ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ନମ୍ବର ଓ୍ଵାନ

ନବୀନ ନିବାସରେ ସମ୍ବର୍ଦ୍ଧନା

ଭୁବନେଶ୍ବର : ସାରା ଦେଶରେ ବିକଶିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ପୁଣି ନମ୍ବର ଓ୍ଵାନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ପାଇଁ ସବୁ ମହଲରୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିଥିବା ବେଳେ ଆଜି ନବୀନ ନିବାସରେ ବିଧାୟକ, ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକ ଓ ନେତାମାନଙ୍କୁ ଲୋକଙ୍କ ପାଇଁ ଅଧିକରୁ ଅଧିକ କାମ କରିବାକୁ ପରାମର୍ଶ ଦେଇଛନ୍ତି।

ପ୍ରକାଶଥାଉକି, ଭିଡିପି ଆସୋସିଏଟସ୍‌ ପକ୍ଷରୁ ଚଳିତ ମାସ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ୧୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ କରାଯାଇଥିବା ସର୍ଭେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ନମ୍ବର ସ୍ଥାନ ମିଳିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ତଳକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି, ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଵାଲ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ. ପାଲାନୀସ୍ବାମୀ ରହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରସ୍କାର ମିଳିବା ଏହା ପ୍ରଥମ ନୁହେଁ। ପୂର୍ବରୁ ୨୦୧୭ ମସିହାରେ ଶ୍ରୀ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର, ୨୦୧୮ରେ ଆଦର୍ଶ ମୁଖ୍ୟମନ୍ତ୍ରୀ ଏବଂ ଏଫ୍‌ଆଇଏଚ୍‌ ପୁରସ୍କାର ମିଳିଥିଲା। ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତିସଂଘ ମଧ୍ୟ ପୁରସ୍କୃତ କରିଥିଲା।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପୁରସ୍କାରକୁ ବିରୋଧୀ ସହଜରେ ଗ୍ରହଣ କରିନାହାନ୍ତି। ଭିଡିପି ଆସୋସିଏଟସ୍‌ ପକ୍ଷରୁ କରାଯାଇଥିବା ସର୍ଭେର ବିଶ୍ବସନୀୟତାକୁ ନେଇ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯେଉଁ ରାଜ୍ୟରେ ରୋଗୀଙ୍କୁ ଚିକିତ୍ସା କରିବାକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି, ଶିକ୍ଷକମାନଙ୍କୁ ସେମାନଙ୍କ ହକ୍ ମିଳେନାହିଁ, ପିଇବା ପାଣି ଏବଂ ଚାଷ ଜମିକୁ ଜଳସେଚନ ସୁବିଧା ଏବେ ବି ଅନେକ ଅଞ୍ଚଳରେ ଅପହଞ୍ଚ, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସେବା ଯୋଗାଇବାରେ କେମିତି ନମ୍ବର ଵାନ୍ ହେଲେ? ସେହିପରି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ପାଇଁ କେନ୍ଦ୍ର ସରକାର ମାଗିଥିବା ଚାଷୀଙ୍କ ତାଲିକା ସରକାର ଦେଇ ପାରୁନାହାନ୍ତି। ଋଣ ବୋଝରେ ଚାଷୀ ଆତ୍ମହତ୍ୟା କରୁଛି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗିଡ଼ିଗଲାଣି। ସେଠି ଏପରି ପୁରସ୍କାରର ଅର୍ଥ କିଛି ନାହିଁ। ଏ ପ୍ରସଙ୍ଗରେ ବିରୋଧୀଙ୍କ ଜବାବ ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ତାଙ୍କ କହିବାନୁଯାୟୀ, ବିରୋଧୀ ଯେଉଁ ସଂସ୍ଥା ଉପରେ ପ୍ରଶ୍ନ ଉଠାଉଛନ୍ତି ସେହି ସଂସ୍ଥା ବିଜେପି ଶାସିତ ରାଜ୍ୟମାନଙ୍କରେ ସେଠାକାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ଲୋକଙ୍କ ମତାମତ ସଂଗ୍ରହ କରିଛି। ବିରୋଧ କରିବା ନ୍ୟାୟରେ କେବଳ ବିରୋଧୀ ସମାଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ରହିଥିବାରୁ ପଞ୍ଚମ ଥର ପାଇଁ ସେ ଶାସନଭାର ସମ୍ଭାଳିଛନ୍ତି।

ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତରାୟ, ଖଦି ଓ ଗ୍ରାମୋଦ୍ୟାଗ ଶିଳ୍ପ ନିଗମ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ନବୀନ ନିବାସ ଯାଇଥିଲେ।

ସମ୍ବନ୍ଧିତ ଖବର