୧୫ ଦିନ ହେଲା ନ’ତାଲାରେ ଚାଲିଛି ଅମଲା ଆନ୍ଦୋଳନ : ସରକାରୀ କାର୍ଯ୍ୟ ଠପ୍‌

ନ’ତାଲାକୁ ଯାଇ ସମର୍ଥନ ଦେଲେ ଧର୍ମେନ୍ଦ୍ର; ବିଜେଡି କହିଲା, କେନ୍ଦ୍ର ମନ୍ତ୍ରୀଙ୍କ କୁମ୍ଭୀର କାନ୍ଦଣା

ଭୁବନେଶ୍ୱର : ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି। ରାଜ୍ୟ ପ୍ରଶାସନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ନ’ତାଲା(ନିର୍ଦ୍ଦେଶାଳୟ ସମୂହ) ଏକପ୍ରକାର ଅଚଳ ହୋଇପଡ଼ିଛି। କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରି ବାହାରେ ଧାରଣା ଦେଇଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ଆନ୍ଦୋଳନକୁ ନେଇ ସରକାର ଅକଳରେ ପଡ଼ିଥିଲା ବେଳେ ଆଜି ଏଥିରେ ରାଜନୀତି ପଶିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ’ତାଲା ଯାଇ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଧର୍ମେନ୍ଦ୍ରଙ୍କ ଏପରି ଅତର୍କିତ ସମର୍ଥନକୁ ବିଜେଡି ସହଜରେ ଗ୍ରହଣ କରି ନ ପାରି ପାଲଟା ଆକ୍ରମଣ କରିଛି।

କର୍ମଚାରୀମାନଙ୍କ ଅଭିଯୋଗ ହେଉଛି, ସରକାରଙ୍କ କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଅହଙ୍କାର ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି। କ୍ୟାଡ଼ର ପୁନର୍ବିନ୍ୟାସ ନଥିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ ମଧ୍ୟ ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗର କିଛି ବରିଷ୍ଠ ଅଧିକାରୀ ଅମଲାମାନଙ୍କ ସ୍ୱାର୍ଥ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଅଧିକାରୀମାନେ କ୍ଷମତାର ଅପବ୍ୟବହାର କରି ନିଜ ଆକ୍ରୋଶକୁ ଜାହିର କରିବା ପାଇଁ କର୍ମଚାରୀଙ୍କୁ ଅପଦସ୍ଥ କରୁଛନ୍ତି ବୋଲି ଓଡ଼ିଶା ବିଭାଗୀୟ ମୁଖ୍ୟ ଅମଲା ସଂଘର ସାଧାରଣ ସଂପାଦକ ସୁଧାଂଶୁ ପାତ୍ର ଓ ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘର ସଭାପତି ସୁବ୍ରତ ମହାନ୍ତି ଅଭିଯୋଗ କରିଛନ୍ତି। ଆଜି କର୍ମଚାରୀମାନେ ନ’ତାଲା ପରିସରରେ ଧାରଣା ଦେବା ସହ ଅନ୍ୟ ସମସ୍ତ ବର୍ଗର କର୍ମଚାରୀ ଓ ଅଧିକାରୀମାନଙ୍କୁ କାର୍ଯ୍ୟାଳୟ ଯିବାକୁ ବାରଣ କରିଥିଲେ। ନ’ତାଲା ସମେତ କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ଥିବା ସମସ୍ତ ନିର୍ଦ୍ଦେଶାଳୟର ମଧ୍ୟ ପ୍ରଶାସନିକ କାର୍ଯ୍ୟ ଠପ୍‌ ହୋଇଯାଇଛି। ଦୈନିକ ଶତାଧିକ ଲୋକଙ୍କ କାମ ନ’ତାଲାରେ ପଡ଼ୁଥିଲା ବେଳେ ଆନ୍ଦୋଳନ ଯୋଗୁଁ ସେମାନେ ନିରାଶ ହୋଇ ଫେରୁଛନ୍ତି। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଅପର ପକ୍ଷେ ଆଜି ଅପରାହ୍ନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ’ତାଲାରେ ପହଞ୍ଚି ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇ ସେମାନଙ୍କ ସହ ବସିଥିଲେ। ଶ୍ରୀ ପ୍ରଧାନ କହିଥିଲେ, କର୍ମଚାରୀଙ୍କ ଦାବି ଯୁକ୍ତିଯୁକ୍ତ। ୧୫ ଦିନ ହେଲା କଲମ ଛାଡ଼ ଆନ୍ଦୋଳନ ଚାଲିଛି। ଲୋକେ ହଇରାଣ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାର ୪/୫ ମାସ ବିତିଗଲାଣି। ମୁଖ୍ୟମନ୍ତ୍ରୀ ବାମ ହାତରେ ଦସ୍ତଖତ କରିଥିବା କାମକୁ ଡାହାଣ ହାତ ମାନୁନି। ତେଣୁ କେଉଁ ଅଧିକାରୀମାନେ ଏଥିରେ ବାଧକ ସାଜୁଛନ୍ତି, ତାହା ମୁଖ୍ୟମନ୍ତ୍ରୀ ବିଚାର କରିବାର ଦରକାର। ମୁଖ୍ୟମନ୍ତ୍ରୀ ଦସ୍ତଖତ କଲା ପରେ ଆଉ କେଉଁ ଶକ୍ତିଶାଳୀ ବ୍ୟକ୍ତି ତାହାକୁ ଅଟକାଉଛନ୍ତି, ବୁଝାପଡ଼ୁ ନାହିଁ। ତୁରନ୍ତ ଏହାର ସମାଧାନର ବାଟ ବାହାର କରାଯିବାକୁ ସେ ଦାବି କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସମାଲୋଚନା କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଅମଲା ସଂଘ ଆନ୍ଦୋଳନରେ କେନ୍ଦ୍ର ମନ୍ତ୍ରୀ ଯାହା କହିଛନ୍ତି, ତାହା ହାସ୍ୟାସ୍ପଦ ଓ ତାଙ୍କର ଦୋମୁହାଁ ନୀତିକୁ ପଦାରେ ପକାଉଛି। ବିଗତ ସାଢ଼େ ୪ ବର୍ଷ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚାଇଛନ୍ତି। ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କର ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ନ କରି କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱର ଭ୍ରମଣ କରି କୁମ୍ଭୀର କାନ୍ଦଣା କାନ୍ଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନିଜର କାର୍ଯ୍ୟରେ ଧ୍ୟାନ ନ ଦେଇ ଅନ୍ୟ କାର୍ଯ୍ୟରେ ମାତ୍ରାଧିକ ହସ୍ତକ୍ଷେପ କରିବା କେନ୍ଦ୍ରମନ୍ତ୍ରୀଙ୍କ ଅଭ୍ୟାସଗତ ତ୍ରୁଟିରେ ପରିଣତ ହୋଇଗଲାଣି। ମହାନଦୀ, ପୋଲାଭରମ୍‌ ଓ ଛତିଶଗଡ଼ ଯୋଗୁଁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପ୍ରସଙ୍ଗରେ ଶ୍ରୀ ପ୍ରଧାନ କାହିଁକି ମୌନ ରହୁଛନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର