ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ପାଇଁ ପ୍ରସ୍ତୁତ ହେବ ବାର୍ଷିକ କ୍ୟାଲେଣ୍ଡର

ଭୁବନେଶ୍ୱର : ଚଳିତବର୍ଷଠାରୁ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ନିର୍ଦ୍ଦେଶାଳୟ ପକ୍ଷରୁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ। ଉକ୍ତ ତିନି ସଂସ୍ଥା ବର୍ଷତମାମ ହେଉଥିବା କାର୍ଯ୍ୟକ୍ରମକୁ ନେଇ କ୍ୟାଲେଣ୍ଡର କରିବେ। ଏଦିଗରେ ତୁରନ୍ତ ପଦ‌କ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଥିବା ୨ କୋଟି ୪୯ ଲକ୍ଷ ୫୪ ହଜାର ୧୨୭ ପାଠ୍ୟପୁସ୍ତକ ମଧ୍ୟରୁ ୨ କୋଟି ୪୨ ଲକ୍ଷ ୧୪ ହଜାର ୭୧୨ ପାଠ୍ୟପୁସ୍ତକ ବିଦ୍ୟାଳୟସ୍ତରରେ ପହଞ୍ଚିଛି। ଆସନ୍ତା ଏପ୍ରିଲ ୩ରେ ବିଦ୍ୟାଳୟଗୁଡ଼ିକରେ ହେବାକୁ ଥିବା ପ୍ରବେଶ ଉତ୍ସବ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟପୁସ୍ତକ ବିତରଣ କରାଯିବାକୁ ସ୍ଥିର କରାଯାଇଛି। ସେହିପରି ନବମ ଓ ଦଶମ ଶ୍ରେଣୀସ୍ତରରେ ଆବଶ୍ୟକ ପଡ଼ୁଥିବା ଆନୁମାନିକ ୮ ଲକ୍ଷ ପାଠ୍ୟପୁସ୍ତକ ମୁଦ୍ରଣ କରାଯାଇ ମାର୍ଚ୍ଚ ୨୦ ସୁଦ୍ଧା ସମସ୍ତ ବିତରଣକାରୀଙ୍କୁ ଅବଗତ କରିବା ପାଇଁ ସ୍ଥିର ହୋଇଛି। ଏଥିସହ ମାର୍ଚ୍ଚ ୨୪ରୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ବିତରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୨.୫ ଲକ୍ଷ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପାଠ୍ୟପୁସ୍ତକ ବିତରଣ ଏହି ସମୟ ମଧ୍ୟରେ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ବୈଠକରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଶାସନ ସଚିବ ରମେଶ କେର୍‌କେଟା, ଯୁଗ୍ମ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ଶୁଭଶ୍ରୀ ନନ୍ଦ, ଶିକ୍ଷା ପରାମର୍ଶଦାତା ଖଗେନ୍ଦ୍ର କୁମାର ପାଢ଼ୀ, ଉପନିର୍ଦ୍ଦେଶକ, ଉପଶାସନ ସଚିବ ପ୍ରଣତି ମିଶ୍ର ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର