ଅଣ୍ଟା ସଳଖି ପାରୁନି ପର୍ଯ୍ୟଟନ ପ୍ରକଳ୍ପ: ଘରୋଇକରଣ ଆଳରେ ଅଟକିଛି ଉଡେନ୍‌ ରେଷ୍ଟୁରାଣ୍ଟ ମରାମତି

କୋଣାର୍କ: ୨୦୧୯ ମେ ମାସ ପ୍ରଥମ ସପ୍ତାହରେ ଘଟିଥିବ‌ା ଫନି ବାତ୍ୟାରେ ସବୁଠୁ ବେଶି କ୍ଷୟକ୍ଷତି ହୋଇଥିଲା ପର୍ଯ୍ୟଟନ ଶିଳ୍ପ। କୋଣାର୍କରେ ଥିବା ପର୍ଯ୍ୟଟନ ଶିଳ୍ପର ପ୍ରକଳ୍ପ ଯାତ୍ରୀନିବାସ, ମୁକ୍ତାକାଶ ରଙ୍ଗମଞ୍ଚ, ଗୀତାଞ୍ଜଳି ରେଷ୍ଟୁରାଣ୍ଟ, ଚନ୍ଦ୍ରଭାଗା ଉଡେନ୍‌ ରେଷ୍ଟୁରାଣ୍ଟ ଫନି ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ପର୍ଯ୍ୟଟନ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଥିଲା। ମାତ୍ର ଚନ୍ଦ୍ରଭାଗା ଉଡେନ୍‌ ରେଷ୍ଟୁରାଣ୍ଟ ମରାମତି କାର୍ଯ୍ୟ ଆରମ୍ଭ ହେବାର ମାତ୍ର ଦୁଇଦିନ ପରେ ଏହି କାର୍ଯ୍ୟକୁ ବନ୍ଦ କରି ଦିଆଯାଇଥିଲା।

ଏହି ପ୍ରକଳ୍ପଟିକୁ ଘରୋଇକରଣ କରାଯିବା ପାଇଁ ଲକ୍ଷ୍ୟ ଥିବାରୁ ଏହାର ମରାମତି କରାଯାଇ ନାହିଁ ବୋଲି ପର୍ଯ୍ୟଟନ ବିଭାଗର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ମତ ଦେଇଥିବା ନଜିର୍‌ ରହିଛି। ତେବେ ଫନିରେ କ୍ଷୟକ୍ଷତି ହୋଇଥିବା କୋଣାର୍କର ଅନ୍ୟ ପର୍ଯ୍ୟଟନ ପ୍ରକଳ୍ପ ଗୁଡ଼ିକ ମରାମତି ହୋଇ କାର୍ଯ୍ୟକ୍ଷମ ହେବା ସହିତ ଫନି ପରବର୍ତ୍ତୀ ସମୟରେ ଭଲ ଆୟ କରିଥିବା ଜଣାପଡ଼େ। ମାତ୍ର ପର୍ଯ୍ୟଟନ ପ୍ରକଳ୍ପ ଚନ୍ଦ୍ରଭାଗା ଉଡେନ୍‌ ରେଷ୍ଟୁରାଣ୍ଟର ଫନିରେ ହୋଇଥିବା କ୍ଷତରେ ଘରୋଇକରଣ ମଲମ ମାରିବାକୁ ଯେଉଁ ଯୋଜନା ହୋଇଥିଲା ତାହା ବିଭିନ୍ନ ମହଲରୁ ଆନ୍ଦୋଳନ ମୁଣ୍ଡ ଟେକିବାରେ ଅଦ୍ୟାବଧି ସଫଳ ହୋଇ ପାରିନାହିଁ। ଫଳରେ ଫନିରେ ଅଣ୍ଟାଭାଙ୍ଗି ପଡ଼ିଥିବା ଉଡେନ୍‌ ରେଷ୍ଟୁରାଣ୍ଟ ପ୍ରାୟ ୫ ବର୍ଷ ପରେ ବି ଅଦ୍ୟାବଧି ତଳମୁହାଁ ହୋଇ ପଡ଼ିରହିଛି।

ସୂଚନାଯୋଗ୍ୟ, ବର୍ଷବର୍ଷ ଧରି ଭଙ୍ଗାଦଦରା ଅବସ୍ଥାରେ ପଡ଼ି ରହିଥିବା ଏହି ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ସାମଗ୍ରୀ ଚୋରି ହୋଇଗଲାଣି। ଘରୋଇକରଣ ମଲମ ଲଗାଇବାରେ ବିଫଳ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଏବେ କେଉଁ ମଲମ ଲଗାଇ ଫନିରେ ଚନ୍ଦ୍ରଭାଗା ଉଡେନ୍‌ ରେଷ୍ଟୁରାଣ୍ଟରେ ସୃଷ୍ଟି ହୋଇଥିବା କ୍ଷତ ଭରଣା କରିବେ ତାହା ‌ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର