ପୁଲିସ କବ୍‌ଜାରେ ଆଉ ଜଣେ ରସିକିଆ ଡାକ୍ତର: ଏସ୍‌ସିବି ମେଡିକାଲରେ ଅଛନ୍ତି ପ୍ଲାଷ୍ଟିକ୍ ସର୍ଜନ

ଏକାଧିକ ବିବାହ କରି ଠକିଥିବା ଅଭିଯୋଗ, ଅଭିଯୋଗ ଆଣିଲେ ଫିଜିଓଥେରାପିଷ୍ଟ ପତ୍ନୀ

ଭୁବନେଶ୍ବର: ପୂର୍ବରୁ ପୁଲିସ ହାତରେ ଧରା ପଡ଼ିଥିବା ନକଲି ଡାକ୍ତର ରମେଶ ସ୍ବାଇଁ ୨୧ ଜଣ ମହିଳାଙ୍କୁ ବିବାହ କରିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏପରିକି ଏହା ଜାତୀୟ ଖବର ମଧ୍ୟ ପାଲଟି ଯାଇଥିଲା। ଏବେ ଆଉ ଜଣେ ରସିକିଆ ଡାକ୍ତରଙ୍କ କାରନାମା ସାମ୍ନାକୁ ଆସିଛି। ତୃତୀୟ ପତ୍ନୀ ବୋଲି ଦାବି କରୁଥିବା ଜଣେ ମହିଳାଙ୍କ ଅଭିଯୋଗକୁ ଆଧାର କରି ରସିକିଆ ଡାକ୍ତରଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ। ଗିରଫ ଡାକ୍ତର ହେଲେ ଏସ୍‌ସିବି ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜନ ଆଶିଷ ପଟ୍ଟନାୟକ। ପାହାଳ ନିକଟର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ମହିଳା ଥାନା ପୁଲିସ ତାଙ୍କୁ ଜେରା ଚଳାଇଥିବା ବେଳେ ଆସନ୍ତାକାଲି କୋର୍ଟଚାଲାଣ କରାଯିବ। ପୁଲିସ ତୃତୀୟ ପତ୍ନୀଙ୍କର ବୟାନ ମଧ୍ୟ ରେକର୍ଡ କରିଛି।

ଡାକ୍ତର ଆଶିଷ ପଟ୍ଟନାୟକ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ପତ୍ନୀ ଭୁବନେଶ୍ବରରେ ରହୁଛନ୍ତି। କିନ୍ତୁ ଏହାରି ଭିତରେ ଜଣେ ଫିଜିଓଥେରାପିଷ୍ଟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୯ରେ ଆଶିଷ ତାଙ୍କୁ ଡମଣା ଅଞ୍ଚଳରେ ଥିବା ଏକ ତାରିଣୀ ମନ୍ଦିରରେ ଶଙ୍ଖା, ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ। ସେବେଠାରୁ ସେମାନେ ଏକାଠି ରହୁଥିଲେ। ଏକ ଏଗ୍ରିମେଣ୍ଟ କରି ଏହାକୁ ବିବାହ ରେଜିଷ୍ଟ୍ରେସନ ବୋଲି ସମ୍ପୃକ୍ତ ମହିଳାଙ୍କୁ କହିଥିଲେ ଆଶିଷ। ପରେ ହିନ୍ଦୁ ରୀତିନୀତିରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଉ ବିବାହ କରି ନ ଥିଲେ। ଏପରିକି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ସାମାଜିକ ରୀତିନୀତିରେ ବିବାହ ପାଇଁ ଯେତେବେଳେ ତୃତୀୟ ପତ୍ନୀ ଜିଦ୍ ଧରୁଥିଲେ ସେତେବେଳେ ଆଶିଷ ଦିନ ଗଡ଼ାଇ ଚାଲିଥିଲେ। ଦ୍ବିତୀୟ ପତ୍ନୀଙ୍କ ସହ ଛାଡ଼ପତ୍ର ହୋଇ ନ ଥିବା ତୃତୀୟ ପତ୍ନୀ ଜାଣିବାକୁ ପାଇଥିଲେ। ଗତକାଲି ତୃତୀୟ ପତ୍ନୀ ଏ ନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଆଜି ଅପରାହ୍ନରେ ପାହାଳ ନିକଟରେ ଏକ ଘରୋଇ ହସ୍ପିଟାଲରେ ରୋଗୀ ଦେଖିବା ପାଇଁ ଯାଉଥିବା ସମୟରେ ମହିଳା ଥାନା ପୁଲିସ ତାଙ୍କୁ ଉଠାଇ ଆଣିଥିଲା। ଏବେ ସୁଦ୍ଧା ସେ ତିନିଟି ବିବାହ କରିଥିବା ସାମ୍ନାକୁ ଆସିଛି। ଅଭିଯୋଗକାରୀ ଗଣମାଧ୍ୟମକୁ କହିଛନ୍ତି ମୋ ସହ ଯେମିତି ଧୋକା ହୋଇଛି ସେମିତି ଆଉ କାହା ସହ ନ ଘଟୁ।

ସମ୍ବନ୍ଧିତ ଖବର