ଅକ୍ଷୟ ତୃତୀୟାକୁ ‘କୃଷକ ଅଧିକାର ଦିବସ’ ଭାବେ ପାଳନ କରିବ ପିସିସି କିଷାନ କଂଗ୍ରେସ

ଭୁବନେଶ୍ବର: କୃଷକ ହେଉଛନ୍ତି ଅନ୍ନଦାତା। ସେମାନେ କାହାର ଦୟାର ପାତ୍ର ନୁହନ୍ତି। ଚାଷ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚାଷୀ ବାରମ୍ବାର ଦାବି କରିଆସୁଛି। ମାତ୍ର ସରକାର ଅଣଦେଖା କରୁଛନ୍ତି। ତେଣୁ ଆସନ୍ତା ମେ’ ୩ତାରିଖ ବା ଅକ୍ଷୟ ତୃତୀୟାକୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲା ଓ ରାଜ୍ୟସ୍ତରରେ କୃଷକ ଅଧିକାର ଦିବସ ଭାବେ ପାଳନ କରାଯିବ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅକ୍ଷୟ ତୃତୀୟା ଦିନ କ୍ଷେତରେ ପାରମ୍ପରିକ ରୀତିରେ ଭୂମିପୂଜା ଓ ଅକ୍ଷିମୁଠି ଶୁଭାରମ୍ଭ କରାଯିବା ସହିତ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳ ସ୍ଥାନୀୟ ଚାଷୀଙ୍କୁ ସମ୍ବର୍ଧନା ଦିଆଯିବ। ଓଡ଼ିଶାକୁ କିଭଳି କୃଷି କ୍ଷେତ୍ରରେ ଅଗ୍ରଣୀ ଓ ଆତ୍ମ ନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି ତୋଳାଯାଇ ପାରିବ ଓ ଚାଷୀକୂଳର ବିକାଶ ହେବ ସେଥିପାଇଁ ଏକ ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯିବ। ରାଜ୍ୟର ବିଜେଡି ସରକାର ଗତ ୨୨ବର୍ଷ ଭିତରେ ଯେଉଁ ସଂଶୋଧିତ କୃଷିନୀତି ପ୍ରଣୟନ କରିଛନ୍ତି ଏଥିରେ କୌଣସି ନୂତନତ୍ବ ନାହିଁ। ଓଡ଼ିଶା ବାହାର ରାଜ୍ୟ ଉପରେ ବିହନ ପାଇଁ ନିର୍ଭର କରୁଛି। ଖରିଫ୍ ଋତୁରେ ପ୍ରାୟ ୧୮ଲକ୍ଷ କ୍ବିଣ୍ଟାଲ ପ୍ରାମାଣିକ ଧାନ ବିହନର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାର ମାତ୍ର ୫ କ୍ବିଣ୍ଟାଲ ବିହନ ଚାଷୀମାନଙ୍କୁ ରିହାତି ଦରରେ ଯୋଗାଉଛନ୍ତି। ଆଳୁ ଉତ୍ପାଦନ ମଧ୍ୟ ଫେଲ୍‌ ମାରିଛି। ସରକାରଙ୍କ କୃଷି ଓ କୃଷକ ବିକାଶ କେବଳ ପ୍ରଚାର ଓ ଭୋଟ ସର୍ବସ୍ବ ହୋଇଛି। ଏହାସହ ବର୍ତମାନ ସମବାୟ ସଂସ୍ଥାଗୁଡ଼ିକ ନିର୍ବାଚନ ରାଜ୍ୟ ସରକାରଙ୍କ କବ୍‌ଜାରେ। ତେଣୁ ପ୍ରଚଳିତ ସମବାୟ ନିର୍ବାଚନକୁ କୌଣସି ପରିସ୍ଥିତିରେ ଦଳୀୟ ଭିତ୍ତିରେ ରାଜନୀତିକରଣ ନ କରିବାକୁ କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବୈଠକରେ ମୁଖପାତ୍ର ମନୋରଂଜନ ଦାଶ, କୃଷକ ନେତା ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, ସଦାନନ୍ଦ ଓଝା, ନିରଞ୍ଜନ ବେହେରା, ଅରବିନ୍ଦ ସାମଲ, ବସନ୍ତ ମହାରଣା, ଧ୍ରୁବଚରଣ ପରିଡ଼ା, ରଜତ କୁମାର ଦାସ ଓ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର