ଲାଞ୍ଚରେ ଟଙ୍କା ସହ ବାଦାମ, ମୁଗ: ଧରାପଡ଼ିଲେ ବରିଷ୍ଠ ରାଜସ୍ବ ସହାୟକ

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା କୋଦଳା ତହସିଲଦାର କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସଞ୍ଜୟ ସେଠୀ ଘରବାରି ପଟ୍ଟା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କା ସହିତ ସେ ମଧ୍ୟ ବାଦାମ ଓ ମୁଗ ମଧ୍ୟ ନେଉଥିଲେ। ସେସବୁକୁ ଭିଜିଲାନ୍ସ ଅଧିକାରୀ ଜବତ କରିଛନ୍ତି।

ସୂଚନା ଅନୁସ‌ାରେ, ବି.ନୂଆଗାଁ ଗ୍ରାମର ଅଭିଯୋଗକାରୀ ଦଣ୍ଡପାଣି ସାହୁ ଘରବାରି ପଟ୍ଟା ପାଇବାକୁ ତହସିଲ ଅଫିସ୍‌ରେ ଆବେଦନ କରିଥିଲେ। ହେଲେ, ଫାଇଲ୍ କାମ କରିବା ଓ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ସଞ୍ଜୟ ତାଙ୍କୁ ଲାଞ୍ଚ ମାଗିଥିଲେ। ଫଳରେ ଦଣ୍ଡପାଣି ଭିଜିଲାନ୍ସ୍‌ରେ ଅଭିଯୋଗ କରିବା ପରେ କେସ୍ ନମ୍ବର ୨୬ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ଯୋଜନାମୁତାବକ ଆଜି, ଲାଞ୍ଚ ଟଙ୍କା ଦେବାପାଇଁ ସଞ୍ଜୟଙ୍କୁ ଦଣ୍ଡପାଣି ଫୋନ୍ କରି କୋଦଳାସ୍ଥିତ ଏକ ହୋଟେଲ୍‌କୁ ଡାକିଥିଲେ। ଟଙ୍କା ସହ ବାଦାମ ଓ ମୁଗ ଆଣିଥିଲେ। ଏହିସମୟରେ ଭିଜିଲାନ୍ସ ଅଧିକାରୀମାନେ ସଞ୍ଜୟଙ୍କୁ କାବୁ କରି ନେଇଥିଲେ। ତାଙ୍କଠୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ପଚରାଉଚରା ପାଇଁ ସଞ୍ଜୟଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି। ଏହାସହ ଏକକାଳୀନ ତିନିଟି ସ୍ଥାନରେ ଛାନ୍‌ଭିନ୍ ଜାରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର