ଓରେରା ନିୟମରେ ସଂଶୋଧନ: ଘର ମୂଲ୍ୟ ଉପରେ ଟିକସ ଦେବେନି ଗ୍ରାହକ

ଭୁବନେଶ୍ବର : ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଗେଜେଟ୍‌ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ରିଅଲ ଇଷ୍ଟେଟ୍‌ (ନିୟମାବଳୀ ଏବଂ ବିକାଶ) ନିୟମ-୨୦୧୭ରେ ସଂଶୋଧନ କରିଛନ୍ତି। ଓଡ଼ିଶା ରିଅଲ ଇଷ୍ଟେଟ୍‌ (ନିୟମାବଳୀ ଏବଂ ବିକାଶ) ସଂଶୋଧିତ ନିୟମ-୨୦୨୨ ଆଣିଛନ୍ତି। ଏଥିରେ ଗ୍ରାହକଙ୍କ ପାଇଁ ବ୍ୟାପକ ସୁବିଧା କରାଯାଇଛି। ଯେପରି ରିଅଲ ଇଷ୍ଟେଟ୍‌ ସଂସ୍ଥା କ୍ରେତାଙ୍କୁ ଅତିରିକ୍ତ ଦେୟ ଚାର୍ଜ କରି ଠକି ପାରିବେନି ସେନେଇ ନିୟମରେ ସଂଶୋଧନ ଅଣାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ରିଅଲ ଇଷ୍ଟେଟ୍ ସଂସ୍ଥା ଘର/ଜମି କ୍ରେତାଙ୍କ ଠାରୁ ଜିଏସ୍‌ଟି, ସେସ୍‌ କି ଅନ୍ୟାନ୍ୟ ଟିକସ ନେଇପାରିବେନି। ସେମାନେ ଘର ମୂଲ୍ୟ ବାଦ୍‌ କିଛି ଟିକସ ନେଇପାରିବେନି। ଯଦି ଭବିଷ୍ୟତରେ କିଛି ଟିକସ ବ୍ୟବସ୍ଥା ବଦଳେ ତେବେ ଅତିରିକ୍ତ ଟିକସ କ୍ରେତା ଦେବେ। ରିଅଲଇଷ୍ଟେଟ୍ ସଂସ୍ଥା ଘରର ନିର୍ମାଣ ଖର୍ଚ୍ଚ, ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ କରିବେ।

ସେହିପରି ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ପ୍ରକଳ୍ପ ଶେଷ ହେଲେ କ୍ରେତା ଘର ପାଇଁ ଅଧିକ ଅର୍ଥ ଦେବେନି। ରିଅଲ ଇଷ୍ଟେଟ୍ ସଂସ୍ଥା ଏନେଇ ମଧ୍ୟ ବାଧ୍ୟ କରିପାରିବେନି। ଆପାର୍ଟମେଣ୍ଟରେ ସର୍ବସାଧାରଣ ବ୍ୟବହାର ପାଇଁ ଥିବା ଅଞ୍ଚଳଗୁଡ଼ିକୁ ପୃଥକ ପୃଥକ କରି ବିକ୍ରି କରାଯାଇପାରିବନି। ଏହାଦ୍ବାରା ବିଲଡର୍‌ମାନେ ପାର୍କିଂ ଅଞ୍ଚଳ ବାବଦକୁ ଯେଉଁ ଅର୍ଥ ନେଉଥିଲେ ତାହା ନେଇପାରିବେନି। ଏପରିକି ସମ‌ସ୍ତେ ସବୁ ଅଞ୍ଚଳକୁ ବ୍ୟବହାର କରିପାରିବେ। ପାର୍କିଂ ଅଞ୍ଚଳରେ କୌଣସି କଟକଣା ରହିବନି। ସର୍ବସାଧାରଣ ସ୍ଥାନରେ ଅଗ୍ନିନିର୍ବାପକ ସରଞ୍ଜାମ ଲାଗିଥିଲେ ଏହା ବାବଦକୁ ବିକ୍ରେତା ଅତିରିକ୍ତ ଅର୍ଥ ନେଇପାରିବେନି। ତାହା ଘର ମୂଲ୍ୟରେ ଅନ୍ତର୍ଭୁକ୍ତ ହେବ। ଅକୁପାନ୍ସି ସାର୍ଟିଫିକେଟ୍ ପାଇବା ପରେ ବିକ୍ରେତା ସଂସ୍ଥା ସର୍ବସାଧାରଣ ସ୍ଥାନକୁ ଘର କ୍ରେତାଙ୍କ ଦ୍ବାରା ଗଠନ ହୋଇଥିବା ସଂଘକୁ ହସ୍ତାନ୍ତର କରିବ।

ଘର/ଜମି କିଣିବା ପାଇଁ ଯିଏ ବୁକିଂ କରିଥିବେ ‌ସିଏ ଘର କାମ ବୁଲିକି ଦେଖିପାରିବେ। ଉକ୍ତ ପ୍ରକଳ୍ପକୁ ଅକୁପାନ୍ସି ସାର୍ଟିଫିକେଟ୍‌ ମିଳିବାର ୨ମାସ ଭିତରେ ରିଅଲଇ‌େଷ୍ଟଟ୍ ସଂସ୍ଥା ଡିଡ୍‌ କରିବାକୁ ବାଧ୍ୟ। ଯଦି କ୍ରେତାଙ୍କର କିଛି ଅସୁବିଧା ଥିବ ତେବେ ଏହା ଆଉ ମାସେ ଘୁଞ୍ଚିପାରିବ। ଘରେ ରହିବା ପରେ କ୍ରେତା ରକ୍ଷଣାବେକ୍ଷଣ ବାବଦକୁ ଫି’ ଦେବେ। ଏହିଭଳି ଗ୍ରାହକଙ୍କୁ ସୁହାଇଲା ଭଳି ଓରେରା ନିୟମରେ କିଛି ସଂଶୋଧନ କରାଯାଇଛି।

ସମ୍ବନ୍ଧିତ ଖବର