ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା: ୧୦ ବର୍ଷରେ ଓଡ଼ିଆଙ୍କ ସ୍ଥିତି କ’ଣ?

ତଥ୍ୟ ଖୋଜୁଛି ଉଚ୍ଚଶିକ୍ଷା ବିଭାଗ, ପୁଣିଥରେ ସିଭିଲ୍‌ ସର୍ଭିସ୍‌ କୋଚିଂ ଯୋଜନା

ଭୁବନେଶ୍ବର: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷ‌ାରେ ଓଡ଼ିଶାରୁ ପ୍ରତିବର୍ଷ କେ‌ତେ ଜଣ ଉତ୍ତୀର୍ଣ୍ଣ ହେଉଛନ୍ତି। ବର୍ଷକୁ ବର୍ଷ ସଂଖ୍ୟା ବଢ଼ୁଛି ନା କମୁଛି? ନା ସ୍ଥିର ରହୁଛି? ପ୍ରତିବର୍ଷ ପରୀକ୍ଷା ଫଳ ପ୍ରକାଶ ପରେ ଏତେ ପାସ୍‌ କଲେ, ସେତେ ପାସ୍‌ କଲେ ଏମିତି କୁହାଯାଉଛି। ହେଲେ ପ୍ରକୃତ ପକ୍ଷେ କେତେଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ସେନେଇ କାହା ପାଖରେ ବି ଖବର ନାହିଁ। ଏମିତିକି ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରୁ କେତେଜଣ ଅଲ୍‌ ଇଣ୍ଡିଆ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ପାସ୍‌ କରିଛନ୍ତି ସେନେଇ ଉଚ୍ଚଶିକ୍ଷା ବିଭାଗ ପାଖରେ ତଥ୍ୟ ନାହିଁ।

ଏ କଥା ଆମେ କହୁନୁ। ସିଭିଲ୍‌ ସର୍ଭିସ୍‌ ପରୀକ୍ଷ‌ାରେ ସଫଳତା ହାସଲ କରୁଥିବା ଓଡ଼ିଆଙ୍କ ତଥ୍ୟ ପାଇବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ନୂଆଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ଚିଫ୍‌ ରେସିଡେଣ୍ଟ କମିସନରଙ୍କୁ ଲେଖିଥିବା ଚିଠିରୁ ଏହା ଜଣାପଡ଼ିଛି। ସଚିବ ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ସାଧାରଣତଃ ଗୋଟିଏ ଉପଲବ୍ଧି ରହିଛି ‌ଯେ ବର୍ଷକୁ ବର୍ଷ ଅଲ୍‌ ଇଣ୍ଡିଆ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି। ତେଣୁ ସତ୍ୟତା ଜାଣିବାକୁ ବିଭାଗ ଚାହୁଁଛି। ଯେହେତୁ ଉଚ୍ଚଶିକ୍ଷା ବିଭାଗ ନିଜସ୍ବ ସ୍ତରରୁ ଏହି ତଥ୍ୟ ସଂଗ୍ରହ କରିବାର କୌଣସି କାରଣ ନାହିଁ, ତେଣୁ ଏଦିଗରେ ପଦକ୍ଷେପ ନେଇ ୟୁପିଏସ୍‌ସି କାର୍ଯ୍ୟାଳୟକୁ ତଥ୍ୟ ସଂଗ୍ରହ କରି ପଠାଇବାକୁ ଅନୁରୋଧ। ଯେତେଶୀଘ୍ର ସମ୍ଭବ ତଥ୍ୟ ମିଳିଲେ ସିଭିଲ୍‌ ସର୍ଭିସ୍‌ କୋଚିଂ ଯୋଜନା ପୁଣିଥରେ ଆରମ୍ଭ କରିବାକୁ ବିଭାଗ ପଦକ୍ଷେପ ନେବ।

ସୂଚନା ଅନୁଯା‌ୟୀ ପୂର୍ବରୁ ସମସ୍ତ ବିଶ୍ବବିଦ୍ୟାଳୟରେ ସିଭିଲ୍‌ ସର୍ଭିସ୍‌ କୋଚିଂ ଯୋଜନା କରିବା ଉପରେ ବିଭାଗ ଗୁରୁତ୍ବ ଦେଇଥିଲା। ଉତ୍କଳ ସମେତ ଆଉ କିଛି ବିଶ୍ବବିଦ୍ୟାଳୟରେ ଏହାକୁ ଆରମ୍ଭ କରିବାକୁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା। ତେବେ ସବୁ କିଛି ଯୋଜନାରେ ଅଟକି ରହିଗଲା।

ସମ୍ବନ୍ଧିତ ଖବର