ପାଚିକା ଓ ସହାୟିକାଙ୍କ ଆନ୍ଦୋଳନ ଜାରି, ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି ଶିକ୍ଷକ

ବୈପାରିଗୁଡା: ରାଜ୍ୟ ସଂଘ ଡ଼ାକରାରେ ବୈପାରିଗୁଡା ବ୍ଲକରେ ରହିଥିବା ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ନିଯୁକ୍ତ ପାଚିକା ଏବଂ ପାଚିକା ସହାୟିକା ବର୍ତ୍ତମାନ ନିଜର ବିଭିନ୍ନ ଦାବି ପୂରଣ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ପ୍ରାଥମିକ ବିଦ୍ୟାଳୟ ସମେତ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବନ୍ଦ ହୋଇଯିବା ଆଶଂକା ସୃଷ୍ଟି ହୋଇଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ମାନେ ନିଜେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ପରଷୁଥିବା ଦେଖିବାକୁ ମିଳିଛି।

ଯାହାଫଳରେ ଶିକ୍ଷା ଦାନରେ ବାଧା ସୃଷ୍ଟି ହୋଇଛି। ତେବେ ଛାତ୍ରଛାତ୍ରୀ ମାନେ ଯେପରି ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନ ହୁଅନ୍ତି, ଏଥିପାଇଁ ଏଭଳି ଅତିରିକ୍ତ ଦାୟିତ୍ବ ମୁଣ୍ଡେଇବା ପାଇଁ ବାଧ୍ୟ ହୋଇଥିବା ପ୍ରକାଶ। ତେବେ ରାଜ୍ୟ ସରକାର କ୍ରମାଗତ ଭାବେ ପାଚିକା ଏବଂ ପାଚିକା ସହାୟିକାଙ୍କୁ ଅବହେଳା ପ୍ରଦର୍ଶନ କରୁଥିବାରୁ ସେମାନେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହୋଇଛନ୍ତି। ନାମକୁ ମାତ୍ର ଯେଉଁ ପାରିଶ୍ରମିକ ଦିଆଯାଉଛି ତାହା ସମୁଦ୍ରକୁ ଶଙ୍ଖେ ଭଳି। ଦାୟିତ୍ଵ ତଥା ପରିଶ୍ରମ ତୁଳନାରେ ସେମାନଙ୍କୁ କମ୍ ଦରମା ଦିଆଯାଉଥିବା ଅଭିଯୋଗ ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି। ତେବେ ସେମାନଙ୍କ ଅନୁପସ୍ଥିତିରେ ଶିକ୍ଷକ ମାନେ ସେମାନଙ୍କ ଦାୟିତ୍ବ ସମ୍ଭାଳିବା ସହ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧିଷ୍ଟ ସମୟରେ ମଧ୍ୟାହ୍ନ ଭୋଜନ ଯୋଗାଇବା ଭଳି ଗୁରୁ ଦାୟିତ୍ବ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର