ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ: କ୍ୟାବିନ୍‌କୁ ଜାଳିଦେଲେ ମହିଳା

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜକର ଗ୍ରାମରେ ପୁଣି ତେଜିଛି ମଦ ବିରୋଧୀ ଆନ୍ଦୋଳନ। ଗ୍ରାମର ସାଲର୍ ମିଲ୍ ନିକଟ ଏକ କ୍ୟାବିନ୍‌ରେ ୩ ଦିନ ହେଲା ବେଆଇନ ଭାବେ ଦେଶୀ ମଦ ବିକାଯାଉଥିଲା। ଏହା ଜାଣିବା ପରେ ଗ୍ରାମର ୭୦ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଓ ଗ୍ରାମର ଗୋପୀନାଥ ଗ୍ରାମ୍ୟ କମିଟି ସଦସ୍ୟମାନେ କ୍ୟାବିନ୍‌କୁ ଗତକାଲି ରାତିରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଖବର ପାଇ ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏ ଯାଏ କୌଣସି ଏତଲା ଦାୟର ହୋଇନଥିବା ସୂଚନା ମିଳିଛି।

ଜକରକୁ ମଦମୁକ୍ତ ପଞ୍ଚାୟତ ଘୋଷଣା ଓ ସରକାରୀ ମଦ ଦୋକାନ ଉଚ୍ଛେଦ ଦାବିରେ ୨୦୧୯ ଜୁଲାଇରେ ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ମହିଳାମାନେ ଏହାର ନେତୃତ୍ବ ନେଇଥିଲେ। ଫଳରେ ଦୁଇବର୍ଷ ହେଲା ଗାଁରେ ମଦ ବିକ୍ରି ବନ୍ଦ ହୋଇଥିଲା। ତେବେ ଗତ ତିନିଦିନ ହେଲା ଗ୍ରାମ ଉପକଣ୍ଠ ମିଲ୍ ନିକଟରେ ଅସ୍ଥାୟୀ କ୍ୟାବିନ୍ ଖୋଲାଯାଇ ଦେଶୀ ମଦ ପାଉଚ୍ ବିକ୍ରି ଆରମ୍ଭ ହୋଇଥିଲା। ଗତକାଲି ରାତିରେ ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଓ ଗୋପୀନାଥ ଗ୍ରାମ୍ୟ କମିଟି ସଭାପତି ଧବଳେଶ୍ବର ସ୍ବାଇଁଙ୍କ ସମେତ ବହୁ ସଦସ୍ୟ ସେଠାରେ ପହଞ୍ଚିଥିଲେ। ପେଟ୍ରୋଲ୍ ଓ କିରାସିନି ଢାଳି କ୍ୟାବିନ୍‌ରେ ନିଆଁ ଲଗାଇଦେଇଥିଲେ। ବେପାରୀମାନେ ସେଠାରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର