁ ଜାଣିବାପରେ ଚିକିଲିକୁ ଆସି ତାଙ୍କୁ ଝିଅ ଭାବରେ ଗ୍ରହଣ କରିବାକୁ ବୈକୁଣ୍ଠଙ୍କୁ ଅନୁରୋଧ କରିଥିଲେ। ତେବେ ବୈକୁଣ୍ଠଙ୍କ ଦ୍ବିତୀୟ ପତ୍ନୀ ତାଙ୍କୁ ଝିଅ ଭାବରେ ଗ୍ରହଣ କରିବାକୁ ମନା କରିଦେଲେ। ଫଳରେ ଲକ୍ଷ୍ମୀ କଲମପୁର ବ୍ଲକ୍ ‘ଅଲ୍ ଓଡ଼ିଶା ସିଡ୍ୟୁଲ୍ କାଷ୍ଟ ଫେଡେରେସନ (ଏଓଏସ୍‌ସିଏଫ୍‌)କୁ ନ୍ୟାୟ ପାଇଁ ଦରଖାସ୍ତ କରିଥିଲେ। ଏଓଏସ୍‌ସିଏଫ୍‌ ମହାସଚିବ ଯତୀନ୍ଦ୍ର କର ହସ୍ତକ୍ଷେପ କରି ଚିକିଲି ଗ୍ରାମରେ ଏକ ବୈଠକ ଡକାଇଥିଲେ। ବୈଠକରେ ଆପୋସ ସମାଧାନ ହୋଇ ବୈକୁଣ୍ଠ ଲକ୍ଷ୍ମୀଙ୍କୁ ଝିଅ ଭାବରେ ଗ୍ରହଣ କରିବାକୁ ରାଜି ହୋଇଥିଲେ। ଫଳରେ ୩୦ ବର୍ଷ ଧରି ପିତୃ ପରିଚୟ ପାଇଁ ସଂଗ୍ରାମ କରୁଥିବା ଲକ୍ଷ୍ମୀଙ୍କୁ ନିଜ ବାପାଙ୍କ ପରିଚୟ ମିଳିପାରିଛି।

ସମ୍ବନ୍ଧିତ ଖବର