ବଢ଼ୁଛି ତାତି, ହ୍ରାସ ପାଉଛି କୁଆଁରିଆ ଜଳସ୍ତର: ମାର୍ଚ୍ଚରେ ଅଛି ୨୮ ପ୍ରତିଶତ ପାଣି

ଜୁଲାଇ ବେଳକୁ ସଂକଟ ସୃଷ୍ଟି କରିବ

ଦଶପଲ୍ଲା: ତାତି ବଢ଼ିବା ସାଙ୍ଗକୁ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି କୁଆଁରିଆ ଜଳଭଣ୍ତାରର ଜଳସ୍ତର। ଯାହାକି ବର୍ତ୍ତମାନ ଜଳ ଭଣ୍ତାରରେ ମାତ୍ର ୨୮ ପ୍ରତିଶତ ପାଣି ଥିବା ଜଳସମ୍ପଦ ବିଭାଗ ଏସ୍‌ଡିଓ ସୁମିତ୍ କୁମାର ଜେନା କହିଛନ୍ତି। ମାର୍ଚ୍ଚରେ ଜଳଭଣ୍ତାରର ଏଭଳି ସ୍ଥିତି ଉପରେ ନଜର ପକାଇଲେ ଆଗକୁ ବର୍ଷା ନହେଲେ ଆସନ୍ତା ଜୁଲାଇ ମାସ ବେଳକୁ ଏହାର ଜଳସ୍ତର ୨୮ ପ୍ରତିଶତରୁ ୮ ପ୍ରତିଶତକୁ ଚାଲିଆସିବ ବୋଲି କୁହାଯାଉଛି। ମୁଖ୍ୟତଃ ଏହି ଜଳଭଣ୍ତାର ଦଶପଲ୍ଲା ବ୍ଲକ୍‌ର ହଜାର ହଜାର ଚାଷୀଙ୍କ ଜୀବନରେଖା ସାଜିଥିବା ବେଳେ ଏଥିରୁ ସହରବାସୀଙ୍କ ତୃଷ୍ଣା ମେଣ୍ଟିଥାଏ।

ବର୍ତ୍ତମାନର ସ୍ଥିତି ଉପରେ ଅନୁଧ୍ୟାନ କଲେ ଆଗକୁ ସହରବାସୀଙ୍କ ପାଇଁ ଏହା ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଛି। ୧୯୮୪ ମସିହା ଏପ୍ରିଲ୍ ୧୬ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଜଳଭଣ୍ତାର ଉଦ୍‌ଘାଟନ ହୋଇଥିଲା। ଜଳଭଣ୍ତାର ନିର୍ମାଣ ହେବାକୁ ପ୍ରାୟ ୪୦ ବର୍ଷ ହୋଇଥିବା ବେଳେ ଏହାଏବେ ପୋତି ହୋଇଗଲାଣି। ୧୨୪ ବର୍ଗକିମି ଅଞ୍ଚଳକୁ ନେଇ ନିର୍ମାଣ ହୋଇଥିବା ଏହି ଜଳଭଣ୍ତାରର ଲମ୍ବ ୧ ହଜାର ୫ ଶହ ୭୬ ମିଟର ଓ ଉଚ୍ଚତା ୨୧ ମିଟର ରହିଛି। ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୩୫.୭୦ ମିଟର ରହିଛି। ଖରିଫରେ ୩୭୮୦ ହେକ୍ଟର ଓ ରବି ଋତୁରେ ୧୯୦୮ ହେକ୍ଟର ଚାଷ ଜମି ଜଳସେଚିତ ହେଉଛି। ହେଲେ ଏହାର ପୁନରୁଦ୍ଧାର ପ୍ରତି ଜଳସମ୍ପଦ ବିଭାଗ ଆଖି ବୁଜି ଦେଇଛି। ଜଳଭଣ୍ତାରରେ ବର୍ତ୍ତମାନ ୨୮ପ୍ରତିଶତ ପାଣି ରହିଥିବା ବେଳେ ଆଗକୁ ଜଳସଂକଟ ଦେଖାଯିବା ବିଭାଗ ପକ୍ଷରୁ କୁହାଯାଇଛି। ଦଶପଲ୍ଲାବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି ଜଳଭଣ୍ତାର ପ୍ରତି ଜଳସମ୍ପଦ ବିଭାଗର ଅହେତୁକ ଅବହେଳାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ କ୍ଷୋଭପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର