ଶିଳ୍ପ, ଖଣି ଗିଳିଦେଲେ ଲ‌କ୍ଷେ ଏକର ଚାଷଜମି

ଅନୁଗୁଳ ବ୍ଲକ୍‌ରୁ ସବୁଠୁ ବେଶି ନଷ୍ଟ, ତା’ ପରେ ତାଳଚେର

ଅନୁଗୁଳ : ଗଲା ୧୦ବର୍ଷରେ ଅନୁଗୁଳ ଜିଲ୍ଲାରୁ ସଫା ହୋଇଛି ଦୁଇ ହଜାର ୮ଶହ ହେକ୍ଟର ଜଙ୍ଗଲ ଜମି। ଖଣି ଏବଂ ଶିଳ୍ପ ପାଟିରେ ଏତିକି ଜଙ୍ଗଲ ସମ୍ପଦ ସ୍ବାହା ହୋଇଥିବା ଜଙ୍ଗଲ ବିଭାଗ ତଥ୍ୟ ସ୍ପଷ୍ଟ କରିଛି। ଗୋଟିଏ ହେକ୍ଟର ଜମିକୁ ପାଖାପାଖି ଅଢ଼େଇ ଏକର ସହିତ ତୁଳନା କଲେ, ଜିଲ୍ଲାର ପ୍ରାୟ ସାତ ହଜାର ଏକର ଜଙ୍ଗଲ ସମ୍ପଦ ପଦା ହୋଇ ସାରିଛି। ଅଧିକ ବିଚଳିତ କରିବା ଭଳି କଥାଟି ହେଉଛି, ଜଙ୍ଗଲ ସମ୍ପଦ ଅପେକ୍ଷା ୧୪ଗୁଣରୁ ଅଧିକ ନଷ୍ଟ ହୋଇଛି ଚାଷ ଜମି। ଗଲା ଦୁଇ ଦଶନ୍ଧି ମଧ୍ୟରେ ଅନୁଗୁଳ ଜିଲ୍ଲାର ଭୌଗୋଳିକ ମାନଚିତ୍ରରୁ ପ୍ରାୟ ଏକ ଲକ୍ଷ ଏକର ଚାଷଜମି ହଜି ସାରିଲାଣି। ଅନୁଗୁଳ ଜିଲ୍ଲା କୃଷି, ରାଜସ୍ବ ଏବଂ ପ୍ଲାନିଂ ଆଦି ତିନି ବିଭାଗର ମିଳିତ ସର୍ଭେରୁ ଏକଥା ପଦାକୁ ଆସିଛି। ଛେଣ୍ଡିପଦା ବ୍ଲକ୍‌ରେ ଏଯାବତ୍‌ ଖଣି ଖୋଳା ଆରମ୍ଭ ହୋଇନାହିଁ। ଏଠି ଖଣି ଖୋଳା ଆରମ୍ଭ ହୋଇଗଲେ, ଅନୁଗୁଳ ଜିଲ୍ଲାର ଚାଷ ଜମି ଯେ, ଆଗକୁ ଆହୁରି ତଳକୁ ଖସିବ ତାହା ଜଳଜଳ ଦିଶୁଛି।

ଆଠମଲ୍ଲିକ, କିଶୋରନଗର, ପାଳଲହଡ଼ା ସ୍ଥିତି ଚିନ୍ତାଜନକ
ବିନା ଶିଳ୍ପ ଓ ଖଣିରେ କୁଆଡ଼େ ଗଲା ୨୬ହଜାର ଏକର?

Flickr

ଅନୁଗୁଳ ଜିଲ୍ଲା କୃଷି ବିଭାଗର ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ଭୌଗୋଳିକ ପରିସୀମା ହେଉଛି ୬ଲକ୍ଷ ୩୭ହଜାର ୫୦୦ହେକ୍ଟର। ଏ ଆୟତନର ୩୨ଭାଗ ଅଞ୍ଚଳ ଥିଲା ଚାଷ ଜମି। ମୋଟ୍ ଉପରେ ଅନୁଗୁଳ ଜିଲ୍ଲାରେ ୨ଲକ୍ଷ ୧୮ହଜାର ୬୧୧ହେକ୍ଟର ଚାଷ ଜମି ଥିଲା ବୋଲି ବିଭାଗ ରେକର୍ଡ ରଖିଥିଲା। ସବୁଠାରୁ ବେଶି ଚାଷ ଜମି ଥିଲା ଆଠମଲ୍ଲିକ ବ୍ଲକ୍‌ରେ। ତା ତଳକୁ ଅନୁଗୁଳ ବ୍ଲକ୍‌ ବି ବହୁ ଚାଷ ଜମିର ଅଧିକାରୀ ଥିଲା। ସବୁଠାରୁ କମ୍‌ ଜମି ଥିଲା ପାଳଲହଡ଼ା ବ୍ଲକ୍‌ରେ। ଗଲା ଦୁଇ ଦଶନ୍ଧି ମଧ୍ୟରେ ଅନୁଗୁଳ ଜିଲ୍ଲାକୁ ବହୁ ଜାତୀୟ ଶିଳ୍ପ ଓ ଖଣି ଅନୁଗୁଳ ଜିଲ୍ଲାର ଜମିକୁ କବ୍‌ଜା କରି ସାରିଲେଣି। ଖଣି ଏବଂ କାରଖାନା ପାଇଁ ସ୍ବାଭାବିକ ଭାବେ ଜିଲ୍ଲାର ଜମି କମ୍‌ ହେବା କଥା। କିନ୍ତୁ, ପୁରୁଣା ତଥ୍ୟକୁ ନେଇ ଜିଲ୍ଲା କୃଷି ବିଭାଗ ନିଜର ଖରିଫ୍‌ ଏବଂ ରବି ଋତୁ ପ୍ଲାନିଂ କରି ଆସୁଥିଲା। ଅନୁଗୁଳ ଜିଲ୍ଲା ରାଜସ୍ବ, କୃଷି ଏବଂ ପ୍ଲାନିଂ ବିଭାଗର ମିଳିତ ସର୍ଭେ ପରେ ଜିଲ୍ଲାର ଚାଷ ଜମିରେ ପରିବର୍ତ୍ତନ ଆସିଛି।

ଜିଲ୍ଲାରେ ଯେଉଁଠି ୨ଲକ୍ଷ ୧୮ହଜାର ୬୧୧ହେକ୍ଟର ଜମି ଥିଲା, ତାହା ବର୍ତ୍ତମାନ ୧ଲକ୍ଷ ୭୩ହଜାର ୪୬୦ହେକ୍ଟରକୁ କମି ଆସିଛି। ଜିଲ୍ଲାରେ ପ୍ରାୟ ୪୫ହଜାର ୧୫୧ହେକ୍ଟର ଚାଷ ଜମି କମିଛି ବୋଲି ସର୍ଭେ ରିପୋର୍ଟ ସ୍ପଷ୍ଟ କରିଛି। ଏକ ହେକ୍ଟରକୁ ଅଢ଼େଇ ଏକର ସହିତ ତୁଳନା କଲେ, ଜିଲ୍ଲାରେ ପ୍ରାୟ ଏକ ଲକ୍ଷ ୧୨ହଜାର ଏକର ଚାଷ ଜମି ଲୋପ ପାଇ ସାରିଲାଣି। ପ୍ରତିଶତ ହିସାବରେ, ଜିଲ୍ଲାର ଭୌଗୋଳିକ ମାନଚିତ୍ରରେ ଯେଉଁଠି ୩୨ପ୍ରତିଶତ ଚାଷ ଜମି ଥିଲା, ତାହା ତଳକୁ ଖସି ଆସି ୨୭ପ୍ରତିଶତରେ ପହଞ୍ଚିଛି।
ସର୍ବାଧିକ ଚାଷଜମି ଲୋପ ହୋଇଛି ଅନୁଗୁଳ ବ୍ଲକ୍‌ରେ। ଜିଲ୍ଲା ମୁଖ୍ୟାଳୟରୁ ମୋଟ୍ ୭ହଜାର ୬୯୧ହେକ୍ଟର ଚାଷ ଜମି କୃଷି ବିଭାଗ ଖାତାରୁ ହଟିଥିବା ବେଳେ ତା ତଳକୁ ରହିଛି ଖଣି ପ୍ରଧାନ ତାଳଚେର ବ୍ଲକ୍‌। ସେଠାରୁ ମଧ୍ୟ ୭ହଜାର ୧୮ହେକ୍ଟର ଚାଷ ଜମି ଲୋପ ପାଇ ସାରିଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆଠମଲ୍ଲିକ ଏବଂ କିଶୋରନଗର ଓ ପାଳଲହଡ଼ା ବ୍ଲକ୍‌କୁ ନେଇ। ତାଳଚେର, କଣିହାଁ ଏବଂ ଛେଣ୍ଡିପଦା ବ୍ଲକ୍‌ର ଚାଷ ଜମି କ୍ଷୟ ହେବା ସ୍ବାଭାବିକ କଥା। କାରଣ, ଏଠି ଶିଳ୍ପ ଏବଂ ଖଣିର ଲମ୍ବା ଧାଡ଼ି ଲାଗିଲାଣି। କିନ୍ତୁ, ଅନୁଗୁଳ ଜିଲ୍ଲାର କୃଷି ପ୍ରଧାନ ଇଲାକା କହିଲେ, କିଶୋରନଗର ଏବଂ ଆଠମଲ୍ଲିକ ଓ ପାଳଲହଡ଼ା। ଏହି ବ୍ଲକ୍‌ଗୁଡ଼ିକର ଅର୍ଥନୀତି ପୂରା କୃଷି ଉପରେ ନିର୍ଭରଶୀଳ। କୃଷିଜୀବୀ କୁହାଯାଉଥିବା ଏହି ତିନି ବ୍ଲକ୍‌ରୁ କିନ୍ତୁ ୧୦ହଜାର ୬୭୩ ହେକ୍ଟର(୨୬ହଜାର ୬୮୨ଏକର) ଚାଷ ଜମି ଲୋପ ପାଇଛି। ଏଠି ଶିଳ୍ପ ନାହିଁ କି ଖଣି ନାହିଁ। କେଉଁଥିପାଇଁ ଏହି ତିନି ବ୍ଳକ୍‌ରୁ ଚାଷ ଜମି କମିଲା ତାହା ଚିନ୍ତାଜନକ ବିଷୟ ହୋଇଛି।
ଏ ସମ୍ପର୍କରେ ଅନୁଗୁଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଲ୍‌ ସ୍ବାଇଁ କହିଛନ୍ତି, ତିନି ବିଭାଗର ମିଳିତ ସର୍ଭେ ପରେ ଜିଲ୍ଲାର ଚାଷ ଜମି କମ୍‌ ହୋଇଥିବା କଥା ସ୍ପଷ୍ଟ ହେଲା। ଏହାର ପ୍ରମୁଖ କାରଣ ହେଉଛି, ଖଣି ଏବଂ ଶିଳ୍ପାୟନ। ଏହାବାଦ୍‌ ଆଠମଲ୍ଲିକ ଏବଂ କିଶୋରନଗର ବ୍ଲକ୍‌ରେ ଚାଷ ଜମି କମିଛି। କିଛି ଲୋକ ଚାଷ ଜମିକୁ ଆମ୍ବ ବଗିଚା, ଘରବାଡ଼ିରେ ପରିବର୍ତ୍ତନ କରୁଛନ୍ତି। ଚାଷ ଜମି କମିବା ପଛରେ ଏହା ବି ଏକ କାରଣ ବୋଲି ଶ୍ରୀ ସ୍ବାଇଁ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର