ପରିତ୍ୟକ୍ତ ଟିଣ ଛପର ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର, ପାଠ ପଢୁଛନ୍ତି ୬୦ ଜଣ ଶିଶୁ

କୋରେଇ : ଶିଶୁଙ୍କ ପ୍ରାକ୍‌ ଶିକ୍ଷା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ତିଆରି ହୋଇଛି ପକ୍କାଘର। ଦୀର୍ଘ ୬ ମାସ ହେବ କାମ ସମ୍ପୂର୍ଣ୍ଣ ହେଲାଣି। ହେଲେ ବିଭାଗୀୟ ଅଧିକାରୀଙ୍କ କାଳକ୍ଷେପଣ ନୀତି ଯୋଗୁଁ ହସ୍ତାନ୍ତର ହେଉନି ଘର। ଏହି କାରଣରୁ ଏକ ପରିତ୍ୟକ୍ତ ଘରେ ପାଠ ପଢୁଛନ୍ତି ୬୦ ଜଣ ଅଙ୍ଗନବାଡ଼ି ଶିଶୁ। ଏହି ପିଲାଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି।

କୋରେଇ ବ୍ଲକ ବଡ଼ବିରୁହାଁ ପଞ୍ଚାୟତ ବେଙ୍ଗମାଧବପୁର ଓ ବନମାଳୀପୁରରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ନିଜସ୍ବ ଘର ନଥିବାରୁ ବହୁଦିନ ଧରି କେନ୍ଦ୍ର ଦୁଇଟି ନିକଟସ୍ଥ ସ୍କୁଲର ଏକ ପରିତ୍ୟକ୍ତ ଟିଣ ଛପର ଘରେ ଚାଲିଛି। ବର୍ଷ ବର୍ଷ ହେବ ମରାମତି ହୋଇନଥିବାରୁ ଟିଣରୁ ପାଣି ଗଳୁଛି। ଏହି ଘରେ ଉଭୟ ବନମାଳୀପୁର ଓ ବେଙ୍ଗମାଧବପୁର ଗ୍ରାମର ୬୦ ଜଣ ଶିଶୁ ପାଠ ପଢୁଛନ୍ତି। ଘରଟିର ଭିତରେ ଓ ବାହାରେ ନାନାଦି ପ୍ରକାର ଆବର୍ଜନା ରହିଛି। ପ୍ରାୟ ସମୟରେ ବିଭିନ୍ନ ସରୀସୃପ ମଧ୍ୟ ଦେଖାଯାନ୍ତି। ଫଳରେ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ଗାଁ ଲୋକଙ୍କ ସୂଚନା ଅନୁସାରେ ବେଙ୍ଗମାଧବପୁରରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଗତବର୍ଷ ଟଙ୍କା ମଞ୍ଜୁର ହୋଇଥିଲା। ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ହୋଇ କାମ ସମ୍ପୂର୍ଣ୍ଣ ହୋଇଛି। ଏନେଇ ବଡ଼ବିରୁହାଁର ପୂର୍ବତନ ସମିତିସଭ୍ୟ ପ୍ରମୋଦ କୁମାର ସାହୁ ଏକାଧିକବାର ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ବିଲ୍ ପାଇନଥିବାରୁ ଘର ହସ୍ତାନ୍ତର କରାଯିବ ନାହିଁ ବୋଲି ଉତ୍ତର ମିଳିଥିବା କହିଛନ୍ତି। ଘଟଣା ବିଷୟରେ ଜାଣି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ତୁରନ୍ତ ପଦକ୍ଷେପ ନେବାକୁ କୋରେଇ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ଏନେଇ କୋରେଇ ବିଡିଓ ରଂଜନ କୁମାର ପରିଡ଼ା କହିଛନ୍ତି ଯେ ଘର କାମ ସମ୍ପୂର୍ଣ୍ଣ ହୋଇଛି ଏବଂ ତୁରନ୍ତ ତାହା ଶିଶୁ ବିକାଶ ବିଭାଗକୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର