କାଇ ପିମ୍ପୁଡ଼ି ଚଟଣିକୁ କରୋନା ମୁକାବିଲା ଔଷଧ ମାନ୍ୟତା ପ୍ରସଂଗ : ୩ ମାସରେ ନିଷ୍ପତ୍ତି ନେବାକୁ ଆୟୁଷ ମନ୍ତ୍ରାଳୟର ନିର୍ଦ୍ଦେଶ

କଟକ : ଜଙ୍ଗଲରୁ ସଂଗ୍ରହ କରାଯାଉଥିବା କାଇ ପିମ୍ପୁଡ଼ିର ଚଟଣି ଓ ସୁପ୍ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଔଷଧ ଭାବେ ବ୍ୟବହାର କରାଯାଇ ପାରିବ। ଏହାକୁ କରୋନା ଭୂତାଣୁ ସଂକ୍ରମଣ ଜନିତ ରୋଗର ଚିକିତ୍ସା ଓ ନିବାରଣ ପାଇଁ ବ୍ୟବହାର କରାଯିବା‌ରେ କିଛି ବାଧା ନାହିଁ। କରୋନା ମୁକାବିଲା ପାଇଁ ଔଷଧ ଭାବେ ଏହାକୁ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଉପରେ ବିଚାର କରି ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ହାଇକୋର୍ଟ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଓ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର୍) ମହା ନିର୍ଦ୍ଦେଶକଙ୍କୁ ତିନି ମାସ ସମୟ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଂଜିନିୟର ନୟାଧର ପଢ଼ିଆଳଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ବାରିପଦାରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଶ୍ରୀ ପଢ଼ିଆଳଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଥିଲା ଯେ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସାରେ ଜଙ୍ଗଲରୁ ମିଳୁଥିବା କାଇ ପିମ୍ପୁଡ଼ି ନାଲି ଚଟଣି ଉପାଦେୟ ହୋଇ ପାରିବ। ଆଦିବାସୀ ଲୋକମାନେ ଥଣ୍ଡା, କଫ, ଜ୍ବର ହେଲେ ପାରମ୍ପରିକ ଔଷଧ ଭାବେ କାଇ ପିମ୍ପୁଡ଼ି ଚଟଣି ବା ସୁପ୍‌ ଖାଇଥାନ୍ତି। ଜଙ୍ଗଲରେ ଶାଳ ଗଛର ପତ୍ରରେ ରହୁଥିବା ନାଲି କାଇ ପିମ୍ପୁଡ଼ି ସହିତ କଞ୍ଚା ଧନୁଆ ଲଙ୍କାକୁ ମିଶାଇ ଏପରି ଚଟଣି ଓ ସୁପ୍ ପ୍ରସ୍ତୁତ କରାଯାଇଥାଏ। ଆଦିବାସୀମାନେ ପ୍ରକୃତି ସହିତ ରହୁଥିବା ବେଳେ ଏଭଳି ପାରମ୍ପରିକ ଔଷଧ ସେବନ କରି ବିଭିନ୍ନ ରୋଗରୁ ଆରୋଗ୍ୟ ଲାଭ କରିଥାନ୍ତି। ବିଶ୍ବ ପ୍ରସିଦ୍ଧ ‌ଖାଦ୍ୟ ପ୍ରସ୍ତୁତକାରୀ ସେଫ୍ ଗୋର୍ଡନ ରାମ୍‌ସେ ନାଲି ପିମ୍ପୁଡ଼ି ଚଟଣି ଉପରେ ଲେଖିଥିବା ପ୍ରବନ୍ଧରେ ଏହି ଚଟଣିକୁ ଦେହ ପାଇଁ ବହୁତ ହିତକର ବୋଲି କହିଥିଲେ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ, ଜିଙ୍କ୍ ରହିଥିବା ବେଳେ ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ବୃଦ୍ଧି ପାଇଁ ସହାୟକ ହୋଇଥାଏ।

କରେନା ଭୂତାଣୁ ସଂକ୍ରମଣ ନେଇ ଅତୀତରେ ରାଜ୍ୟରେ ସଂଗିନ ସ୍ଥିତି ଦେଖା ଦେଇଥିବା ବେଳେ ଅଧିକାଂଶ ଆଦିବାସୀ ଅଞ୍ଚଳର ବାସିନ୍ଦା ଏପରି ପାରମ୍ପରିକ ଔଷଧ ସେବନ କରି ସୁସ୍ଥ ରହିବା ସହିତ କରୋନା ସଂକ୍ରମଣରୁ ବର୍ତ୍ତିଥିଲେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏହି ଚଟଣିର ଔଷଧୀୟ ଗୁଣ ରହିଥିବା ବେଳେ କରୋନା ମୁକାବିଲା ପାଇଁ ଏହା ଉପାଦେୟ ବୋଲି ଆବେଦନକାରୀ ଦର୍ଶାଇବା ସହିତ ଏ ନେଇ ଆଇସିଏମଆର ଡିଜିଙ୍କୁ ଗତ ଏପ୍ରିଲ ୧୭ରେ ଲିଖିତ ଭାବେ ଅବଗତ କରିଥିଲେ। କରୋନା ଭୂତାଣୁ ଚିକିତ୍ସା ପାଇଁ ଏହି କାଇ ପିମ୍ପୁଡ଼ି ଚଟଣି ଓ ସୁପ୍‌ ବ୍ୟବହାର ଲାଗି ପଦକ୍ଷେପ ଗ୍ରହଣ କରିବାକୁ ସେ ଆଇସିଏମଆର ଡିଜିଙ୍କୁ ଅନୁରୋଧ କରିଥିଲେ। ଏ ନେଇ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତାଙ୍କ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାମଲାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଡିଜି, କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ, ସିଏସଆଇଆର୍ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରକାଶ ରଂଜନ ବାରିକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର