ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କୁ ସରକାରଙ୍କ କଡ଼ା ଚେତାବନୀ: ବିନା ସୂଚନାରେ ଆସିଲେ ମିଳିବନି ସରକାରୀ ସୁବିଧା

ଭୁବନେଶ୍ୱ: ରାଜ୍ୟ ସରକାର ବିନା ସୂଚନାରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଆସିବାକୁ ଚାହୁଁଛନ୍ତି ସେମାନେ ପୂର୍ବରୁ ସୂଚନା ଦିଅନ୍ତୁ। ସୂଚନା ନ ଦେଇ ଆସୁଥିବା ପ୍ରବାସୀଙ୍କୁ କୌଣସି ସରକାରୀ ସୁବିଧା ମିଳିବ ନାହିଁ। ଅଆଜି ଏହା ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।

ଏସଆରସିଙ୍କ ସୂଚନା ଅନୁସାରେ, ଏବେ ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଗଡୁଛି। ତେବେ ବିନା ସୂଚନାରେ ରାଜ୍ୟକୁ କିଛି ପ୍ରବାସୀ ଓଡିଆ ଯାତ୍ରା କରୁଛନ୍ତି ।ଏହା ଫଳରେ ଅନେକ ସମସ୍ୟା ଉପୁଜୁଛି । ବିନା ସୂଚନାରେ ଆସୁଥିବାରୁ ଏହି ପ୍ରବାସୀ ଶ୍ରମିକଙ୍କୁ ସରକାରଙ୍କ ସୁବିଧାରୁ ବଞ୍ଚିତ ହେବା ସହିତ ମାଗଣା ଟିକଟ ସୁବିଧା ବି ନ ମିଳିପାରେ । କାରଣ ଏମାନେ ବିନା ସୂଚନାରେ ଆସୁଥିବାରୁ ଏମାନଙ୍କ ପାଇଁ ହଠାତ କିଛି ବ୍ୟବସ୍ଥା କରାଯାଇ ପାରୁ ନାହିଁ।

ଏଥିସହିତ ଯଦି କୌଣସି ଲୋକଙ୍କଠାରେ କିଛି କରୋନା ଲକ୍ଷଣ ଦେଖା ଦିଏ କିମ୍ବା ଅସୁସ୍ଥ ଅନୁଭବ କରନ୍ତି ତେବେ ସିଧାସଳଖ ଡାକ୍ତରଖାନାକୁ ନ ଯାଇ ୧୦୪ରେ ଫୋନ୍‌ କରିବାକୁ ସରକାର କହିଛନ୍ତି । ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆ ଏବେ ଘରେ ସଙ୍ଗରୋଧରେ ରହିପାରିବେ। ଯଦି ଘରେ ରହିବା ନେଇ ସମସ୍ୟା ରହିଛି ତେବେ ସେ ହୋଟେଲ ସଙ୍ଗରୋଧରେ ରହିପାରିବେ । କିନ୍ତୁ ଏହି ହୋଟେଲ ସଙ୍ଗରୋଧର ଖର୍ଚ୍ଚ ତାଙ୍କୁ ବହନ କରିବାକୁ ପଡ଼ିବ । କାରଣ ଏହି ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିପାରିବେ ନାହିଁ ।

ତେବେ ଏସବୁ ଭିତରେ ରବିବାର ଏକ ଆଶ୍ୱସ୍ତିକର ଖବର ଆସିଛି। କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ରାଜ୍ୟରେ ଅନ୍ୟ ସବୁ ସ୍ଥାନକୁ ଆସନ୍ତାକାଲିଟାରୁ ବସ୍‌, ସିଟି ବସ୍‌ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି। ତେବେ ବସ୍‌ରେ ଯେତିକି ସଂଖ୍ୟକ ସିଟ୍‌ କେବଳ ସେତିକି ଯାତ୍ରୀ ଏଥିରେ ଯାତ୍ରା କରିପାରିବେ ଓ କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେନି । ବସ୍‌ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଥିବ, ତେବେ ତାଙ୍କୁ ବସ୍‌ ଯିବାକୁ ଦିଆଯିବ ନାହିଁ।

କେବଳ ବସ ନୁହଁ, ଅଟୋରିକ୍ସା ଚଳାଚଳକୁ ବି ସରକାର ଅନୁମତି ଦେଇଛନ୍ତି ସରକାର। ଓଲା, ଉବେର ଆଦି ଟାକ୍ସି ଅପରେଟର୍‌ ଏଣିକି ଦିନରାତି ସେବା ଯୋଗାଇବେ। କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଥିବାର ମଧ୍ୟ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌।

ସମ୍ବନ୍ଧିତ ଖବର