ପ୍ରଥମ ମୃତ୍ୟୁର ଠିକ୍ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ଵିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି | ଏହି ୭୭ ବର୍ଷୀୟ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ହୋଇଥିବାବେଳେ ତାଙ୍କର ମଧୁମେହ ସହ କିଡ଼ନୀ ଜନିତ ସମସ୍ୟା ଥିଲା | ଗତକାଲି କିମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ଠିକ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା  ମୃତ୍ୟୁ ହୋଇଛି | ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା |


ଏଠାରେ ସୂଚନା ଥାଉ କି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଝାରପଡ଼ାର  ୭୨ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା | କ୍ରୋନିକ ହାଇପରଟେନସନ ଯୋଗୁଁ ଝାରପଡା ଅଂଚଳର ଏହି ଵ୍ୟକ୍ତି ଜଣକ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ |

ଏମ୍‌ସ ଭୁବନେଶ୍ବର ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଥିଲା ଯେ ଏପ୍ରିଲ୍ ୪ ତାରିଖ ଦିନ ଗୋଟାଏରେ ବ୍ୟକ୍ତି ଜଣକ ଏମ୍‌ସକୁ ଆସିଥିଲେ। ଜ୍ବର ଓ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେଉଥିବା କାରଣରୁ କୋଭିଡ୍‌-୧୯ ଲକ୍ଷଣ ସନ୍ଦେହରେ ତାଙ୍କୁ ତୁରନ୍ତ ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ଅକ୍ସିଜେନ ଓ ଅନ୍ୟାନ୍ୟ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୬ତାରିଖରେ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ତାଙ୍କ କୋଭିଡ୍‌-୧୯ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଥିଲା। ପରବର୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଜଣକ କରୋନା ପଜିଟିଭ୍ ଥିବା ଏମ୍‌ସ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା।

ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୪୭୪୫୪ ନମୁନା ପରୀକ୍ଷା ହୋଇଥିବାବେଳେ ୧୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୧୧୫ ଜଣ ସକ୍ରିୟ ଚିକିତ୍ସିତ ହେଉଛନ୍ତି। ସେହିପରି ୬୦ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର