ନାଁକୁ ମାତ୍ର କୃଷି ଓ ଐତିହ୍ୟ କ୍ୟାବିନେଟ୍‌ : ଦୁଇ ବର୍ଷ ହେଲା ବସିନି କୃଷି କ୍ୟାବିନେଟ୍‌, ନିଷ୍ପତ୍ତି ହେଉଛି, କାର୍ଯ୍ୟକାରୀ ହେଉନି

ଭୁବନେଶ୍ବର : କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଗଠନ ହୋଇଥିଲା କୃଷି କ୍ୟାବିନେଟ୍‌। ୨୦୧୭ ନଭେମ୍ବର ୬ ତାରିଖରେ ବସିଥିଲା ଏହି କ୍ୟାବିନେଟ୍‌ର ଶେଷ ବୈଠକ। ପାଖାପାଖି ଦୁଇ ବର୍ଷ ହେଲା କ୍ୟାବିନେଟ୍‌ ଡକାଯାଇନି। ପ୍ରଶ୍ନ ଉଠୁଛି, କୃଷିର ବିକାଶ ପାଇଁ କ୍ୟାବିନେଟ୍‌ର କିଛି ଭୂମିକା ନାହିଁ ନା ଏହା ଏକ ଭେଳିକି ଥିଲା ?

ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ଗଠନ କରାଯାଇଥିଲା ଐତିହ୍ୟ କ୍ୟାବିନେଟ୍‌। ୨୦୧୮ ଜୁଲାଇ ୧୭ ତାରିଖରେ ବସିଥିଲା ପ୍ରଥମ ବୈଠକ। ତା’ପରେ ଏକ ବର୍ଷରୁ ଅଧିକ ସମୟ ହେଲା ଆଉ କ୍ୟାବିନେଟ୍‌ ଡକାଯାଇନି। ଗୋଟିଏ ବୈଠକରେ ସଂସ୍କୃତି ଓ ଐତିହ୍ୟର କି ସୁରକ୍ଷା ହୋଇଗଲା, ତାହା ବୁଝାପଡ଼ୁନି।

କୃଷି କ୍ୟାବିନେଟ୍‌ ଓ ଐତିହ୍ୟ କ୍ୟାବିନେଟ୍‌ର ଏମିତି ବିକଳ ସ୍ଥିତି ଏବେ ପଦାକୁ ଆସୁଛି। ଏହି ଦୁଇଟି କ୍ୟାବିନେଟ୍‌ ଗଠନ ବାସ୍ତବରେ ଆବଶ୍ୟକତା ଥିଲା ନା କେବଳ ଚାଷୀ ଆନ୍ଦୋଳନ ଓ ଭାଷା ଆନ୍ଦୋ‌ଳନରୁ ଦୃଷ୍ଟି ହଟାଇବା ପାଇଁ କୌଶଳ ଥିଲା, ତାହା ବୁଝାପଡ଼ୁନି। କୃଷି ଓ ସଂସ୍କୃତି ବିଭାଗରେ ନିଆଯାଉଥିବା ବିଭିନ୍ନ ସରକାରୀ ନିଷ୍ପତ୍ତିରେ ମଧ୍ୟ ଏହି ଦୁଇ କ୍ୟାବିନେଟ୍‌ର କିଛି ଭୂମିକା ଥିଲା ପରି କେହି ଅନୁଭବ କରୁ ନାହାନ୍ତି। ଉଭୟ କ୍ୟାବିନେଟ୍‌ ସରକାରୀ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଗୌଣ ହୋଇଯାଇଛି। ମୁଖ୍ୟ କଥା ହେଲା ଦୁଇ କ୍ୟାବିନେଟ୍‌ ବୈଠକରେ ନିଆଯାଇଥିବା ଅଧିକାଂଶ ନିଷ୍ପତ୍ତି ବି କାର୍ଯ୍ୟକାରୀ ହେଉନି।

୨୦୧୬ ଫେବ୍ରୁଆରି ୨୬ ତାରିଖରେ ରାଜ୍ୟ ସରକାର କୃଷି କ୍ୟାବିନେଟ୍‌ ଗଠନ କରିଥି‌େଲ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କ୍ୟାବିନେଟ୍‌ରେ ଅର୍ଥ, କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସମବାୟ, ଜଳସମ୍ପଦ, ରାଜସ୍ବ, ଶକ୍ତି, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ସଦସ୍ୟ ଅଛନ୍ତି। ସେହି ବର୍ଷ ମାର୍ଚ୍ଚ ୩ ତାରିଖରେ କୃଷି କ୍ୟାବିନେଟ୍‌ର ପ୍ରଥମ ବୈଠକ ବସିଥିଲା। ପୁଣି ସେହି ବର୍ଷ ମାର୍ଚ୍ଚ ଓ ନଭେମ୍ବରରେ କ୍ୟାବିନେଟ୍‌ ବସିଥିଲା। ୨୦୧୭ରେ ଅଗଷ୍ଟ ଓ ନଭେମ୍ବରରେ ଆଉ ଦୁଇ ଥର କ୍ୟାବିନେଟ୍‌ ଡକାଯାଇଥିଲା।

କୃଷି କ୍ୟାବିନେଟ୍‌ର ଯେତିକି ବୈଠକ ବସିଛି, ସେଥିରେ ନିଆଯାଇଥିବା ବହୁ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି। ପ୍ରଥମ କ୍ୟାବିନେଟ୍‌ରେ ସରକାର କୌଣସି ନିଷ୍ପତ୍ତି ନ ନେଇ କେବଳ ନିଜ ପ୍ରଶଂସାରେ ବୈଠକ ସାରିଦେଇଥିଲେ। ପରବର୍ତ୍ତୀ ସମୟରେ ହୋଇଥିବା କୃଷି କ୍ୟାବିନେଟ୍‌ ବୈଠକରେ କୃଷି ଟାସ୍କ ଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏ ଯାଏ ଟାସ୍କ ଫୋର୍ସ ଗଠନ ହୋଇପାରିଲାନି। ସେହିପରି ରାଜ୍ୟରେ ଜୈବିକ କୃଷି ନୀତି ପାଇଁ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ବି କାର୍ଯ୍ୟକାରୀ ହୋଇନି। ପ୍ରତି ପଞ୍ଚାୟତର ସଦର ମହକୁମାରେ ସପ୍ତାହର ନିର୍ଦ୍ଦିଷ୍ଟ ଦିନରେ କୃଷକ ଶିବିର କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିଲା। ଏହା ବି ଶତ ପ୍ରତିଶତ ସଫଳ ହୋଇପାରିନି। ଚାଷୀର ଆୟ ଦୁଇ ଗୁଣା କରିବାକୁ ଠୋସ୍ ଯୋଜନା କରିବାକୁ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଠୋସ୍ ଯୋଜନାଟିର ରୂପରେଖ କ’ଣ, ତାହା ଚାଷୀମାନେ ଜାଣିପାରିଲେନି। ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନେଇ କୃଷି କ୍ୟାବିନେଟ୍‌ରେ ଆଲୋଚନା ହୋଇଥିଲା। ତାହା ଉପରେ ବି କୌଣସି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ। ୨୦୧୭ ନଭେମ୍ବରରେ ହୋଇଥିବା ଶେଷ ବୈଠକରେ କେବଳ ପୋକ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଇଥିଲା। ମୁଖ୍ୟ କଥା ହେଉଛି ଯେଉଁ ପାଞ୍ଚ ଥର କୃଷି କ୍ୟାବିନେଟ୍‌ ବୈଠକ ବସିଛି, ସେଥିରେ ଚାଷୀଙ୍କ ପାଇଁ କୌଣସି ବଡ଼ ଧରଣର ଘୋଷଣା କରାଯାଇ ନାହିଁ। କେତେବେଳେ ଜଳସମ୍ପଦ ବିଭାଗର ଏକ ନିଷ୍ପତ୍ତିକୁ ଏଠାରେ ଆଲୋଚନା କରାଯାଇଛି ତ କେତେବେଳେ ବିହନ ସବ୍‌ସିଡି ପରି ପୁରୁଣା ନିଷ୍ପତ୍ତିକୁ କ୍ୟାବିନେଟ୍‌ରେ ଗୃହୀତ କରାଯାଇଛି। ଏହାକୁ ନେଇ ସରକାର ସମାଲୋଚିତ ବି ହୋଇଛନ୍ତି।

ଐତିହ୍ୟ କ୍ୟାବିନେଟ୍‌ର ବି ସ୍ଥିତି ସମାନ। ୨୦୧୭ ଡିସେମ୍ବରରେ ଐତିହ୍ୟ କ୍ୟାବିନେଟ୍‌ ଗଠନ ନେଇ ସରକାର ନିଷ୍ପତ୍ତି ନେଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କ୍ୟାବିନେଟ୍‌ରେ ଅର୍ଥ, ଓଡ଼ିଆ ଭାଷା, ସାହିତ୍ୟ ଓ ସ˚ସ୍କୃତି, ପର୍ଯ୍ୟଟନ, ହସ୍ତତନ୍ତ ଓ ବୟନଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଉଚ୍ଚଶିକ୍ଷା, ଗଣଶିକ୍ଷା ଏବ˚ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ସଦସ୍ୟ ଅଛନ୍ତି। ୨୦୧୮ ଜୁଲାଇ ମାସରେ ବିଧିବଦ୍ଧ କ୍ୟାବିନେଟ୍‌ ଗଠନ ହେଲା ପରେ ସେହି ମାସ ୨୭ ତାରିଖରେ ପ୍ରଥମ ‌େବୖଠକ ବସିଥିଲା। ତାହା ପରେ ଆଉ ଦ୍ବିତୀୟ ବୈଠକ ଡକାଯାଇନି।

ପ୍ରଥମ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ବି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ‌େହାଇପାରିନି। ଏ‌ଥିରେ ମୁଖ୍ୟତଃ ୪ଟି ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଆ ବିଶ୍ବବିଦ୍ୟାଳୟ ସତ୍ୟବାଦୀରେ ସ୍ଥାପନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ସତ୍ୟବାଦୀରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ସତ, କିନ୍ତୁ ସେହି ପ୍ରକ୍ରିୟା ଖୁବ୍ ମନ୍ଥର ଗତିରେ ଚାଲିଛି। ଏ ପର୍ଯ୍ୟନ୍ତ ସେଠାରେ ଇଟା ଖ‌େଣ୍ଡ ପଡ଼ିନି। ରାଜ୍ୟରେ ପାଠାଗାର ସଂଖ୍ୟା ବଢ଼ୁଥିବାରୁ ତାହାର ସୁପରିଚାଳନା ପାଇଁ ‘ପାଠାଗାର ନିର୍ଦ୍ଦେଶକ’ ପଦବି ସୃଷ୍ଟି କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ଏପରି ଏକ ପଦବି ପାଇଁ ଆଇନ୍‌ରେ ବ୍ୟବସ୍ଥା ନ ଥିବାରୁ ସଂସ୍କୃତି ବିଭାଗ ଆଇନ୍ ବିଭାଗର ମତାମତ ଲୋଡ଼ିଛି। ଆଇନ୍‌ ବିଭାଗରୁ ଫାଇଲ୍‌ ଆଗକୁ ଘୁଞ୍ଚୁନି। ରାଜ୍ୟର ଭାଷା, କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ଏ ନେଇ ଏକାଧିକ ଥର ବିଭାଗ ସ୍ତରରେ ବୈଠକରେ ବସିଥିଲେ ବି ନୀତି ଚୂଡ଼ାନ୍ତ ହୋଇପାରିନି। ସେହିପରି ଆନନ୍ଦ ଭବନ ସଂଗ୍ରହାଳୟ ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଅଧାରେ ଅଟକିଛି। ତେବେ ଏସବୁ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସମୟ ସାପେକ୍ଷ ହୋଇଥିବାରୁ ଆବଶ୍ୟକ ପଦକ୍ଷେପ ନିଅ‌ାଯାଉଛି ବୋଲି ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର