ଓଡ଼ିଶା ସୀମାରେ ଆନ୍ଧ୍ରର ନୂଆ ଜିଲ୍ଲା: କୋଟିଆକୁ ନେଇ ଉତ୍କଣ୍ଠା ବଢ଼ିଲା

୪ ତାରିଖରେ ଘୋଷଣା ହେବ ମାନ୍ୟମ ଜିଲ୍ଲା

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର କୋଟିଆ ଗ୍ରାମପୁଞ୍ଜକୁ ନେଇ ବିବାଦ ଲାଗି ରହିଛି। କେବେ ଏହି ବିବାଦର ସ୍ଥାୟୀ ସମାଧାନ ହେବ ଜଣାପଡ଼ୁନି। ଏହାରି ମଧ୍ୟରେ ଆନ୍ଧ୍ରର ଗୋଟିଏ ନୂଆ ତଥା ବଡ଼ ଘୋଷଣା ଆଗକୁ ପୁଣି ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦକୁ ବଢ଼ାଇବ ବୋଲି ଆଶଙ୍କା କରାଗଲାଣି। ତେଣୁ ଏବେଠାରୁ ଓଡ଼ିଶା ପ୍ରଶାସନ ସଜାଗ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସୂଚନା‌ ଅନୁଯାୟୀ, ଜାନୁଆରି ୨୬ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ରାଜ୍ୟର ଜିଲ୍ଲା ସଂଖ୍ୟା ବଢ଼ାଇବା ପାଇଁ ଘୋଷଣା କରିଥିଲେ। ୧୩ଟି ଜିଲ୍ଲାକୁ ଭାଗ କରି ୨୬ଟି ଜିଲ୍ଲାରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ। ସେହି ଘୋଷଣା ଅନୁସାରେ ଏପ୍ରିଲ ୪ତାରିଖରେ ବିଧିବଦ୍ଧ ଭାବେ ନୂଆ ଜିଲ୍ଲାକୁ ମାନ୍ୟତା ଦେଇ ସୀମା ଏବଂ ନାମ ସାର୍ବଜନୀନ କରାଯିବ। ପୂର୍ବରୁ କୋଟିଆ ସୀମାକୁ ଲାଗି ରହିଥିବା ବିଜୟନଗର ଜିଲ୍ଲାକୁ ଭାଗ କରି ନୂଆ ଜିଲ୍ଲା ମାନ୍ୟତା ଦେଇ ମାନ୍ୟମ ବୋଲି ନାମକରଣ କରାଯାଇଛି। ପୁରୁଣା ବିଜୟନଗର ଜିଲ୍ଲାର ପାର୍ବତୀପୁରମ ରାଜସ୍ବ ମଣ୍ଡଳ ଓ ଶ୍ରୀକାକୁଲମ୍‌ ଜିଲ୍ଲାର ପାଲାକୋଣ୍ଡା ରାଜସ୍ବ ମଣ୍ଡଳକୁ ନେଇ ଏହି ନୂଆ ଜିଲ୍ଲା ଗଠିତ ହୋଇଛି।  ଶ୍ରୀକାକୁଲମ ରାଜସ୍ବ ମଣ୍ଡଳ ଅଧୀନରେ କୋଟିଆ ଗ୍ରାମପୁଞ୍ଜ ରହିଛି। ଏହି ଗ୍ରାମପୁଞ୍ଜକୁ ଆନ୍ଧ୍ର ତିନୋଟି ପଞ୍ଚାୟତରେ ଭାଗ କରିଛି। କୋଟିଆରେ ରହିଥିବା ୨୮ଟି ରାଜସ୍ବ ଗାଁ ଓ ୧୨ ପଡା ଗାଁକୁ ମିଶାଇବାକୁ ଆନ୍ଧ୍ର ପ୍ରୟାସ ଜାରି ରଖିଥିବା ବେଳେ ଏହି ନୂଆ ଜିଲ୍ଲା ଗଠନ ପରେ ନୂଆ ପ୍ରଶାସନ ବି ସେହି କାମରେ ଲାଗିବ ବୋଲି କୁହାଯାଉଛି।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଜଗନ ମୋହନ ରେଡ୍ଡି ସରକାରକୁ ଆସିବା ପରେ କ୍ଷମତାର ବିକେନ୍ଦ୍ରୀକରଣ କରିବାକୁ ଯୋଜନା କରିଥିଲେ। ପୂର୍ବରୁ ରହିଥିବା ୧୩ଟି ଜିଲ୍ଲାକୁ ୨୬ଟି ଜିଲ୍ଲାରେ ପରିଣତ କରିବାକୁ ସେ ପଦକ୍ଷେପ ନେଇଥିଲେ। ମାନ୍ୟମ ଜିଲ୍ଲା ଗଠନ ହେବାପରେ ପାର୍ବତୀପୁରମକୁ ଜିଲ୍ଲା ମୁଖ୍ୟାଳୟ କରିବାକୁ ଯୋଜନା ହୋଇଛି। ତେବେ ଏହି ମାନ୍ୟମ ଜିଲ୍ଲା ଗଠନ ପଛରେ ମଧ୍ୟ ଆନ୍ଧ୍ରର ସୁଚିନ୍ତିତ ରଣନୀତି ରହିଛି। ତେଲୁଗୁରେ ମାନ୍ୟମ ଅର୍ଥ ପଛୁଆ। ମାନ୍ୟମ ଜିଲ୍ଲା ଅଧୀନକୁ କୋଟିଆ ଗ୍ରାମପୁଞ୍ଜ ଆସିବା, ତେଣୁ ଏହାକୁ ପଛୁଆ ଭାବେ ଘୋଷଣା କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିବେ ଜଗନ ସରକାର। ପୂର୍ବରୁ ବିଜୟନଗରରୁ କୋଟିଆର ଦୂରତା ୧୨୦ରୁ ଅଧିକ ରହିଥିବା ବେଳେ ପାର୍ବତୀପୁରମ ନୂଆ ଜିଲ୍ଲା ମୁଖ୍ୟାଳୟ ହେବା ପରେ ଦୂରତା ଅଧାରୁ ଅଧିକ କମିଯିବ। ଫଳରେ ସରକାରୀ କର୍ମଚାରୀ ଖୁବ କମ୍‌ ସମୟରେ କୋଟିଆରେ ପଶିବେ ଏବଂ କାମ ତୁଟାଇ ଫେରିଯାଇ ପାରିବେ। ପାର୍ବତୀପୁରମ ପିଓ ଆଇଟିଡିଏ ଭାବେ ଦାୟିତ୍ବ ତୁଲାଉଥିବା ଆର.କୁର୍ମାନାଥଙ୍କୁ ମଧ୍ୟ ନୂଆ ଜିଲ୍ଲା ଗଠନ ଦ୍ବାରା କୋଟିଆରେ ପ୍ରବେଶ ପାଇଁ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର