କୋଟିଆ ପରେ ରାଇପାଡ଼ ଉପରେ ଆନ୍ଧ୍ରର ନଜର: ନନ୍ଦପୁରର ସୀମାନ୍ତ ଗାଁକୁ ଅକ୍ତିଆର କରିବା ପାଇଁ ପ୍ରୟାସ ଚଳାଇଛି

ଲୋକଙ୍କୁ ଆନ୍ଧ୍ର ଦେଇଛି ରାସନ କାର୍ଡ, ଆଧାର କାର୍ଡ, ଓଡ଼ିଶା ସରକାରଙ୍କ ଯୋଜନାର ଚିହ୍ନବର୍ଣ୍ଣ ନାହିଁ

ନନ୍ଦପୁର: ‌କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘଦିନ ହେଲା ଲାଗି ରହିଛି ବିବାଦ। ଦିନକୁ ଦିନ ବିବାଦ ଜଟିଳ ହେବାରେ ଲାଗିଥିବାବେଳେ ଏମିତି ସମୟରେ ଆନ୍ଧ୍ର ସରକାରଙ୍କ ଆଉ ଏକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଓଡ଼ିଶାର ସୀମାନ୍ତ ଗାଁରେ ପଶି ଓଡ଼ିଶାବାସୀଙ୍କୁ ଯୋଗାଇ ଦେଇଛନ୍ତି ମୌଳିକ ସୁବିଧା। ଏପରିକି ଗ୍ରାମବାସୀଙ୍କୁ ପ୍ରଲୋଭିତ କରି ସମସ୍ତଙ୍କୁ ଦେଇଛନ୍ତି ଆନ୍ଧ୍ରର ପରିଚୟପତ୍ର। ଆନ୍ଧ୍ର ସୀମାନ୍ତ ତଥା ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତର କିଛି ଗାଁକୁ ଆନ୍ଧ୍ରର ଅକ୍ତିଆର ପାଇଁ ଚାଲିଥିବା ଏମିତି କରାସାଦିକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଆନ୍ଧ୍ର ସୀମାକୁ ଲାଗି ରହିଛି ନନ୍ଦପୁର ବ୍ଲକ୍‌ର ରାଇପାଡ଼ ଗାଁ। ଆନ୍ଧ୍ର ସରକାର ଏହି ଗାଁରେ ଅନୁପ୍ରବେଶ କରି ବିଭିନ୍ନ ଜନମଙ୍ଗଳ ଯୋଜନାରେ ଗ୍ରାମବାସୀଙ୍କୁ ଯୋଗାଇ ଦେଇଛନ୍ତି ମୌଳିକ ସୁବିଧା। ଆନ୍ଧ୍ର ସରକାରଙ୍କ ଦ୍ବାରା ଲୋକେ ବି ଏତେମାତ୍ରାରେ ଉପକୃତ ହୋଇଛନ୍ତି ଯେ, ଲୋକେ ବି ଆନ୍ଧ୍ର ଆଡ଼କୁ ଢଳିବାରେ ଲାଗିଛନ୍ତି। ଗାଁରେ ୧୫ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୭୯। ସମସ୍ତ ପରିବାରକୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ରାସନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟପତ୍ର ଆଦି ପ୍ରଦାନ କରାଯାଇଛି। ସେହିପରି ମାଗଣା ବିଜୁଳି, ଦୁଇଟି ପାଣି ଟାଙ୍କି ସାହାଯ୍ୟରେ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଗାଁର ଭିମାନା ଗେମେଲ, ନିଲାମା ଗେମେଲ, ଗୁଣ୍ଡୁ ଗେମେଲ, ଦଶରଥ ଗେମେଲଙ୍କୁ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ କରାଯାଇଛି। ବୁଦୁ ହନ୍ତାଳଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଫାଉଣ୍ଡେସନ ପାଇଁ ଟଙ୍କା ମିଳିଛି। ସ୍ୱଚ୍ଛ ଭାରତ ଯୋଜନାରେ ନିଲାନା ଗେମେଲ, କମଲୁ ଖରା, ରାଜୁ ଖିଲ, ନାଗେଶ୍ୱର ହନ୍ତାଳ, ଏଙ୍କେଟ ରାଓ ଖିଲକୁ ପାଇଖାନା ପାଇଁ ଟଙ୍କା ମିଳିଛି। ଗାଁର ପିଲାଙ୍କୁ ଶିକ୍ଷିତ କରିବାକୁ ବି ସଂପୂର୍ଣ୍ଣ ଦାୟିତ୍ବ ନେଇ ବିଦ୍ୟାଳୟ ସ୍ଥାପନ କରିଛନ୍ତି ଆନ୍ଧ୍ର ସରକାର। ୧୨ଜଣ ପିଲା ଏହି ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ କରୋନା କଟକଣା କାରଣରୁ ଗତ ଏପ୍ରିଲ ମାସରୁ ଶିକ୍ଷକ ବିଦ୍ୟାଳୟ ଆସୁ ନାହାନ୍ତି। ତେବେ ଗାଁର ୭ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବେ ଆନ୍ଧ୍ରପ୍ରଦେଶର ଆମ୍ବି ସ୍ଥିତ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଉଛନ୍ତି। ଗାଁ ପାର୍ଶ୍ବଦେଇ ପ୍ରବାହିତ ନଦୀ ପାର ହୋଇ ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଉଛନ୍ତି। ରାସନ ଏବଂ ଅନ୍ୟାନ୍ୟ ସାମଗ୍ରୀ ନିମନ୍ତେ ଲୋକେ ଆମ୍ବି ଗାଁ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କୁ ଦିଆଯାଇଥିବା ଆଧାର କାର୍ଡରେ ଗାଁ ନାମ ରାଇପାଡୁ, ଡୁମ୍ବିରିଗୁଡ଼ା ମଣ୍ଡଳମ, କାଣ୍ଡରୁମ, ବିଶାଖାପାଟଣା ବୋଲି ଉଲ୍ଲେଖ ହୋଇଛି।

ଅନ୍ୟପଟେ ଓଡ଼ିଶା ସରକାରଙ୍କ ଅବହେଳାର ଶିକାର ହୋଇ ବହୁ ବର୍ଷ ହେଲା ରହିଥିଲେ ଗ୍ରାମବାସୀ। ଓଡ଼ିଶା ସରକାରଙ୍କ କୌଣସି ଯୋଜନାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ବହୁ ବର୍ଷ ତଳେ ଗାଁକୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ବି ନଷ୍ଟ ହୋଇ ସାରିଲାଣି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗାଁର ମୁସୁରି ଖରାଙ୍କୁ କେବଳ ପକ୍କା ଘର ନିର୍ମାଣ କରିବାକୁ ଟଙ୍କା ଦିଆଯାଇଥିବା ୱାର୍ଡ ସଭ୍ୟ ସାଲପୁ ପାଙ୍ଗି ପ୍ରକାଶ କରିଛନ୍ତି। ଯଦି ସମୟ ଥାଉଣୁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆ ନଯାଏ ତେବେ ନିଶ୍ଚିତ ରୂପେ ଆନ୍ଧ୍ର ଏହି ଗାଁକୁ ଅକ୍ତିଆର କରିନେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏମିତି ସ୍ଥିତିରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର, ସ୍ଥାୟୀ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର